ଆଜି ଓଡ଼ିଆ ନବବର୍ଷ ବା ମହାବିଷୁବ ସଂକ୍ରାନ୍ତି, ଘରେ ଘରେ ତିଆରି ହେବ ପଣା

ଆଜି ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଏହା ହିନ୍ଦୁ ଧାର୍ମିକ ପରମ୍ପରାରେ ଏକ ପ୍ରମୁଖ ପର୍ବ । ଓଡିଶା ସମେତ ଭାରତର ଅନ୍ୟ ଅନ୍ୟ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ପାଳିତ ହୋଇଥାଏ । ଓଡିଶାରେ ଏହାକୁ ବର୍ଷର ପ୍ରଥମ ଦିନ ଭାବେ ଗଣନା କରାଯାଏ । ତେଣୁ ଏହାକୁ ନୂଆ ଓଡିଆ ନୂଆ ବର୍ଷ କୁହାଯାଏ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି । ଆଜି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଆଜିଠାରୁ ନୂଆ ପାଞ୍ଜି ପ୍ରଚଳନ ଆରମ୍ଭ ହୋଇଥାଏ । ତେଣୁ ଆଜିର ଦିନକୁ ଓଡିଆ ନବବର୍ଷ ରୂପେ ପାଳନ କରାଯାଏ । ଏହା ଛଡା ଆଜିର ଦିନକୁ ହନୁମାନ ଜୟନ୍ତୀ ମଧ୍ୟ କୁହାଯାଏ । ଓଡିଶା ନବବର୍ଷକୁ ନେଇ ଉତ୍ସବମୁଖର ଗାଁ ଠୁ ସହର । ଗ୍ରହ ଚଳନରୁ ପ୍ରସ୍ତୁତ ରାଶିଚକ୍ର ଅନୁସାରେ ଆଜି ହେଉଛି ବର୍ଷର ପ୍ରଥମ ଦିନ । ଉତ୍କଳୀୟ ପରମ୍ପରାରେ ଏହି ନବବର୍ଷ ଓ ବିଷୁବ ସଂକ୍ରାନ୍ତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ସୂର୍ଯ୍ୟ ଆଜିଠାରୁ ବିଷୁବ ରେଖାକୁ ଚଳନ କରୁଥିବାରୁ ଏହି ଦିନକୁ ବିଷୁବ ସଂକ୍ରାନ୍ତି କୁହାଯାଇଥାଏ । ଚୈତ୍ର ଶୁକ୍ଲ ପ୍ରତିପଦାକୁ ପାଞ୍ଜିକାରମାନେ ନବବର୍ଷ ଭାବେ ଗ୍ରହଣ କରିଥାନ୍ତି ।

ଆଜିର ଦିନରେ ପ୍ରତ୍ୟେକ ଓଡିଆ ପରିବାରରେ ଦେବାଦେବୀଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଏ । ଏହି ଦିନ ପ୍ରତ୍ୟେକ ଓଡ଼ିଆ ଘରେ ତୁଳସୀ ଚଉରା ମୂଳରେ ଏକ ଛୋଟ ମାଠିଆରେ ପଣା ରଖି ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇ ଥାଏ । ଏହି ଠେକିକୁ ବସୁନ୍ଧରା ଠେକି କୁହାଯାଏ । ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ । ସମସ୍ତ ଶକ୍ତିପୀଠ ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କ ରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଧରି ଚାଲିଥିବା ଦଣ୍ଡ ନାଟର ଅନ୍ତଭାବେ ଏହିଦିନ ମେରୁ ଯାତ ପାଳନ କରାଯାଏ । ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ ।

ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କ ଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ ।

ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତୀ ପାଳନ କରାଯାଏ । ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ । ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁଯାତ୍ରା ପାଳନ କରାଯାଏ । ଝାମୁଯାତ୍ରା ପାଳନ କରୁଥିବା ବ୍ରତଧାରୀମାନେ ମାନସିକ ପୂରଣ ପାଇଁ ଜଳନ୍ତା ଅଗ୍ନିରେ ଚାଲିଥାନ୍ତି । ଦକ୍ଷିଣ ଓଡ଼ିଶାରେ ଏକ ମାସଧରି ଚାଲିଥିବା ଦଣ୍ଡ ନାଚର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ । ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ ।

Leave A Reply

Your email address will not be published.