ରିଲିଫ୍ ବଣ୍ଟନରେ ଅବ୍ୟବସ୍ଥା, ପୁରୀ-କୋଣାର୍କ ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ବାତ୍ୟା ‘ଫନି’ ଚାରିଆଡ଼େ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ଏଭଳି ପରିସ୍ଥିତିରେ ରିଲିଫ୍ ବଣ୍ଟନରେ ଅବ୍ୟବସ୍ଥା ଚରମସୀମାରେ ପହଞ୍ଚିଛି। ଯାହା ଫଳରେ ବାତ୍ୟା ବିପନ୍ନଙ୍କ ଭିତର ଦେଖାଦେଇଛି ଅସନ୍ତୋଷ । ରିଲିଫ୍ ବଣ୍ଟନରେ ପ୍ରଶାସନିକ ଅବହେଳାକୁ ନେଇ ପୁରୀ ସହର ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଯାତାୟାତ ପାଇଁ ଲୋକେ ଘୋର ଦୁର୍ଦ୍ଦଶା ଭୋଗିଥିଲେ। ଗତକାଲି ରିଲିଫ୍ ପାଇଁ ବେଲଦଳ ଛକରେ ଉତ୍ତ୍ୟକ୍ତ ଲୋକେ ପୁରୀ-କୋଣାର୍କ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଘଣ୍ଟା ଘଣ୍ଟା ଧରି ରାସ୍ତାରୋକ ଫଳରେ ଶହ ଶହ ଗାଡ଼ି ରାସ୍ତାର ଦୁଇପାର୍ଶ୍ଵରେ ଅଟକି ରହିଥିଲା। କେବଳ ସେତିକି ନୁହେଁ, ଆମ୍ବୁଲାନ୍ସ, ଏନ୍‌ଡିଆରଏଫ୍ ଟିମଙ୍କୁ ବି କଲବଲ ହେବାକୁ ପଡ଼ିଥିଲା। ରିଲିଫ୍ ଯୋଗାଣ ନେଇ ପ୍ରଶାସନିକ ପ୍ରତିଶ୍ରୁତି ପରେ ଅବରୋଧ ହଟିଥିଲା।

ଅନ୍ୟପଟେ ଗତକାଲି ଅପରାହ୍ନରେ ପୁରୀ ଆଇଟିଆଇ ପରିସରରେ ଅଭାବନୀୟ ପରିସ୍ଥିତି ଉପୁଜିଛି। ଏଠାରେ ଖୋଲିଥିବା ଅସ୍ଥାୟୀ ରିଲିଫ୍ ଷ୍ଟକରୁମଠାରୁ ବାତ୍ୟା ବିପନ୍ନମାନେ ବଣ୍ଟାଯିବାକୁ ଥିବା ଜରିପାଲ ସବୁ ଲୁଟି ନେଇଛନ୍ତି। ଏହି ଷ୍ଟକରୁମରେ ପୁରୀ ସଦର ବ୍ଲକର ବିପନ୍ନଙ୍କ ପାଇଁ ଚାଉଳ, ଜରିପାଲ ଆଦି ରିଲିଫ୍ ସାମଗ୍ରୀ ମହଜୁଦ ରଖାଯାଇଥିଲା। ଅପରାହ୍ଣରେ ଏହା ବାଣ୍ଟିବାକୁ ସଦର ବ୍ଲକକୁ ଗାଡ଼ିରେ ଲଦି ନେବା ସମୟରେ ପେଣ୍ଠକଟା ବସ୍ତିର ବାତ୍ୟା ବିପନ୍ନମାନେ ହଠାତ୍ ସେଠାରେ ପହଞ୍ଚି ଜରିପାଲ ଲୁଟି ନେଇଥିଲେ। ପରେ ପୁଲିସ ସୁରକ୍ଷା ଉପସ୍ଥିତିରେ ରିଲିଫ୍ ସାମଗ୍ରୀ ସଦର ବ୍ଲକକୁ ପଠା ଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.