କାମ ଦେବା ବାହାନାରେ ନାବାଳିକାକୁ ଲକ୍ଷେ ଟଙ୍କାରେ ବିକି ଦେଲେ, ଅଭିଯୋଗ ପରେ ବନ୍ଧା ହେଲେ ୬ ଦଲାଲ

ଉମରକୋଟ(କେ.ନ୍ୟୁଜ): ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ଯକର ଘଟଣା। କାମ କରିବା ଓ ଅଧିକ ଉପାର୍ଜନ କରିବା ବାହାନାରେ ନାବାଳିକାଙ୍କୁ ଗାଁରୁ ଡାକି ନେଇ ବିକ୍ରି କରିଥିବା ଅଭିଯୋଗ କରିଛନ୍ତି ପରିବାର ସଦସ୍ଯ । ଉମରକୋଟ ଅଞ୍ଚଳର ଜଣେ ନାବାଳିକାକୁ ଘରୁ ଡାକି ନେଇ କାମ ଦେବା ବାହାନାରେ ଦିଲ୍ଲୀରେ ବିକ୍ରି କରିବା ଏବଂ ନାବାଳିକାର ଅନିଚ୍ଛା ସତ୍ତ୍ୱେ ଜଣେ ବ୍ଯକ୍ତିଙ୍କୁ ବାହା କରାଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି।
ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଅନ୍ଧାରୁ କମାରଙ୍କ ଝିଅକୁ ସେହି ଗାଁର ମଙ୍ଗଳ ସିଂ ହରିଜନ ଓ ମନିତା କମାର ମିଶି କାମ କରିବାକୁ ଯିବା କହି ୦୮/୦୮/୨୦ ରିଖ ସନ୍ଧ୍ୟାରେ ଘରୁ ଡାକି ନେଇଥିଲେ। ପୀଡ଼ିତାଙ୍କ ଗାଁ ଠାରୁ କିଛି ଦୂରରେ ଏକ ଛକ ଯାଏଁ ନେଇ ତାଙ୍କୁ ଛାଡିଥିଲେ। ପରେ ଝରିଗାଁ ବ୍ଲକ ବାଗଡିଆଁ ଗ୍ରାମର ପର୍ଶୁ ସାନ୍ତା ଓ ମନିତା ନବରଙ୍ଗପୁର ଯାଏଁ ନିଜ କାରରେ ନେଇ ତଟା ସାହିରେ ନିର୍ମଳା ସୁନା, ବାସନ୍ତୀ ସୁନା, ଯମୁନା ନାଗ ନାମ୍ନୀ ମହିଳାଙ୍କୁ ହସ୍ତାନ୍ତର କରିଥିଲେ। ସେଠାରେ ଝିଅକୁ ତିନି ମାସ କାମ କରାଇଥିଲେ।ଏହି ସମୟରେ ତାକୁ ଘର ଲୋକଙ୍କ ସହିତ ଯୋଗାଯୋଗ କରିବାକୁ ଦେଉନଥିଲେ।
କିଛିଦିନ ସେଠାରେ କାମ କରିବା ପରେ ନିର୍ମଳା, ବାସନ୍ତୀ ଓ ସୁଶୀଳା ମିଶି ତାକୁ ଦିଲ୍ଲୀ ନେଇ ଯାଇଥିଲେ ଏବଂ ସେଠାରେ ଜଣେ ଅଜଣା ବ୍ଯକ୍ତିଙ୍କ ସହ ବିବାହ କରାଇ ଦେଇଥିଲେ । ସେହି ବ୍ଯକ୍ତିଙ୍କ ଠାରୁ ଏକ ଲକ୍ଷ ଟଙ୍କା ଆଣି ଜଣେ ମହିଳା ଦିଲ୍ଲୀରେ ରହିଲେ ଓ ଅନ୍ଯ ଦୁଇଜଣ ନବରଙ୍ଗପୁର ଫେରି ଆସିଥିଲେ। କିଛିଦିନ ସେଠାରେ ରହିବା ପରେ ଝିଅଟି କୌଶଳ କ୍ରମେ ସେଠାରୁ ବାହାରି ଆସି ରବିବାର ଦିନ ଉମରକୋଟରେ ପହଞ୍ଚି ଥିଲା। ନାବାଳିକା ଉମରକୋଟ ଆସିଥିବା ଖବର ପାଇ ନିର୍ମଳା ଓ ତାଙ୍କ ସହଯୋଗୀମାନେ ପୁଣି ଥରେ ତାକୁ ନେବା ପାଇଁ ଗାଁରେ ପହଞ୍ଚି ଥିଲେ। କିନ୍ତୁ ଝିଅ ଯିବା ପାଇଁ ରୋକଠୋକ ମନା କରିଦେଲା।
ଏଣୁ ମହିଳା ଦଲାଲମାନେ ତାକୁ ୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା କଥା କହିଥିଲେ ଏବଂ ପରିବାରକୁ ମଧ୍ୟ ଜଣାଇଥିଲେ। ଏଥିସହ ନାବାଳିକାଙ୍କୁ ଦିଲ୍ଲୀ ଫେରାଇ ନେବାକୁ ଜିଦ ଧରି ବସିଥିଲେ। ତେଣୁ ବାଧ୍ୟ ହୋଇ ପରିବାର ଲୋକେ ପୋଲିସର ସାହାଯ୍ଯ ଲୋଡ଼ିଥିଲେ ଓ ଏକ ଏତଲା ଦେଇଥିଲେ । ଉମରକୋଟ ପୋଲିସ କେସ ନମ୍ବର ୧୨୦/୨୧ ମାମଲା ରୁଜୁ କରି ୪ ଜଣ ମହିଳା ସମେତ ମୋଟ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।