ୟସ୍‌ ବାତ୍ୟାର ଭୟାବହତା ଭିତରେ ଖୁସିର ଖବର, ଜନ୍ମ ନେଲା ଶିଶୁକନ୍ୟା ‘ୟଶ୍‌’

ରାଜନଗର (କେନ୍ୟୁଜ୍‌) : ଚାଲିଯାଇଛି ବାତ୍ୟା ୟସ। ତେବେ ତାରି କଷ୍ଟ ଆଉ ଯନ୍ତ୍ରଣା ଭିତରେ ଆସିଛି ଏକ ଖୁସି ଖବର । ବାତ୍ୟା ସମୟରେ କେନ୍ଦ୍ରାପଡ଼ା ତାଳଚୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ୍ମ ନେଇଛି ଏକ ଶିଶୁ ସନ୍ତାନ । ୟସର ମୁକବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆସନ୍ନ ପ୍ରସବାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣି ରଖାଯାଇଥିଲା। ଗତକାଲି ବାତ୍ୟାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଶିଶୁକନ୍ୟା ଜନ୍ମଗ୍ରହଣ କରିଥିଲେ।

ତାଳଚୁଆ ଥାନା ଅନ୍ତର୍ଗତ ରଂଗଣି ପଞ୍ଚାୟତ ହରିଣପୋଖରୀ ଗାଁର ସରସ୍ୱତୀ ବୈରାଗୀଙ୍କ ଏକ ଶିଶୁକନ୍ୟା ଜନ୍ମଗ୍ରହଣ କରିଛି । ସରସ୍ୱତୀ ଓ ତାଙ୍କ ସ୍ୱାମୀ ସୌମ୍ୟରଞ୍ଜନ ବୈରାଗୀ ଶିଶୁ କନ୍ୟାଟି ଜନ୍ମ ହୋଇଥିବାରୁ ଭାରି ଖୁସି । ସେମାନେ ତାର ନାମ ଏହି ବାତ୍ୟାର ନାଁ ଅନୁସାରେ ରଖିଛନ୍ତି ‘ୟସ’ । ଏହି ଶିଶୁକନ୍ୟାର ଜନ୍ମରେ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଓ ପରିବାର ଖୁବ୍‌ ଖୁସି ଅଛନ୍ତି।