ନାଳରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର , ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି

କେନ୍ଦୁଝର (କେନ୍ୟୁଜ): ‘କଥାରେ ଅଛି ରଖେ ହରି ମାରେ କିଏ’। ବ୍ୟାଗ ଭିତରେ ୬ ଘଣ୍ଟା ସଂଘର୍ଷ ପରେ ନବଜାତକ ଶିଶୁ ଉଦ୍ଧାର । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ହରିଚନ୍ଦନପୁର ବ୍ଲକ ଗୋପିନାଥପୁର ଗ୍ରାମ ନିକଟସ୍ଥ ନାଳରୁ। ଏକ ନବଜାତକକୁ ବ୍ୟାଗ ଭିତରୁ ପ୍ରାୟ ୬ ଘଣ୍ଟା ପରେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଶିଶୁପୁତ୍ରକୁ କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ହରିଚନ୍ଦନପୁର ବ୍ଳକ ଗୋପିନାଥପୁର ଗ୍ରାମରୁ ଜଙ୍ଗଲ ପଟକୁ ଯାଇଥିବା ରାସ୍ତାର ନାଳ ନିକଟରେ ଏକ ନବଜାତକର କଅଁଳ ଶିଶୁ ଡାକ ଶୁଣି ଲୋକମାନେ ନାଳ ନିକଟରେ ଏକାଠି ହୋଇଥିଲେ । କିନ୍ତୁ ନାଳ ଭିତରୁ କେହି ଶିଶୁକୁ ଉଦ୍ଧାର କରିବା ପାଇଁ ସାହସ କରି ନଥିବା ବେଳେ ସ୍ଥାନୀୟ ଯୁବକ ଶୈଳେନ୍ଦ୍ର ମୁଣ୍ଡା ନାଳ ଭିତରେ ପଶି ନବଜାତକ ଶିଶୁ ଟିକୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଆଶାକର୍ମୀ ତପସ୍ବିନୀ ମହାନ୍ତ , ଅଙ୍ଗନବାଡି କର୍ମୀ ଦ୍ରୌପଦୀ ମୁଣ୍ଡା ଆଣ୍ଠୁଏ ପାଣିରେ ନାଳ ଦେଇ ନବଜାତକଙ୍କ କଅଁଳ ଡାକ ନିକଟରେ ପହଞ୍ଚିଥିଲେ । ଏକ ପ୍ଲାଷ୍ଟିକ ବ୍ୟାଗ୍ ଭିତରେ ଶିଶୁଟି ପଦାକୁ ଆସିବାକୁ ସଂଘର୍ଷ ଚଳାଇଥିବା ବେଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରହିଥିଲା । ଶୈଳେନ୍ଦ୍ର ଓ ଅନ୍ୟମନେ ବ୍ୟାଗ୍ ସହିତ ଶିଶୁକୁ ସେଠାରୁ ଉଦ୍ଧାର କରିଥିଲେ ।

ଏଥିନେଇ ସେମାନେ ଚାଇଲ୍ଡଲାଇନ୍ ଟୋଲ ଫ୍ରି ନମ୍ବରକୁ ଯୋଗାଯୋଗ କରିଥିଲେ । ଶିଶୁକୁ କେନ୍ଦୁଝର ଡାକ୍ତରଖାନା ଆଣିବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ମାତ୍ର ଦୁର୍ଭାଗ୍ୟକୁ ଆମ୍ବୁଲାନ୍ସ ମିଳିନଥିଲା । ଫଳରେ ଉଦ୍ଧାର କରିଥିବା ଯୁବକ ଜଣଙ୍କ ନିଜର କାରକୁ ବାହାର କରି ଶିଶୁକୁ ଆଣି କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଶିଶୁ ଟିର ଅବସ୍ଥାର ଏବେ ଭଲ ଥିବା ସିଡିଏମଓ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.