ପାରିବାରିକ କଳହର ଉଗ୍ର ରୂପ, ଗାଁ ଦାଣ୍ଡରେ ପିଟିପଟି ପୁତୁରାକୁ ହତ୍ୟା କଲା ଦାଦା

ପଟ୍ଟାମୁଣ୍ଡାଇ: ପାରିବାରିକ କଳହରୁ ପୁତୁରାକୁ ହତ୍ୟା କଲା ଦାଦା। ଗାଁ ଦାଣ୍ଡରେ ପିଟିପଟି ପୁତୁରାକୁ ହତ୍ୟା କରିଛି ଦାଦା। ଏଭଳି ଲୋମହର୍ଷକକାରୀ ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଥାନା ବକ୍ତାରପୁର ଗାଁରେ। ତ୍ରିଲୋଚନ ମହାଳିକ ଓ ତାଙ୍କ ଦାଦା ଶ୍ରାଧର ମହାଳିକଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ଗତ ରବିବାର ଏହା ଉଗ୍ର ରୂପ ଧାରଣ କରିଥିଲା। ତ୍ରିଲୋଚନଙ୍କୁ ଶ୍ରୀଧର ଓ ତାଙ୍କ ପରିବାର ଲୋକ ସଂଘବଦ୍ଧ ଭାବେ ଗାଁ ଦାଣ୍ଡରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତ୍ରିଲୋଚନଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ତ୍ରିଲୋଚନଙ୍କୁ ଆକ୍ରମଣ ନେଇ ତାଙ୍କ ପତ୍ନୀ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲା। ତେବେ ପୋଲିସ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ନିଷ୍କ୍ରିୟ ରହିଥିଲା। ସେପଟେ ଆଜି ତ୍ରିଲୋଚନଙ୍କୁ ଡାକ୍ତରଖାନାରୁ ଘରକୁ ଆଣିବା ପରେ ଶ୍ରୀଧରଙ୍କ ପରିବାର ପୁଣି ଥରେ ଆକ୍ରମଣ କରିଥିଲେ। ଏଥିରେ ତ୍ରିଲୋଚନଙ୍କର ମୃତ୍ୟୁ ଘଟିଛି। ପୋଲିସର ନିଷ୍କ୍ରିୟତା ନେଇ ତାଙ୍କ ସ୍ୱାମୀଙ୍କ ଜୀବନ ଚାଲିଗଲା ବୋଲି ଅଭିଯୋଗ କରିଛନ୍ତି ତ୍ରିଲୋଚନଙ୍କ ପତ୍ନୀ।