ଫନି ପରେ ସ୍ଥିତି ସ୍ୱାଭାବିକ କରିବାକୁ ପ୍ରୟାସ, ଯୁଦ୍ଧକାଳିନ ଭିତ୍ତିରେ ଚାଲିଛି ପୁନଃନିର୍ମାଣ କାର୍ଯ୍ୟ

ଫନି ବାତ୍ୟାକୁ ବିତିଲାଣି ୪ ଦିନ । ଏବେ ବି ସବୁଠି ମାଳ ମାଳ ଦୁର୍ଦଶାର ଚିତ୍ର । ଅଚିହ୍ନା ଲାଗୁଛି ଆପଣାର ଭିଟା ମାଟି । ଧ୍ୱଂସାବଶେଷ ତଳେ ଭବିଷ୍ୟତ ଖୋଜୁଛନ୍ତି ବାତ୍ୟା ବିପନ୍ନ । କେବେ ସୁଧୁରିବ ସ୍ଥିତି ? ତାକୁ ହିଁ ଚାହିଁ ବସିଛନ୍ତି ସମସ୍ତେ । ଏବେ ବି ବାତ୍ୟା ପ୍ରଭାବିତ ଅଞ୍ଚଳରେ ନାହିଁ ବିଦ୍ୟୁତ ସେବା, ମିଳୁନି ପାଣି, ମୋବାଇଲ୍ ସେବା ବି ଠିକ୍ ଭାବେ ପହଞ୍ଚି ପାରୁନି । ଏବେ ବି ଡାର୍କ ସିଟି ହୋଇ ରହିଛି ସ୍ମାର୍ଟ ସିଟି । ଭୁବନେଶ୍ୱରରେ ଅଗ୍ନିଶମ ବିଭାଗର ୨୬୩ ଟିମ ଗଛକଟା କାମରେ ନିୟୋଜିତ ହୋଇଥିବା ବେଳେ ଆଜିଠୁ ମୋଟ ୩୫୦ଟି ଟିମ୍ କାର୍ଯ୍ୟରେ ଲାଗିବେ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫନି ପରବର୍ତୀ ସ୍ଥିତିକୁ ନେଇ ପାଞ୍ଚଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ମୁଖ୍ୟତଃ ବିଦ୍ୟୁତ ସରବରାହ ଓ ପାନୀୟ ଜଳ ଯୋଗାଣକୁ ସ୍ୱାଭାବିକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଭିଡିଓ କନଫରେନସିଂ ମାଧ୍ୟମରେ ହୋଇଥିବା ବୈଠକରେ ରିଲିଫ ବଣ୍ଟନକୁ ସୂଚାରୁ ରୂପେ ସମ୍ପର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ । ଆଜିଠୁ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାରେ ରିଲିଫ୍ ବଣ୍ଟନ କରାଯିବ ।

ତିନି ଦିନ ଭିତରେ ଏହି କାମ ଶେଷ ହେବ । ସେହିପରି ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ୫ଟି ପ୍ରାଇମେରୀ ସବଷ୍ଟେସନକୁ ଚାର୍ଜ କରାଯାଇଛି । ଏହି ଜାଗାଗୁଡ଼ିକ ହେଲା ୟୁନିଟ ୬, ସହିଦ ନଗର, ଗ୍ରୀଡକୋ କଲୋନି, ୟୁନିଟ-୮ ଓ ରସୁଲଗଡ଼ । ମଞ୍ଚେଶ୍ୱର ଓ ଚନ୍ଦକା ସବଷ୍ଟେସନରେ ଆଜି ବିଦ୍ୟୁତ ଚାର୍ଜ କରାଯିବ ବୋଲି ଶକ୍ତି ସଚିବ କହିଛନ୍ତି । ସେହିପରି ମେଡିକାଲ, ବିମାନବନ୍ଦର, ଜରୁରୀକାଳୀନ ସେବା ଓ ପାୱାର ଷ୍ଟେସନମାନଙ୍କୁ ଗତକାଲି ରାତି ସୁଦ୍ଧା ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇଛି । ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆଜି ଠାରୁ ପର୍ୟ୍ୟାୟ କ୍ରମେ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଚନ୍ଦକା ଓ ମଞେ୍ଚଶ୍ୱରର ୮ଟି ଟ୍ରାନସମିସନ ଟାୱାର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଗତକାଲି ୧୦ ପ୍ରତିଶତ ଉପଭୋକ୍ତାଙ୍କ ପାଖରେ ବିଜୁଳି ପହଞ୍ଚିଥିବା ବେଳେ ଆଜି ୨୫ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.