ଜଗତସିଂହପୁରର ନର୍ସ ନିହାରିକା ପାତ୍ର ହତ୍ୟା ଘଟଣା, ଅଭିଯୁକ୍ତ ପାଖରେ ପହଞ୍ଚି ପାରୁନି ପୋଲିସ୍

ଜଗତସିଂହପୁର: ଜଗତସିଂହପୁରରେ ନର୍ସ ନିହାରିକା ପାତ୍ର ହତ୍ୟାକାଣ୍ଡକୁ ନେଇ ବଢୁଛି ସସପେନ୍ସ। ମୃତଦେହ ଠାବକୁ ତିନି ଦିନ ବିତିଲାଣି। ତଥାପି ହତ୍ୟାକାରୀ ପାଖରେ ପହଞ୍ଚି ପାରିନି ପୋଲିସ । ନିହାରିକାଙ୍କ ବୟଫ୍ରେଣ୍ଡ ରାଜା ଉପରେ ସନ୍ଦେହ ବଢ଼ିଛି । ସେ ଏବେ ଫେରାର୍‌ ଅଛି। ଗତ ୧୩ ତାରିଖରୁ ତାର କୌଣସି ଖୋଜଖବର ନାହିଁ। ରାଜାକୁ ଧରିବା ପାଇଁ ତନାଘନା ଚଳାଇଛି ପୋଲିସ। ସେ ନିହାରିକାଙ୍କୁ ପ୍ରେମ କରୁଥିଲା। ପରିବାର ଲୋକ ଅଭିଯୋଗ କରିଛନ୍ତି, ରାଜା ତାଙ୍କ ଝିଅକୁ ହତ୍ୟା କରି ନଦୀରେ ଫିଙ୍ଗି ଦେଇଛି। ସେପଟେ ନିହାରିକା କାମ କରୁଥିବା ନର୍ସିଂହୋମ୍‌ର ସିସିଟିଭି ଫୁଟେଜ୍‌ ବି ସାମନାକୁ ଆସିଛି। ନିହାରିକାଙ୍କୁ ମୃତ୍ୟୁ ପ୍ରଶ୍ନବାଚୀର ଅନେକ ପାହାଡ଼ ଠିଆ କରିଛି। କାହିଁକି ତାଙ୍କୁ ହତ୍ୟା କରାଗଲା? କେଉଁଠି ହତ୍ୟା କରାଗଲା? ବିଲୁଆଖାଇ ନଦୀ ପଠାକୁ କେମିତି ଆସିଲା ମୃତଦେହ। ନିହାରିକାଙ୍କ କଲ୍‌ ଡିଟେଲ୍ସ ରିପୋର୍ଟର ବି ତନାଘନା ଚାଲିଛି। ଶେଷ ଥର କାହା ସହ କଥା ହୋଇଥିଲେ ନିହାରିକା? ମୋବାଇଲ୍‌ ଫୋନ୍‌ କୁଆଡ଼େ ଗଲା? ପୋଷ୍ଟମର୍ଟମ ଓ ଡିଏନ୍‌ଏ ଟେଷ୍ଟ ରିପୋର୍ଟକୁ ବି ଅପେକ୍ଷା କରିଛି ପୋଲିସ। ଖୁବଶୀଘ୍ର ନିହାରିକା ମର୍ଡର ମିଷ୍ଟ୍ରି ଉପରୁ ପରଦା ହଟାଇବାକୁ ପୋଲିସ ତଦନ୍ତକୁ ତ୍ୱରାନ୍ଵିତ କରିଛି।