ଫିଲ୍ମ ଷ୍ଟାଇଲରେ ନୟାଗଡ଼ରୁ ଯୁବତୀଙ୍କୁ କିଡନାପ୍ ଘଟଣା: ଧରା ପଡିଲେ ୩ ଅଭିଯୁକ୍ତ
ନୟାଗଡ଼(କେନ୍ୟୁଜ୍): ଫିଲ୍ମ ଷ୍ଟାଇଲରେ ଆସିଲେ ଓ ଜଣେ ଯୁବତୀଙ୍କୁ ଅପହରଣ କରି ନେଇଗଲେ । ନୟାଗଡ଼ ଟାଉନ ଥାନା ସିନ୍ଦୁରିଆ ଅଞ୍ଚଳର ଦୁଇଜଣ ଯୁବତୀ ଘରକୁ ଫେରୁଥିବା ବେଳେ ଏକ କାରରେ ତିନି ଜଣ ଯୁବକ ଆସି ସେମାନଙ୍କୁ ଛୁରୀ ଦେଖାଇ ଜଣେ ଯୁବତୀଙ୍କୁ ଅପହରଣ କରିନେବାରେ ସଫଳ ହୋଇଥିଲେ । ପରେ ସିସି ଟିଭି ଫୁଟେଜକୁ ଆଧାର କରି ଟାଉନ ଥାନା ପୋଲିସ ବିଭିନ ସ୍ଥାନରେ ଚଢ଼ାଉ କରି ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ ।
ଧରା ପଡିଥିବା ତିନି ଯୁବକ ହେଲେ, ଗଂଜାମ ଜିଲ୍ଲା ଧରାକୋଟ ଅଞ୍ଚଳର ଜମିର ଖାଁ, ଗୋଷାଣି ନୂଆଗାଁ ଥାନା ଅଞ୍ଚଳର ସୁକାନ୍ତ କୁମାର ରାଉତରାୟ ଓ କଳାହାଣ୍ଡି ଜିଲ୍ଲା ପରମାନନ୍ଦପୁର ଗାଁର ଦିନେଶ ବିନ୍ଧାଣି । ପୋଲିସ ସେମାନଙ୍କ ନିକଟରୁ ଏକ ଭୁଜାଲି ଏବଂ କାର ଜବତ କରିଛି । ତେବେ କେଉଁ କାରଣରୁ ସେମାନେ ଯୁବତୀଙ୍କୁ ଅପହରଣ କରିଥିଲେ ଜଣା ପଡି ନାହିଁ । ପୋଲିସ ତିନି ଯୁବକଙ୍କୁ ଜେଲ ହଜାତକୁ ପଠେଇଛି ।