Below header

ଅଫେରା ରାଇଜକୁ ଚାଲିଗଲେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ, ୨୭ରେ ଜନ୍ମ ନେଇଥିଲେ ୨୭ରେ ଚାଲିଗଲେ

ଭୁବନେଶ୍ୱର (କେନ୍ୟୁଜ୍‌) : ଓଡ଼ିଆ ସାହିତ୍ୟ ଜଗତର ଉଜ୍ଜ୍ୱଳ ଜ୍ୟୋତିଷ୍କ ଆଉ ନାହାନ୍ତି । ସାହିତ୍ୟିକ ମନୋଜ ଦାସଙ୍କର ଆଜି ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ପଣ୍ଡିଚେରୀ ଶ୍ରୀମା ଅରବିନ୍ଦ ଆଶ୍ରମରେ ସେ ରହୁଥିଲେ । ଆଜି ୮୭ ବର୍ଷ ବୟସରେ ଆଜି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି ।ଏକ ବିରଳ ଯୋଗରେ ତାଙ୍କର ବିୟୋଗ ହୋଇଛି। ୨୭ ଫେବ୍ରୁଆରୀ ୧୯୩୪ ମସିହାରେ ଜନ୍ମ ନେଇଥିଲେ ଏବଂ ଆଜି ଅର୍ଥାତ ୨୭ ଏପ୍ରିଲରେ ଦେହତ୍ୟାଗ କରିଛନ୍ତି। ତେଣୁ  ଏହି ମହାନ ଆତ୍ମା ୨୭ରେ ଜନ୍ମ ନେଇ ୨୭ରେ ଦେହତ୍ୟାଗ କରିଛନ୍ତି

୧୯୩୪ ମସିହା ଫେବ୍ରୁଆରୀ ୨୭ ତାରିଖରେ ତାଙ୍କର ଜନ୍ମ । ନିଛକ ଓଡ଼ିଆ ଚଳଣି ଏବଂ ଜୀବନଧାରାକୁ ନେଇ ଅନେକ ପ୍ରସିଦ୍ଧ ଗଳ୍ପ ଲେଖିଛନ୍ତି ସେ । କେବଳ ଓଡ଼ିଆ ନୁହେଁ ଇଂରାଜୀ ସାହିତ୍ୟରେ ମଧ୍ୟ ବେଶ୍‌ ସୁନାମ ଅର୍ଜନ କରିଛନ୍ତି ମନୋଜ ଦାସ । ତାଙ୍କୁ ୧୯୭୨ରେ କେନ୍ଦ୍ର ସାହତ୍ୟ ଏକାଡେମୀ ପୁରସ୍କାର, ୨୦୦୧ରେ ପଦ୍ମଶ୍ରୀ, ୨୦୨୦ରେ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା । ୧୯୬୫ ଓ ୧୯୮୭ରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।

ଅନେକ ସମ୍ମାନର ଅଧିକାରୀ ମନୋଜ ଦାସ ଜଣେ ପ୍ରାଧ୍ୟାପକ ଥିଲେ । ଏହା ସହିତ ସ୍ତମ୍ଭକାର ଏବଂ ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ବାଲେଶ୍ୱର ଜିଲ୍ଲା ଶଙ୍କରୀ ଗାଁରେ ଜନ୍ମ ତାଙ୍କର । ହାଇସ୍କୁଲରେ ପଢ଼ିଲା ବେଳେ ସେ ସାହିତ୍ୟ ରଚନା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ କବିତା ପୁସ୍ତକ ‘ଶତାବ୍ଦୀର ଅନ୍ତର୍ନାଦ’ ୧୯୪୯ ମସିହାରେ ପ୍ରକାଶିତ ହୋଇଥିଲା । ସେତେବେଳେ ସେ ହାଇସ୍କୁଲରେ ହିଁ ପଢୁଥିଲେ । ୧୯୫୦ରେ ସେ ଦିଗନ୍ତ ନାମରେ ଏକ ପତ୍ରିକା ପ୍ରକାଶ କଲେ ଆଉ ୧୯୫୧ରେ ହାଇସ୍କୁଲ ପାସ୍‌ କଲେ । କଲେଜରେ ଜଣେ ଛାତ୍ର ନେତା ଭାବେ ବେଶ୍‌ ସୁନାମ ଅର୍ଜନ କରିବା ସହ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ୧୯୫୫ରେ ସେ ପୁରୀ ସାମନ୍ତ ଚନ୍ଦ୍ର ଶେଖର କଲେଜରୁ ଗ୍ରାଜୁଏସନ୍‌ ଏବଂ କଟକ ରେଭେନସାରୁ ପୋଷ୍ଟ ଗ୍ରାଜୁଏସନ୍‌ କରିଥିଲେ । ପରେ କିଛି ଦିନ ପାଇଁ କଟକ ଖ୍ରୀଷ୍ଟ କଲେଜରେ ଅଧ୍ୟାପନା କରିବା ପରେ ପଣ୍ଡିଚେରୀ ବା ପୁଡୁଚେରୀ ଶ୍ରୀ ଅରବିନ୍ଦ ଆଶ୍ରମରେ ଯୋଗ ଦେଇଥିଲେ ।

ତାଙ୍କର କାଳଜୟୀ ଅନନ୍ୟ ସାହିତ୍ୟ ସୃଷ୍ଟି ଭିତରେ ରହିଛି ତନ୍ଦ୍ରାଲୋକର ପ୍ରହରୀ, ଆକାଶର ଇସାରା, ଅମୃତ ଫଳ, ପ୍ରଭଞ୍ଜନ, ଗୋଧୂଳିର ବାଘ, କାଙ୍କଣ ଉପତ୍ୟକା କାହାଣୀ, ମନୋଜ ଦାସ କଥା ଓ କାହାଣୀ ଆଦି ଉପନ୍ୟାସ । ସେ ଅନେକ କ୍ଷୁଦ୍ର ଗଳ୍ପ ଓ କବିତା ମଧ୍ୟ ଲେଖିଛନ୍ତି । ପୁଣି ଯାତ୍ରା କାହାଣୀ ମଧ୍ୟ ତାଙ୍କ ଲେଖାରେ ସ୍ଥାନ ପାଇଛି । ଆରଣ୍ୟକ, ଅବଲକରା କାହାଣୀ, ଲକ୍ଷ୍ମୀର ଅଭିସାର, ଭିନ୍ନ ମଣିଷ ଆଦି ଅନେକ ଲେଖା ଆଜି ବି ସମସ୍ତଙ୍କ ମନକୁ ଆନ୍ଦୋଳିତ କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.