Below header

ରହସ୍ୟରେ ରବୀନ୍ଦ୍ରଙ୍କ ମୃତ୍ୟୁ ମାମଲା : ସାମ୍ନାକୁ ଆସିଲା ଆଉ ଏକ ସିସିଟିଭି ଫୁଟେଜ୍

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରେ କେଉଁ ପରିସ୍ଥିତିରେ ଡାକ୍ତର ରବୀନ୍ଦ୍ର ରଥଙ୍କ ମୃତ୍ୟୁ ଘଟିଲା ? ଏହାକୁ ନେଇ ରେଳବାଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସାମ୍‌ନାକୁ ଆସିଛି ଆଉ ଏକ ସିସିଟିଭି ଫୁଟେଜ୍‌ । ଯେଉଁଥିରେ ଦେଖାଯାଇଛି, ଡାକ୍ତର ରବୀନ୍ଦ୍ର ଶୁକ୍ରବାର କ୍ଲିନିକ୍‌ ବନ୍ଦ କରି ଏକ ଅଟୋରେ ବସି କେଉଁଆଡ଼େ ଗଲେ ।

ଶୁକ୍ରବାର ସମୟ ରାତି-୯ଟା ୧୧ ମିନିଟ୍‌ । ଭୁବନେଶ୍ୱର ସାମନ୍ତରାପୁର ସ୍ଥିତ ନିଜ କି୍ଲନିକ୍‌ରୁ ବାହାରିଥିଲେ ଡାକ୍ତର ରବୀନ୍ଦ୍ର ରଥ । ସମୟ ରାତି-୯ଟା ୧୪ । କ୍ଲିନିକ ପାଖରେ ଆସି ପହଞ୍ଚିଲା ଏକ ଅଟୋ । ସେଥିରେ ବସିଥିଲେ ଦୁଇ ଜଣ ବ୍ୟକ୍ତି । ଆଉ ସେହି ଅଟୋରେ ଗଲେ ରବୀନ୍ଦ୍ର । ସମୟ ରାତି-୧୧ଟା ୪୫ । ଭୁବନେଶ୍ୱର ରେଳଷ୍ଟେସନ ପ୍ଲାଟଫର୍ମ-୧ରେ ବୁଲୁଥିଲେ । ତିନିଟି ସିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ହୋଇଛି  ଯେ, ରବୀନ୍ଦ୍ର ଏକୁଟିଆ କ୍ଲିନିକ୍‌ରୁ ବାହାରି ରେଳ ଷ୍ଟେସନ ଯାଇଥିଲେ । କିନ୍ତୁ ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି, କ୍ଲିନିକ୍‌ରୁ ବାହାରିବା ବେଳେ ଖୁବ୍‌ ବ୍ୟସ୍ତ ବିବ୍ରତ ଲାଗୁଥିଲେ ରବୀନ୍ଦ୍ର । ତାଙ୍କୁ ଯୋଜନାବଦଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ରେଳବାଇ ପୋଲିସ କହୁଛି, ଏକ ନମ୍ବର ପ୍ଲାଟଫର୍ମରୁ ଡାକ୍ତର ରବୀନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସିସିଟିଭି ଫୁଟେଜର ଅନୁଧ୍ୟାନ ଚାଲିଛି । ପରିବାର ଲୋକଙ୍କ ଅଭିଯୋଗକୁ ନେଇ ତଦନ୍ତ ବି କରାଯାଉଛି ।

ପ୍ଲାଟଫର୍ମରେ ରବୀନ୍ଦ୍ରଙ୍କ ମୃତଦେହ ଉଦ୍ଧାର ସ୍ଥାନ ନିକଟରେ ସିସିଟିଭି ବି ନାହିଁ । ସେହିପରି ତାଙ୍କ ମୋବାଇଲ ଫୋନ୍‌ରୁ କଲ୍‌ ଡାଟା ବି ଡିଲିଟ୍‌ ହୋଇଯାଇଛି । ପ୍ରଶ୍ନ ଉଠୁଛି କାହିଁକି ରେଳ ଷ୍ଟେସନ ଯାଇଥିଲେ ରବୀନ୍ଦ୍ର ? କେହି ତାଙ୍କୁ ଡାକିଥିଲେ କି ? ଯଦି ଯୋଜନାବଦ୍ଧ ହତ୍ୟା, କିଏ ଓ କାହିଁକି ମାରିଲା ? କିଏ ଡିଲିଟ୍‌ କଲା କଲ୍‌ ହିଷ୍ଟ୍ରି ? ଏ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ମୃତ୍ୟୁ ରହସ୍ୟ ଘେରରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.