Below header

ଖୁବଶୀଘ୍ର ରାଜ୍ୟ ପୋଲିସରେ ହେବ ଅଦଳ ବଦଳ, ୩୧ ତାରିଖ ପୂର୍ବରୁ ବଦଳି ପ୍ରକ୍ରିୟା ଶେଷ ପାଇଁ ନିର୍ଦ୍ଦେଶ

ଖୁବଶୀଘ୍ର ରାଜ୍ୟ ପୋଲିସରେ ହେବ ବଡ଼ ଧରଣର ଅଦଳ ବଦଳ। ବଦଳିବେ କିଛି ବରିଷ୍ଠ ଅଧିକାରୀ । କେନ୍ଦ୍ର ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁଯାୟୀ, ଗୋଟିଏ ସ୍ଥାନରେ ତିନି ବର୍ଷରୁ ଅଧିକ ସମୟ ରହିଥିବା ଅଧିକାରୀମାନେ ଆଗାମୀ ନିର୍ବାଚନ ପରିଚାଳନା ଦାୟିତ୍ବରେ ରହିପାରିବେ ନାହିଁ ।

ଭୁବନେଶ୍ୱର : ଖୁବଶୀଘ୍ର ରାଜ୍ୟ ପୋଲିସରେ ହେବ ବଡ଼ ଧରଣର ଅଦଳ ବଦଳ। ବଦଳିବେ କିଛି ବରିଷ୍ଠ ଅଧିକାରୀ । କେନ୍ଦ୍ର ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁଯାୟୀ, ଗୋଟିଏ ସ୍ଥାନରେ ତିନି ବର୍ଷରୁ ଅଧିକ ସମୟ ରହିଥିବା ଅଧିକାରୀମାନେ ଆଗାମୀ ନିର୍ବାଚନ ପରିଚାଳନା ଦାୟିତ୍ବରେ ରହିପାରିବେ ନାହିଁ । ଏଥିପାଇଁ ଆସନ୍ତା ୩୧ ତାରିଖ ପୂର୍ବରୁ ବଦଳି ପ୍ରକ୍ରିୟା ଶେଷ କରିବା ପାଇଁ ନିର୍ଦ୍ଦେଶ ରହିଛି । ଅନ୍ୟପଟେ ଡିଜି ନିଯୁକ୍ତି ପ୍ରସଙ୍ଗରେ UPSCର ବୈଠକ ଏଯାଏଁ ବସି ନାହିଁ । ଏଥିପାଇଁ ରାଜ୍ୟର ପୂର୍ଣ୍ଣକାଳୀନ DG ନେଇ ମଧ୍ୟ କଳ୍ପନାଜଳ୍ପନା ଲାଗିରହିଛି।

ଖୁବଶୀଘ୍ର ବଦଳିବେ ପୋଲିସ କମିଶନର, ବିଭିନ୍ନ ରେଞ୍ଜ ଆଇଜି ଓ ଡିଆଇଜି  । ବଦଳିପାରନ୍ତି ରାଉରକେଲା ଓ ପୁରୀ ଏସପି । ନିର୍ବାଚନ କମିଶନଙ୍କ ଗାଇଡଲାଇନ ପାଇଁ ପୋଲିସ ବିଭାଗରେ ହେବ ବଡ଼ ଅଦଳବଦଳ ଏପଟେ ଏଯାଏ ବସିନି UPSC ବୈଠକ । ପୂର୍ଣ୍ଣକାଳୀନ ଡିଜିଙ୍କୁ ନେଇ ବଢ଼ିଲା ଚର୍ଚ୍ଚା।

ବଦଳିପାରନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେହିପରି ଉତ୍ତରାଂଚଳ IG ଦୀପକ କୁମାର, ଦକ୍ଷିଣାଞ୍ଚଳ IG ସତ୍ୟବ୍ରତ ଭୋଇ, ପୂର୍ବାଞ୍ଚଳ IG ହିମାଂଶୁ ଲାଲ ଗୋଟିଏ ସ୍ଥାନରେ ୩ ବର୍ଷ ଧରି କାର୍ଯ୍ୟ କରିସାରିଥିବାରୁ ସେମାନେ ବଦଳିପାରନ୍ତି । ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ଓ ପୁରୀ ଏସପି କନୱର ବିଶାଳ ସିଂଙ୍କ ଡିଆଇଜି ପଦକୁ ପଦୋନ୍ନତି ମିଳିଛି । କେନ୍ଦ୍ରାପଡ଼ା ଏସପି ସନ୍ଦୀପ ମଡକର, ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମାଙ୍କ ବଦଳି ସମ୍ଭାବନା ଅଧିକ ।

ଏପଟେ କିଏ ହେବେ ପୂର୍ଣ୍ଣକାଳୀନ ପୋଲିସ ଡିଜି ? ପୋଲିସ ଡିଜି ସୁନୀଲ ବଂଶଲଙ୍କ ଅବସର ପରେ ଜାନୁଆରୀ ପହିଲାରୁ ଅରୁଣ ଷଡ଼ଙ୍ଗୀ ଇନଚାର୍ଜ ଡିଜି ଅଛନ୍ତି । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ ରାଜ୍ୟ ସରକାର ଡିଜିପି ପାହ୍ୟାର ୭ ବରିଷ୍ଠ ଅଧିକାରୀଙ୍କ ଏକ ତାଲିକା କେନ୍ଦ୍ରୀୟ ଲୋକସେବା ଆୟୋଗ ବା ୟୁପିଏସସିଙ୍କୁ ପଠାଇଛନ୍ତି ।

ହେଲେ ଏଯାଏ UPSCର ଏନେଇ ବୈଠକ ବସି ନାହିଁ। ରାଜ୍ୟ ସରକାର ଦେଇଥିବା ନାଁ ତାଲିକାରୁ ତିନି ଜଣଙ୍କ ନାମ ସୁପାରିସ କରିବେ UPSC। ସେଥିମଧ୍ୟରୁ ଜଣଙ୍କୁ ଡିଜିପି ଦାୟିତ୍ବ ଦେବେ ରାଜ୍ୟ ସରକାର। ସମ୍ଭାବ୍ୟ ଡିଜିପି ରେସରେ ଆଗରେ ଅଛନ୍ତି ୧୯୮୯ ବ୍ୟାଚ୍ ଆଇପିଏସ୍ ଅଫିସର ବି. ରାଧିକା । ସେହିପରି ପୋଲିସ ମହାନିର୍ଦ୍ଦେଶକ ରେସରେ ଅଛନ୍ତି ୧୯୮୯ ବ୍ୟାଚ୍ ଆଇପିଏସ୍ ଅଫିସର ଏ. ଏମ୍ ପ୍ରସାଦ । ସେ ଏବେ ଜେଲ ଡିଜି ଅଛନ୍ତି । ତାଙ୍କ କାର୍ଯ୍ୟକାଳ ୨୦୨୫ ଅଗଷ୍ଟରେ ସରୁଛି ।

ଏମାନଙ୍କ ବ୍ୟତୀତ ସମ୍ଭାବ୍ୟ ଡିଜିପି ଚର୍ଚ୍ଚାରେ ଆସୁଛନ୍ତି ୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ୱାଇ. ବି ଖୁରାନିଆ । ଏବେ ବିଏସଏଫ ଇଷ୍ଟର୍ଣ୍ଣ କମାଣ୍ଡର ସ୍ପେଶାଲ୍ ଡିଜି ଅଛନ୍ତି । ତାଙ୍କ କାର୍ଯ୍ୟକାଳ ୨୦୨୬ ମାର୍ଚ୍ଚରେ ସରୁଛି । ସେହିପରି ରେସରେ ଅଛନ୍ତି ୧୯୯୦ ବ୍ୟାଚର ଆଇପିଏସ ଅଫିସର ସୁଧାଂଶୁ ଷଡ଼ଙ୍ଗୀ । ତେବେ ଏମାନଙ୍କ ମଧ୍ୟରୁ କିଏ ହେବେ ପୂର୍ଣ୍ଣକାଳୀନ ଡିଜି ନା ନିର୍ବାଚନ ସରିବା ଯାଏ କାର୍ଯ୍ୟକାରୀ ଡିଜିପି ରହିବେ ତା ଉପରେ ନଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.