ଆସନ୍ତାକାଲି ସମ୍ପନ୍ନ ହେବ ଝରଣା ଦାସଙ୍କ ଶେଷକୃତ୍ୟ, ଦିଆଯିବ ରାଷ୍ଟ୍ରୀୟ ମର୍ଯ୍ୟାଦା

କଟକ (କେନ୍ୟୁଜ୍‌) : ନିରବୀ ଗଲା ସେଇ ସୁନ୍ଦର ସ୍ୱର। ଯାହା ତାଙ୍କ ଅଭିନୟ ଠାରୁ ଆହୁରି ଲୋକପ୍ରୟି ଥିଲା ରେଡିଓରେ । ନାଟକରେ ତାଙ୍କର ସ୍ୱର ଶୁଣିଲେ ସେଇଠି ଅଟକି ଯାଉଥିଲେ ଲୋକେ । ଜୀବନର ଶେଷ ସମୟ ଯାଏ ଖୁବ୍‌ ଚଳଚଞ୍ଚଳ ରହି ଶେଷରେ ସମସ୍ତଙ୍କୁ ଛାଡ଼ି ଚାଲିଗଲେ ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସ । କଟକ ଚଣ୍ଡୀ ରୋଡ଼ ଖ୍ରୀଷ୍ଟିଆନ ସାହି ବାସଭବନରେ ଡିସେମ୍ବର ୧ ତାରିଖ ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ଘଟିଛି । ଉଭୟ ସିନେ ଜଗତ ଏବଂ ଆକାଶବାଣୀରେ ସକ୍ରିୟ ଥିବା ଝରଣା ଦାସ ଫେରି ଯାଇଛନ୍ତି ଅଫେରା ରାଇଜକୁ । ଆଜି ଖବର ଶୁଣିବା ପରେ ପୂରା ଓଲିଉଡ୍‌ ଜଗତ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଶେଷ ଦଶନ ପାଇଁ ପହଞ୍ଚିଛନ୍ତି । ଡିସେମ୍ବର ୩ ତାରିଖରେ ତାଙ୍କର ଅନ୍ତିମ ସଂସ୍କାର କଟକ ଗୋରା କବର ଠାରେ ହେବ । ରାଷ୍ଟ୍ରୀୟ ମର୍ଯ୍ଯାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଷାଠିଏ ଦଶକର ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଝରଣା ଦାସ। ଯାହାଙ୍କୁ ଚିହ୍ନନ୍ତି ଓଡ଼ିଶାର ଆବାଳବୃଦ୍ଧ ବନିତା ଜଣେ ଦକ୍ଷ ଅଭିନେତ୍ରୀ ଭାବରେ । ୧୯୪୫ ମସିହାରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତ୍ରୀ ସେତେବେଳେ ନାରୀ କଟକଣାର ସବୁ ବନ୍ଧନକୁ ଡେଇଁ ପ୍ରବେଶ କରିଥିଲେ ନାଟକ ଓ ସିନେ ଜଗତରେ । ଶ୍ରୀଜଗନ୍ନାଥ, ନାରୀ, ମଲାହ୍ନ ଭଳି ଅନେକ ଓଡ଼ିଆ ସିନେମାରେ ସେ ନାୟିକା ସାଜିଥିଲେ । ପରବର୍ତ୍ତୀ ସମୟରେ ମା ଚରିତ୍ରରେ ଅଭିନୟ କରି ସମସ୍ତଙ୍କୁ ଭାବପ୍ରବଣ କରି ଦେଉଥିଲେ । ତାଙ୍କର ଯାଦୁକରୀ ସ୍ୱର ସାଙ୍ଗକୁ ନିଖୁଣ ଅଭିନୟ ଶ୍ରୋତା ଓ ଦର୍ଶକଙ୍କୁ ବାନ୍ଧି ରଖୁଥିଲା ।

ତାଙ୍କର ନିଖୁଣ ଅଭିନୟର ଚର୍ଚ୍ଚା ଆଜିବି କରନ୍ତି କଳାପ୍ରେମୀ । ବେତାର ନାଟକରୁ ଆରମ୍ଭ ହୋଇଥିଲା ଅଭିନୟ ଜୀବନର ଯାତ୍ରା । ଘର ଭିତରେ ଖଟକୁ ଖଟ ଯୋଡି, ଶାଢ଼ୀ ବାନ୍ଧି ତିଆରି ହୋଇ ଯାଉଥିଲା ମଞ୍ଚ। ତା ପରେ ଆରମ୍ଭ ହେଉଥିଲା ଅଭିନୟ ପାଇଁ ଅଭ୍ଯାସ । ଏହିଭଳି ଜଣେ ଅଭିନେତ୍ରୀଙ୍କର ବିୟୋଗରେ ସୃଷ୍ଟି ହୋଇଛି ଏକ ବିରାଟ ଶୂନ୍ଯ ସ୍ଥାନ ।

ଅଦିନ ମେଘ, ଅମଡ଼ାବାଟ, ଅଭିନେତ୍ରୀ, ମଲାଜହ୍ନ, ନବଜନ୍ମ, ନାରୀ, ଶ୍ରୀଜଗନ୍ନାଥ ଆଦି ଅନେକ ଫିଲ୍ମରେ ନାୟିକା ସାଜିଥିବା ବେଳେ ପରବର୍ତ୍ତୀ ସମୟରେ ହିସାବ ନିକାଶ, ହୀରାନୀଳା, ପୂଜାଫୁଲ ଆଦି ଚଳଚ୍ଚିତ୍ରରେ ସେ ଚରିତ୍ର ଭୂମିକାରେ ସମସ୍ତଙ୍କ ମନ ଜିଣିଥିଲେ । ଓଡ଼ିଆ ଫିଲ୍ମ ପ୍ରତି ତାଙ୍କର ଅବଦାନ ପାଇଁ ତାଙ୍କୁ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଥିଲା ।
ମୁଖ୍ୟମନ୍ତ୍ରୀଙ୍କ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଝରଣାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।

ଖୁବ୍‌ ଖୋଲା ହୃଦୟ, ମେଳାପୀ ହସଖୁସିଆ ମଣିଷଟିଏ । ବୟସ ୮୦ରୁ ଅଧିକ ହୋଇଥିଲେ ମଧ୍ୟ ଭାରି ଚଳଚଞ୍ଚଳ ଥିଲେ ଜୀବନର ଶେଷ ଯାଏ । ସ୍ନେହରେ ସାଙ୍ଗ ସାଥି ବନ୍ଧୁ ପ୍ରିୟଜନ, ପ୍ରଶଂସକ ତାଙ୍କୁ ଡାକୁଥିଲେ “ଝୁମୁ” । କେବଳ ଜଣେ ଭଲ ଅଭିନେତ୍ରୀ ନ ଥିଲେ, ଭଲ ଗୀତବି ଗାଉଥିଲେ। ନୃତ୍ୟରେ ବି ଥିଲା ରୁଚି। ଜଣାଶୁଣା ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ ଝରଣା ଦାସ। ଏଇ କିଛି ମାସ ତଳେ ନିଜ ବାନ୍ଧବୀମାନଙ୍କ ସହିତ ବନ୍ଧୁମିଳନ କାର୍ଯ୍ଯକ୍ରମରେ ରଙ୍ଗବତୀ ଗୀତର ତାଳେ ତାଳେ ଖୁବ୍‌ ନାଚି ଥିଲେ ଝରଣା। ଶୁଣନ୍ତୁ କଣ କହୁଛନ୍ତି ତାଙ୍କର ସହପାଠୀ ସାଙ୍ଗ ସାଥି।

ସହକାରୀ ଷ୍ଟେସନ ଡାଇରେକ୍ଟର ଭାବରେ କଟକ ଆକାଶବାଣୀ କେନ୍ଦ୍ରରେ କାର୍ଯ୍ଯ କରିଥିଲେ ଝରଣା। କେନ୍ଦ୍ର ନିର୍ଦେଶିକା ଭାବରେ କୋଲକାତା ଦୂରଦର୍ଶନ କେନ୍ଦ୍ରରୁ ଅବସର ଗ୍ରହଣ କରିଥିଲେ । ଜଣେ ଭଲ ମହିଳା ପ୍ରଶାସିକା ଭାବରେ ସୃଷ୍ଟି କରିଥିଲେ ନିଜର ସ୍ୱତନ୍ତ୍ର ପରିଚୟ । ସ୍ନାତକ ପାସ କରିବାରେ ସେ ହେଉଛନ୍ତି ରାଜ୍ଯର ପ୍ରଥମ ଅଭିନେତ୍ରୀ। ଯେଉଁ ସମୟରେ ଝିଅଟିଏ ଘରୁ ଗୋଡ଼ କାଢ଼ିଲେ ଅନେକ ପ୍ରଶ୍ନ ଉଠୁଥିଲା, ସେ ସମୟରେ ଅଭିନୟ ଜଗତରେ ପାଦ ଥାପିବା କୌଣସି ଚାଲେଞ୍ଜ ଠାରୁ କମ ନ ଥିଲା। ସେହି ଚାଲେଞ୍ଜକୁ ଗ୍ରହଣ କରିବା ସହିତ ସଫଳ ତାର ଶୀର୍ଷରେ ପହଞ୍ଚି ଥିଲେ ଝରଣା ଦାସ ।

ଝରଣା ସିନା ଆଉ ନାହାନ୍ତି, ହେଲେ ବହି ଚାଲିଥିବା ଝରଣା ଭଳି କୁଳୁକୁଳୁ ଶବ୍ଦ କରି ଚାଲିବ ଠିକ ତାଙ୍କର ମଧୁର ସ୍ୱର ଭଳି । ତାଙ୍କର ଅଭିନୟର ଯାଦୁ ଅମର ରହିବ ଚିରକାଳ କଳାପ୍ରେମୀଙ୍କ ହୃଦୟରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.