Below header

୧୯’ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ପସିସି ସଭାପତିଙ୍କ ପୁଅ, ହୋଇପାରନ୍ତି ବାଲେଶ୍ୱର ଲୋକସଭା ପ୍ରାର୍ଥୀ

ବାଲେଶ୍ୱର : ଏଥର ବାଲେଶ୍ୱର ଲୋକସଭା ଆସନରେ ହେବ ବିଗ୍‌ ଫାଇଟ୍‌ । ଏବେଠୁ ମିଳିଲାଣି ଆଭାସ । ଯଦିଓ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଚୂଡ଼ାନ୍ତ କରିନାହାନ୍ତି କିନ୍ତୁ କାହାକୁ ମଇଦାନରେ ଲଢ଼େଇ କରିବେ ତାହା ଆପାତତଃ ଚୂଡ଼ାନ୍ତ ହୋଇସାରିଛି । ଏଥର ସିଧା ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ପିସିସି ସଭାପତି ନିରଞ୍ଜନଙ୍କ ପୁଅ ନବଜ୍ୟୋତିି ଓରଫ ସୁଲିଆ ପଟ୍ଟନାୟକ । ବାଲେଶ୍ୱର ଲୋକସଭା ଆସନରୁ ସେ କଂଗ୍ରେସ ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ଚର୍ଚ୍ଚା ଜୋର ଧରିଛି । ସେପଟେ ଗତଥର କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବେ ଦଳରୁ ଆଉଟ । ତେଣୁ ନବଜ୍ୟୋତିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହେବନାହିଁ ବୋଲି କୁହାଯାଉଛି। ଦଳୀୟ ପ୍ରାର୍ଥୀ ନେଇ ଖୁବଶୀଘ୍ର ଘୋଷଣା ହେବ ବୋଲି ପିସିସି ସଭାପତି କହିଛନ୍ତି।

ଏଥର ବାଲେଶ୍ୱର ଲୋକସଭା ଆସନରୁ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କ ପ୍ରାର୍ଥିତ୍ୱ ସମ୍ଭାବନା ଅଧିକ । କିନ୍ତୁ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିକୁ ନେଇ ମଧ୍ୟ ଦଳ ଅଙ୍କ କଷୁଛି । ସେପଟେ ଗତଥର ପ୍ରାର୍ଥୀ ହୋଇଥିବା ବିଜେପିର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀଙ୍କୁ ଦଳ ଏଥର ନୀଳଗିରି ବିଧାନସଭା ଆସନରୁ ନିର୍ବାଚନ ଲଢେଇପାରେ । ତେଣୁ ବାଲେଶ୍ୱର ଆସନ ପାଇଁ ନୂଆ ମୁହଁ ସନ୍ଧାନରେ ରହିଛି ଦଳ । ଲେଖାଶ୍ରୀ ସାମନ୍ତରାୟଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି।

ପ୍ରତି ନିର୍ବାଚନରେ ବଦଳିଛି ବାଲେଶ୍ୱର ଲୋକସଭା କ୍ଷେତ୍ରର ଚିତ୍ର । ୨୦୦୯ ପୂର୍ବରୁ ଖାରବେଳ ସ୍ୱାଇଁ ବିଜେପି ପ୍ରାର୍ଥୀ ଭାବେ ବାଲେଶ୍ୱର ଆସନରେ ଜିତି ଆସୁଥିଲେ। ୨୦୦୯ରେ ଏହି ଆସନରେ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ ଶ୍ରୀକାନ୍ତ ଜେନା। ପରେ ୨୦୧୪ରେ ବିଜୟୀ ହୋଇଥିଲେ ବିଜେଡିର ରବୀନ୍ଦ୍ର ଜେନା। ଏଥର ଏହି ଆସନରେ ବାଜିମାତ୍‌ କରିବା ପାଇଁ ତିନି ପ୍ରମୁଖ ଦଳ ଆରମ୍ଭ କରିଦେଇଛନ୍ତି ରଣନୀତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.