Below header

‘ଫନି’ ପ୍ରଭାବରେ ରାଜ୍ୟରେ ସମୁଦାୟ ୧୦୩୧ଟି ଡାକ୍ତରଖାନା କ୍ଷତିଗ୍ରସ୍ତ, ପୁରୀ ଜିଲ୍ଲାରେ ସର୍ବାଧିକ ୧୭୨ଟି ଡାକ୍ତରଖାନା

ଭୁବନେଶ୍ୱର : ‘ଫନି’ ପ୍ରଭାବରେ ରାଜ୍ୟରେ ସମୁଦାୟ ୧୦୩୧ଟି ଡାକ୍ତରଖାନା କ୍ଷତିଗ୍ରସ୍ତ ହୋଇଥିବାବେଳେ ପୁରୀ ଜିଲ୍ଲାରେ ସର୍ବାଧିକ ୧୭୨ଟି ଡାକ୍ତରଖାନା କ୍ଷତିଗ୍ରସ୍ତ ହୋଇଛି। ଗତକାଲି ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦାଙ୍କ ଅଧ୍ୟକ୍ଷତାରେ ବାତ୍ୟା ପରବର୍ତୀ ସ୍ୱାସ୍ଥ୍ୟସେବା ନେଇ ଆଲୋଚନା ହୋଇଥିଲା। ବାତ୍ୟାରେ ପ୍ରଭାବିତ ହୋଇଥିବା ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଯେପରି ସ୍ୱାସ୍ଥ୍ୟସେବା ତ୍ୱରାନ୍ୱିତ ହୋଇପାରିବ, ତାହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହାସହ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୨୮୧ଟି ଭ୍ରାମ୍ୟମାଣ ମେଡିକାଲ ଟିମ୍ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

କ୍ଷତିଗ୍ରସ୍ତ ଡାକ୍ତରଖାନାରେ ମୟୂରଭଞ୍ଜର ୧୩୨, ଖୋର୍ଧାର ୧୩୩, କେନ୍ଦ୍ରାପଡ଼ାରେ ୧୦୦, ଯାଜପୁରରେ ୧୧୧, ଜଗତସିଂହପୁରରେ ୯୯, କଟକରେ ୪୧, ଭଦ୍ରକରେ ୬୫ ଓ ବାଲେଶ୍ବର ଜିଲ୍ଲାରେ ୬୮ଟି ଡାକ୍ତରଖାନା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। କ୍ଷତିଗ୍ରସ୍ତ ଜିଲ୍ଲାରେ କାମ କରିବା ପାଇଁ ୫୬ ଡାକ୍ତରଙ୍କୁ ବାହାରୁ ଆଣି ମୁତୟନ କରାଯାଇଛି। ସେହିପରି ୧୩୫ ନର୍ସ ଓ କର୍ମଚାରୀଙ୍କୁ ମୁତୟନ କରାଯାଇଥିବା ବେଳେ ୩୭୪ ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ରହିଛି। ବାତ୍ୟା ପୂର୍ବରୁ ୧୨୩୯ଜଣ ଗର୍ଭବତୀଙ୍କୁ ହସ୍ପିଟାଲ ଓ ମା’ଗୃହକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବିଭିନ୍ନ ଗାଁରୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ରୋଗୀମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ୯୦୮୭ ଆଶାକର୍ମୀଙ୍କୁ ନିଯୁକ୍ତ କରାଯାଇଛି। ଲୋକଙ୍କୁ ସ୍ୱାସ୍ଥ୍ୟ ସଚେତନ କରିବା ପାଇଁ ସ୍ୱାସ୍ଥ୍ୟ ଶିକ୍ଷା ସୂଚନା ବ୍ୟବସ୍ଥାକୁ ବ୍ୟାପକ କରିବା ଲାଗି ନିର୍ଦେଶ ଦିଆଯାଇଛି। ବାତ୍ୟା ପରବର୍ତୀ ସ୍ୱାସ୍ଥ୍ୟସେବା ନେଇ ବିଭାଗ ପକ୍ଷରୁ ପ୍ରତିଦିନ ସମୀକ୍ଷା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.