Below header

ନାବାଳିକା ଦୁଷ୍କର୍ମ ଘଟଣାରେ ଦୃଷ୍ଟାନ୍ତମୂଳକ ଦଣ୍ଡ, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ପୋକ୍ସୋ ସ୍ବତନ୍ତ୍ର କୋର୍ଟ ।

ଯାଜପୁର ଟାଉନ୍‌ (କେନ୍ୟୁଜ୍‌) : ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ପୋକ୍ସୋ ସ୍ବତନ୍ତ୍ର କୋର୍ଟ । ୨୦୨୧ ମସିହା ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳର ଜଣେ ନାବାଳିକା ଘରେ ଲାଇନ୍ ନଥିବାରୁ ପଡୋଶୀ ବୈକୁଣ୍ଠ ନାଥ ମଲ୍ଲିକଙ୍କ ଘରକୁ ମୋବାଇଲ ଚାର୍ଜିଂ ପାଇଁ ଯାଇଥିଲେ। ସେଠାରେ ବୈକୁଣ୍ଠ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ପରେ ବିଭିନ୍ନ ଆଳରେ ପୀଡ଼ିତାଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ଦୁଷ୍କର୍ମ କରିଥିଲେ । ପୀଡ଼ିତା ଜଣଙ୍କ ଗର୍ଭବତୀ ହେବା ପରେ କଥା ସାମ୍ନାକୁ ଆସିଥିଲା। ଏ ନେଇ ବିଂଝାରପୁର ଥାନାରେ ପୀଡ଼ିତା ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଅଭିଯୁକ୍ତକୁ ଦଫା ୩୭୬(୨ଏନ) ଏବଂ ପୋକସୋ ଧାରା ୬ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।

ଆଜି ଏହି ମାମଲାର ଶୁଣାଣି କରି ଯାଜପୁରର ଅତିରିକ୍ତ ଦୌରା ଜଜ ତଥା ପୋକ୍ସୋ ସ୍ବତନ୍ତ୍ର ଅଦାଲତ ୧୮ଜଣଙ୍କ ସାକ୍ଷ୍ୟକୁ ଗ୍ରହଣ କରି ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସହ ୪ ଲକ୍ଷ ଟଙ୍କା ଜରିମାନା ସହ ଜରିମାନା ଅନାଦାୟ ୧୨ ମାସ ଅଧିକ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି। ଏଥି ସହ ପୀଡ଼ିତାଙ୍କୁ ୭ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।

ପୋକସୋ କୋର୍ଟ ବିଚାରପତି ଅଭିଜିତ ପଲାଇ ଏହି ରାୟ ଦେଇଛନ୍ତି । ମାମଲାକୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଥିଲେ। ପୀଡ଼ିତାଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିବା ବେଳେ ସନ୍ତାନର ଡିଏନଏ ରିପୋର୍ଟରେ ମଧ୍ୟ ଅଭଯୁକ୍ତ ସେହି ସନ୍ତାନର ବାପା ବୋଲି ପ୍ରମାଣିତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.