ଫାଇଭ୍ ଏମ୍କୁ ଆଖିରେ ରଖି ଆଗକୁ ବଢୁଛି ବିଜେଡି !

ଭୁବନେଶ୍ବର : ଫାଇଭ୍ ଏମ୍ ବା ୫ଟି ଏମ୍ । ମହାନଦୀ, ମନ୍ସୁନ୍ ବା ମୌସୁମୀ, ମହାପ୍ରଭୁ, ମୋଦି ଏବଂ ମେଣ୍ଟେନାନ୍ସ ଅଫ୍ ଲ’ ଆଣ୍ଡ ଅର୍ଡର ବା ଆଇନଶୃଙ୍ଖଳା ରକ୍ଷା । ଏହି ଫାଇଭ୍ ଏମ୍ ରାଜ୍ୟ ରାଜନୀତିରେ ବଡ଼ ଫ୍ୟାକ୍ଟର । ମହାନଦୀ ମିଶନରେ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ସବୁ କୌଶଳ ଠିକ୍ ଚାଲିଛି । ଏବେ ଆରମ୍ଭ ହୋଇଛି ସବୁଜ ମହାନଦୀ ମିଶନ । ଖର୍ଚ୍ଚ ହେବ ୫ ଶହ କୋଟି ଟଙ୍କା। ସେପଟେ ବର୍ତ୍ତମାନ ପର୍ୟ୍ୟନ୍ତ ଭଲ ବର୍ଷା ହୋଇଛି । ଭଲ ଫସଲ ହେଲେ ଚାଷୀ ସନ୍ତୁଷ୍ଟ ହେବେ । ଯାହା ସରକାରଙ୍କୁ ସୁହାଇବ ।
ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ରଥଯାତ୍ରା ଶେଷ କରିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଥିଲା । କାରଣ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିବାଦ ଘେରକୁ ଆସିଥିଲା ଶ୍ରୀମନ୍ଦିର ପ୍ରଶାସନ । ମୁଖ୍ୟ ପ୍ରଶାସକ ବଦଳିଲେ । ପରେ ରଥଯାତ୍ରାର ସବୁ ନୀତିକାନ୍ତି ସୁରୁଖୁରୁରେ ସରିଛି ।
ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସଠିକ୍ ଭାବେ ପରିଚାଳନା କରିବା ରାଜ୍ୟ ସରକାରଙ୍କ ପାଇଁ ବଡ ଆହ୍ଵାନ । ଏବେ ମାଓବାଦୀ ଦମନ ପାଇଁ ବେଶ୍ ସହାୟକ ହେବ ଗୁରୁପ୍ରିୟା ସେତୁ । ସେତୁର ଉଦ୍ଘାଟନ ସରିଛି । ଦୂର ହୋଇଛି ବିଚ୍ଛିନ୍ନାଞ୍ଚଳର ଦୁଃଖ । ତେବେ ନିର୍ବାଚନ ପାଇଁ ମୋଦି ଆଉ ଏକ ଫ୍ୟାକ୍ଟର । ମୋଦିଙ୍କ ସହ ବିଜେଡିର ସଂପର୍କକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ଲୋକସଭାରେ ଅନାସ୍ଥା ଆଲୋଚନାରେ ବିଜେଡି କକ୍ଷ ତ୍ୟାଗ କରି ସମସ୍ତଙ୍କୁ ଚକିତ କରିଥିଲା। ଏହି ପଦକ୍ଷେପ ନେଇ ବିଜେଡି ଭବିଷ୍ୟତ ପାଇଁ ସବୁ ବିକଳ୍ପ ଖୋଲା ରଖିଛି
୧୯ ନିର୍ବାଚନରେ ଏହି ଫାଇଭ୍ ଏମ୍ ନିର୍ଣ୍ଣାୟକ ଭୂମିକା ନେବ । ବର୍ତ୍ତମାନ ପର୍ୟ୍ୟନ୍ତ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇନି ବିଜେଡି । କିନ୍ତୁ ଆଗକୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ।