ଏସୀୟ କ୍ରୀଡାରେ ଚମକିଲେ ଦୌଡରାଣୀ : ୧୦୦ ମିଟର ଦୌଡରେ ରୌପ୍ୟ ପଦକ ହାସଲ କଲେ ଦୂତୀ ଚାନ୍ଦ

ଜାକର୍ତ୍ତା : ସୁପର ସନ୍ଡେରେ ସୁପର୍ ସୋ । ଏସୀୟ କ୍ରୀଡ଼ାରେ ଚମକିଲେ ଓଡ଼ିଶାର ଦୌଡ଼ରାଣୀ ତଥା କିଟ୍ ଛାତ୍ରୀ ଦୂତୀ ଚାନ୍ଦ । ୧୦୦ ମିଟର ଫାଇନାଲ୍ରେ ରୌପ୍ୟ ପଦକ ହାସଲ କରିଛନ୍ତି । ୧୧ .୩୨ ସେକେଣ୍ଡରେ ଏହି ସଫଳତା ହାସଲ କରିଛନ୍ତି ଦୂତୀ । ତେବେ ଚଳିତ ଏସୀୟାନ ଗେମ୍ସରେ ପ୍ରଥମ ଓଡିଆ ଭାବେ ରୌପ୍ୟ ପଦକ ଜିତି ଓଡିଶାକୁ ଗର୍ବିତ କରିଛନ୍ତି ଦୂତୀ ।
ସଫଳତା ପରେ ଦୂତୀଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦୂତୀ ଚାନ୍ଦଙ୍କ ସଫଳତାରେ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଟ୍ଵିଟ୍ କରି ରାଜ୍ୟପାଳ ଭବିଷ୍ୟତରେ ଅଧିକ ସଫଳତା ଆଣିବାକୁ କହିଛନ୍ତି । ସେହିପରି ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ଲେଖିଛନ୍ତି, ଦୂତୀଙ୍କ ସଫଳତାରେ ରାଜ୍ୟ ତଥା ଦେଶ ଗର୍ବିତ । ସେହିପରି ଦୂତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତ । ସେ ଲେଖିଛନ୍ତି, ମୋ ପ୍ରିୟ କିଟ୍ ଛାତ୍ରୀ । ଆଗକୁ ଏଭଳି ଚମତ୍କାର ପ୍ରଦର୍ଶନ ଜାରି ରଖ।
ବିବାଦୀୟ କାରଣକୁ ଗତ ଏସୀୟ କ୍ରୀଡାରୁ ବାଦ ପଡ଼ିଥିଲେ । ଦୂତୀ ଏବେ କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ । ଗତକାଲି ଯୋଗ୍ୟତା ପର୍ୟ୍ୟାୟ ଓ ଆଜି ସେମିଫାଇନାଲ୍ ମୁକାବିଲାରେ ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲ୍ରେ ସ୍ଥାନ ପକ୍କା କରିଥିଲେ ଦୂତୀ । ମହିଳା ଶହେ ମିଟର ଦୌଡରେ ବାହାରିନ୍ ଆଥଲେଟ୍ ଓଡିଙ୍ଗୋ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ୱେୟି ୟଙ୍ଗଲି ହାସଲ କରିଛନ୍ତି ବ୍ରୋଞ୍ଜ ପଦକ ।
ଅନ୍ୟପଟେ ୪୦୦ ମିଟର ମହିଳା ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ହିମା ଦାସ । ହିମା ଫାଇନାଲରେ ମାତ୍ର ୫୦.୭୯ ସେକେଣ୍ଡରେ ୪୦୦ ମିଟର ଅତିକ୍ରମ କରିଥିଲେ । ମହମ୍ମଦ ଅନସ ୟାହିଆ ୪୦୦ ମିଟର ପୁରୁଷ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି । ଏହାସହ ଭାରତ ୭ଟି ସ୍ୱର୍ଣ୍ଣ ସହ ମୋଟ ୩୬ ପଦକ ପାଇ ପଦକ ତାଲିକାର ୯ମ ସ୍ଥାନରେ ପହଞ୍ଚିଛି ।