Below header

ଏକ ପାଖିଆ ହେଲା ଓସିଏ ନିର୍ବାଚନ: କେବଳ ଅପେକ୍ଷା ନିର୍ବାଚନ ଅଧିକାରୀଙ୍କ ଆନୁଷ୍ଠାନିକ ଘୋଷଣାକୁ

କଟକ(କେନ୍ୟୁଜ୍): ଓସିଏରେ ରହିଲା ଆର୍ଶୀବାଦ ବେହେରାଙ୍କ ଦବଦବା। ସରିଲା ପ୍ରାର୍ଥୀପତ୍ର ଦାଖଲ। ବାକି ରହିଲା ଔପଚାରିକ ଘୋଷଣା। ଓସିଏର ସଭାପତି ହେବେ ପ୍ରଣବ ପ୍ରକାଶ ଦାସ। କୌଣସି ପଦବୀରେ ନାହାନ୍ତି ଏକାଧିକ ପ୍ରାର୍ଥୀ। ପଙ୍କଜ ଲୋଚନ ମହାନ୍ତି ଉପ ସଭାପତି। ଏବେ ସେ ସଭାପତି ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ। ସଞ୍ଜୟ ବେହେରା ପୁଣି ହେବେ ଓସିଏ ସମ୍ପାଦକ। କୋଷାଧ୍ୟକ୍ଷ ହେବେ ଖୋର୍ଦ୍ଧାର ବିକାଶ ଚନ୍ଦ୍ର ପ୍ରଧାନ।ସେ ଚଳିତ ଟର୍ମରେ କୋଷାଧ୍ୟକ୍ଷ ଦାୟିତ୍ୱ ତୁଲାଇଛନ୍ତି। ଯୁଗ୍ମ ସମ୍ପାଦକ ହେବେ ସୁନ୍ଦରଗଡ଼ର ପ୍ରଭାତ କୁମାର ଭୋଳ। ଆପେକ୍ସ କାଉନସିଲ ସଦସ୍ୟ ହେବେ ଅନୁଗୁଳର ପ୍ରତାପ ଚନ୍ଦ୍ର ପ୍ରଧାନ।

ଓଡିଶା କ୍ରିକେଟ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ପୂର୍ବାହ୍ନ ୧୦:୩୦ ରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ପ୍ରକ୍ରିୟା। ଓସିଏ ସମ୍ମିଳନୀ କକ୍ଷ-୨ ରେ ନିର୍ବାଚନ ଅଧିକାରୀ ଏମ ଏଲ ମଜୁମଦାରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଭିନ୍ନ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ। ସଭାପତି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଦୁଇ ସେଟ ପ୍ରାର୍ଥୀପତ୍ର ଦାଖଲ ହୋଇଛି। ଓସିଏ ନିର୍ବାଚନ ନେଇ ଆସନ୍ତାକାଲି ଅଭିଯୋଗ ଗ୍ରହଣ ପରେ, ୨୩ ତାରିଖରେ ଅନୁଷ୍ଠିତ ହେବ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପ୍ରକ୍ରିୟା।

ଏହାପରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା। ଯେହେତୁ କୌଣସି ପଦବୀରେ ଏକାଧିକ ପ୍ରାର୍ଥୀ ନାହାନ୍ତି ତେଣୁ ନିର୍ବାଚନ କରିବାର ଆବଶ୍ୟକତା ପଡିବ ନାହିଁ। ଆସନ୍ତା ୨୮ ତାରିଖରେ ବାର୍ଷିକ ସାଧାରଣ ପରିଷଦ ବୈଠକ ଥିବା ବେଳେ ସେଦିନ ନିର୍ବାଚନ ଅଧିକାରୀ ଏମ ଏଲ ମଜୁମଦାର ବିଧିବଦ୍ଧ ଭାବେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.