ସର୍ବଭାରତୀୟସ୍ତରରେ ପୁଣି ଜଣେ ଓଡ଼ିଆଙ୍କ ଦବଦବା, ଆଟୋମିକ୍ ଏନର୍ଜୀ କମିଶନ ଅଧ୍ୟକ୍ଷ ହେଲେ ଅଜିତ କୁମାର ମହାନ୍ତି
ଅଜିତ ମହାନ୍ତି ଏବେ ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟର ବା ବାର୍କ ନିର୍ଦ୍ଦେଶକ ଅଛନ୍ତି । ଆଟମିକ୍ ଏନର୍ଜୀ ବିଭାଗ ସଚିବ ଭାବରେ ମଧ୍ୟ ସେ ଦାୟିତ୍ୱ ତୁଲାଇବେ । ୨୦୨୫ ଅକ୍ଟୋବର ୧୦ ତାରିଖ ଯାଏ ସେ ଏହି ପଦରେ ରହିବେ । ଅଜିତ ମହାନ୍ତିଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ।
କେନ୍ୟୁଜ୍(ବ୍ୟୁରୋ):ସର୍ବଭାରତୀୟସ୍ତରରେ ଉଚ୍ଚ ପଦବୀରେ ଆଉ ଜଣେ ଓଡ଼ିଆ । ଆଟମିକ୍ ଏନର୍ଜୀ କମିଶନର ଅଧ୍ୟକ୍ଷ ଭାବରେ ଓଡ଼ିଆ ପୁଅ ଅଜିତ କୁମାର ମହାନ୍ତିଙ୍କୁ ମିଳିଲା ନିଯୁକ୍ତି । ନିଯୁକ୍ତିକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିଟେନ୍ର ଆପଏଣ୍ଟମେଣ୍ଟ କମିଟି । ଅଜିତ ମହାନ୍ତି ଏବେ ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟର ବା ବାର୍କ ନିର୍ଦ୍ଦେଶକ ଅଛନ୍ତି । ଆଟମିକ୍ ଏନର୍ଜୀ ବିଭାଗ ସଚିବ ଭାବରେ ମଧ୍ୟ ସେ ଦାୟିତ୍ୱ ତୁଲାଇବେ । ୨୦୨୫ ଅକ୍ଟୋବର ୧୦ ତାରିଖ ଯାଏ ସେ ଏହି ପଦରେ ରହିବେ । ଅଜିତ ମହାନ୍ତିଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ୧୯୫୯ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୭୯ ମସିହାରେ ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର ଦେଓ କଲେଜରେ ଫିଜିକ୍ସରେ ସ୍ନାତକ କରିଥିଲେ ଅଜିତ ମହାନ୍ତି ।
୧୯୮୧ ମସିହାରେ ରେଭେନ୍ସା କଲେଜରୁ ସ୍ନାତ୍ତକୋତ୍ତର ଶେଷ କରିଥିଲେ । ୧୯୮୩ ମସିହାରେ ବାର୍କର ନ୍ୟୁକ୍ଲିୟର ଫିଜିକ୍ସ ଡିଭିଜନରେ ଚାକିରି ଜୀବନ ଆରମ୍ଭ କରିଥିଲେ । ଏହାପରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ସମ୍ଭାଳିଛନ୍ତି ଅଜିତ ମହାନ୍ତି । ସେ ଇଣ୍ଡିଆନ୍ ଫିଜିକ୍ସ ଆସୋସିଏସନ୍ ମହାସଚିବ ଓ ସଭାପତି ଦାୟିତ୍ୱରେ ଥିଲେ । ଶାହା ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର ଫିଜିକ୍ସ ନିର୍ଦ୍ଦେଶକ, ବାର୍କ ଫିଜିକ୍ସ ଗ୍ରୁପ୍ ନିର୍ଦ୍ଦେଶକ ବି ରହିଛନ୍ତି । ଅଜିତ ମହାନ୍ତି ଦୁଇ ଥର ୟୁରୋପିଆନ୍ ଅର୍ଗାନାଇଜେସନ୍ ଫର୍ ନ୍ୟୁକ୍ଲିୟର ରିସର୍ଚ୍ଚ ବା CERNର ସାଇଣ୍ଟିଫିକ୍ ଆସୋସିଏଟ୍ ରହିଥିଲେ । ୧୯୮୮ରେ ଇଣ୍ଡିଆନ୍ ଫିଜିକ୍ସ ସୋସାଇଟି ପକ୍ଷରୁ ୟଙ୍ଗ ଫିଜିସିଷ୍ଟ ଆଓ୍ଵାର୍ଡ, ୧୯୯୧ରେ ଇଣ୍ଡିଆନ୍ ନ୍ୟାସନାଲ୍ ସାଇନ୍ସ ଏକାଡେମୀ ପକ୍ଷରୁ ଯୁବ ବିଜ୍ଞାନୀ ପୁରସ୍କାର ପାଇଥିଲେ ଅଜିତ ମହାନ୍ତି ।