ଟିଟିଲାଗଡ଼ର ବହୁ ଚର୍ଚ୍ଚିତ ରତ୍ନ ପଥର ଚୋରା ଖନନ ସମୟରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟଣା, ମୁଖ୍ୟ ଅଭିଯୁକ୍ତ ଖଣି ମାଫିଆ ରାଜୁ ସାହୁ ଗିରଫ

ଟିଟିଲାଗଡ଼(କେନ୍ୟୁଜ୍): ଟିଟିଲାଗଡ଼ ବହୁ ଚର୍ଚ୍ଚିତ ରତ୍ନ ପଥର ଚୋରା ଖନନ ସମୟରେ ଦୁଇ ଶ୍ରମିକ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତ ଖଣି ମାଫିଆ ରାଜୁ ସାହୁକୁ ଶେଷରେ ପୋଲିସ୍ କାବୁ କରିଛି।କଳାହାଣ୍ଡି ଜିଲ୍ଲା କରଲାମୁଣ୍ଡା ଗାଁରେ ମୋବାଇଲ ଫୋନରେ କଥା ହେଉଥିବା ସମୟରେ ପୋଲିସ ଖବର ପାଇ ମୋବାଇଲକୁ ଟ୍ରାକ କରି ରାଜୁ ସାହୁକୁ ମାଡି ବସିଥିଲା ।
ପରେ ଟିଟିଲାଗଡ଼ ପୋଲିସ ଥାନାକୁ ଆଣି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରି ଟିଟିଲାଗଡ଼ କୋର୍ଟକୁ ଚାଲାଣ କରିଛି। ଟିଟିଲାଗଡ଼ ଏସଡ଼ିଜେଏମଙ୍କ ପାଖରେ ଖଣି ମାଫିଆ ରାଜୁ ସାହୁକୁ ହାଜର କରିଥିଲେ। ପରେ ରାଜୁ ସାହୁକୁ ଟିଟିଲାଗଡ଼ ବିଚାର ବିଭାଗୀୟ ଉପକାରାଗାରକୁ ପଠାଯାଇଛି । ଗତ ଏପ୍ରିଲ ମାସ ୨୨ତାରିଖ ଦିନ ଗୁଲମୀ ଗାଁକୁ ଲାଗି ଥିବା ତିଖାଳି ସଂରକ୍ଷିତ ଜଙ୍ଗଲରେ ଥିବା ଭାଲୁ ଡୁଙ୍ଗୁରି ପାହାଡ଼ରୁ ରତ୍ନ ପଥର ଚୋରା ଚାଲାଣ କରିବା ପାଇଁ ଖନନ କରୁଥିବା ସମୟରେ ଦୁଇ ଜଣ ଶ୍ରମିକ ଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ପୋଲିସକୁ ଚକମା ଦେଇ ଫେରାର ମାରିଥିଲା ରାଜୁ ସାହୁ । ଦୀର୍ଘ ଏକ ମାସର ଲୁଚକାଳି ଖେଳ ପରେ ଶେଷରେ ପୋଲିସ୍ ପଞ୍ଝାରେ ପଡିଛି ରାଜୁ ସାହୁ।