Below header

ବ୍ରହ୍ମପୁର: ୫୦ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ, ୫ ଗିରଫ ସହ ଲୁଟ୍ ଟଙ୍କା ଉଦ୍ଧାର

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସକୁ ସଫଳତା । ଜଣେ ବ୍ୟବସାୟୀଙ୍କ ଏଜେଣ୍ଟଙ୍କଠାରୁ ବନ୍ଧୁକ ଦେଖାଇ ଲୁଟି ନେଇଥିବା ନଗଦ ୫୦ଲକ୍ଷ ଲୁଟ୍ ଘଟଣାରେ ୫ଜଣ ଗିରଫ ହେବା ସହ ଲୁଟ୍ ଟଙ୍କା ମଧ୍ୟରୁ ୩୬ଲକ୍ଷ ୭୭ହଜାର ଟଙ୍କା , ମୋବାଇଲ, ଓ ଅଳଙ୍କାର ଜବତ କରିଛି ପୋଲିସ । ଗିରଫ ହୋଇଥିବା ଲୁଟେରାମାନେ ହେଲେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଢିପ ସାହିର ସୁନିଲ ବିଷୋୟୀ, ଶ୍ରୀରାମନଗର ତୃତୀୟ ଲାଇନର ମୁନା ମହାରଣା,ଆସିକା ରୋଡ୍ ମଥୁରାନଗରର ପ୍ରତୀକ ଦଳାଇ, ପାଟପୁର ଥାନା କଙ୍କରଡ଼ା ଗାଁର ରାଜା ଚୌଧୂରୀ ଓରଫ ଷ୍ଟାଇଲିସ୍ ଲକି ଓ ସଦର ଥାନା ଅନ୍ତର୍ଗତ ଭାବିନୀପୁର ଗାଁର ନିରଞ୍ଜନ ଗୌଡ଼ । ଘଟଣାକ୍ରମ ଏପରି ଥିଲା ଗତ ମାସ ୨୩ ତାରିଖରେ ବ୍ରହ୍ମପୁର ଶ୍ରୀରାମ ନଗର ଅଞ୍ଚଳରୁ କୋଲକତାର ଏକ ଗାର୍ମେଣ୍ଟ୍ କମ୍ପାନୀର ଏଜେଣ୍ଟ୍ ଚକାଡ଼ୋଳା ମାଝୀ ନାମକ ଜଣେ ଯୁବକ ୫୦ଲକ୍ଷ ଟଙ୍କା ଧରି ଭୂବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ ।

ତେବେ ପୂର୍ବରୁ କେତେକ ଲୁଟେରା ଏହି ଖବର ପାଇଁ ଲୁଟ୍ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ବସରେ ଯିବା ବେଳେ ବାଲୁଗାଁ ନିକଟରେ ତାକୁ ଜୋରଜବରଦସ୍ତ ଓହ୍ଲାଇ ବନ୍ଧୁକ ଦେଖାଇ ଧମକ ଚମକ ଦେଇ ଟଙ୍କା ଲୁଟି ନେଇଥିଲେ । ତେବେ ଲୁଟର ଶୀକାର ହୋଇଥିବା ଯୁବକ ଚକାଡ଼ୋଳାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ସେଥିପାଇଁ ଯୁବକ ଜଣକ କାହାକୁ କିଛି କହି ଚୁପ ରହିଥିଲେ । ପରେ ଖୁସି ଟ୍ରେଣ୍ଡିଂ କମ୍ପାନୀର ମାଲିକ ଅଶୋକ କୁମାର ମୁଣ୍ଡ୍ରା ତାଙ୍କ ଏଜେଣ୍ଟ ୫୦ଲକ୍ଷଟଙ୍କା ନେଇ ଯାଇଥିବା ନେଇ ଥାନାରେ ରିପୋର୍ଟ କରିଥିଲେ । ପୋଲିସ ଏଭଳି ଘଟଣାକୁ ଗୁରୁତ୍ତର ସହ ନେଇ ବ୍ରହ୍ମପୁର ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ । ପ୍ରଥମେ ସଂପୃକ୍ତ ଏଜେଣ୍ଟ ଚକାଡ଼ୋଳାଙ୍କୁ ଧରି ଜେରା କରିବା ପରେ ତାଙ୍କଠାରୁ ଲୁଟ୍ ହୋଇଥିବା ପଦାକୁ ଆସିଥିଲା ।

ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ପୋଲିସ ଗିରଫ କରିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରି ହୋଇଥିବା ଟଙ୍କା ଉଦ୍ଧାର ହେବା ସହ ଲୁଟ ଟଙ୍କାରେ କିଛି ସୁନା ଅଳଙ୍କାର କିଣି ଥିବା ନେଇ ସେଗୁଡିକୁ ମଧ୍ୟ ଉଦ୍ଧାର କରିଛି । ତେବେ ଏହି ଘଟଣାରେ ଆଉ ଦୁଇ ଜଣ ଲୁଟେରା ଫରାର ଥିବା ବେଳେ ସେମାନଙ୍କୁ ଗିରଫ କରିବା ଲାଗି ପୋଲିସ ଉଦ୍ୟମ ଜାରୀ ରଖିଥିବା ପୋଲିସ ସୂଚନା ଦେଇଛି । ଏହା ସହ ଏହି ଘଟଣାରେ ଜଣେ ବିଟେକ୍ ଛାତ୍ରୀଙ୍କ ସଂପୃକ୍ତି ଥିବା ନେଇ ସନ୍ଦେହ କରାଯାଇଥିବା ବେଳେ ତାଙ୍କ ଘରେ ପୋଲିସ ରେଡ୍ କରି କିଛି ଅଳଙ୍କାର ଉଦ୍ଧାର କରିଥିବା ବେଳେ ତାଙ୍କୁ ପଚାରା ଉଚୁରା କରି ଛାଡି ଦିଆଯାଇଛି ।

ତଦନ୍ତ ବେଳେ ଆବଶ୍ୟକସ୍ଥଳରେ ତାଙ୍କୁ ଡକାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଛି । ସେପଟେ ଉଦ୍ଧାର ହୋଇଥିବା ଏତେ ମାତ୍ରାରେ ଟଙ୍କା ସଂପୃକ୍ତ ବ୍ୟବସାୟୀଙ୍କ ହସ୍ତାନ୍ତର ନ କରି ପୋଲିସ ପକ୍ଷରୁ କୋର୍ଟରେ ଜଣା କରାଯିବା । ସଂପୃକ୍ତ ମାଲିକ ନିଜର ଆୟ ସମ୍ପର୍କରେ ତଥ୍ୟ ଦେଇ ନିଜ ଟଙ୍କା ନେବେ ବୋଲି ବ୍ରହ୍ମପୁର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ପିନାକ୍ ମିଶ୍ର ସୂଚନା ଦେଇଛନ୍ତି । ଗିରଫ ୫ଜଣ ଲୁଟେରାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.