Below header

ପରୀ ଘଟଣାରେ ୧୬ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନୟାଗଡ଼ ଏସପିଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ(କେନ୍ୟୁଜ୍):  ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଦୁଇଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିବା ବେଳେ ଦୁଇଟି ଯାକ ମାମଲାର ଏକତ୍ର ଶୁଣାଣି ହୋଇଛି। ପରୀର ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନୟାଗଡ଼ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ତଦନ୍ତର ଅଗ୍ରଗତି ସମ୍ପର୍କରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବାକୁ ନୟାଗଡ଼ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୬ ତାରିଖ ସୁଦ୍ଧା ନୟାଗଡ଼ ଏସପି ସତ୍ୟପାଠ ମାଧ୍ୟମରେ ଏହି ରିପୋର୍ଟ ଦେବେ। ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି। ପରୀର ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ହାଇକୋର୍ଟରେ ଏହି ଆବେଦନ ହୋଇଛି।

pari death issue

ଆଇନଜୀବୀ ପଦ୍ମାଳୟା ମହାପାତ୍ର ଓ ଭାରତୀୟ ବିକାଶ ପରିଷଦ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ମାମଲା ଦାୟର କରାଯାଇଛି। ମାମଲା ଦୁଇଟିରେ ରାଜ୍ୟ ଗୃହ ସଚିବ,ମୁଖ୍ୟ ଶାସନ ସଚିବ,ପୋଲିସ ମହାନିର୍ଦେଶକ, ନୟାଗଡ଼ ଜିଲ୍ଲାପାଳ, ନୟାଗଡ଼ ଏସ୍ପି,ନୟାଗଡ଼ ସଦର ଥାନାଧିକାରୀ ଙ୍କୁ ପକ୍ଷଭୁକ୍ତ କରାଯାଇଛି।  ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଗତ ଜନସ୍ୱାର୍ଥ ମାମଲାରେ ଆବେଦନ କରାଯାଇଛି ଯେ, ବାହ୍ୟ ଚାପ ମୁକ୍ତ ତଦନ୍ତକାରୀ ସଂସ୍ଥାକୁ ଏହି ତଦନ୍ତ ଦାୟିତ୍ବ ଦିଆଯାଉ। ପରୀର ବାପାଙ୍କ ଅଭିଯୋଗ ଅନୁଯାୟୀ କିଡନୀ ଓ ଆଖି ଚୋର ରାକେଟ ଏହା ପଛରେ ଥିବା ବେଳେ ଏହା ଜଘନ୍ୟ ଅପରାଧ। ତେଣୁ ଯେତେ ପ୍ରଭାବଶାଳୀ ବ୍ୟକ୍ତି ଥାଆନ୍ତୁ ନା କାହିଁକି ଏହାର ସଠିକ କରାଯାଇ ଅବା ସିବିଆଇ ଦ୍ୱାରା ତଦନ୍ତ କରାଯାଉ।

ଏହା ସହ ପରୀ ପରିବାର ମାନସିକ ଚିନ୍ତାରେ ଥିବାବେଳେ ସେମାନଙ୍କୁ ଗାଁରୁ ବିତାଡିତ କରାଯାଇଛି। ତେଣୁ ପିଡିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରାର୍ଥନା କରାଯାଇଛି। ସେହିପରି ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ହୋଇଥିବା ଆବେଦନରେ ଏହି ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର  ତଦନ୍ତକାରୀ  ଟିମ ଗଠନ କରାଯାଉ କିମ୍ବା ସିବିଆଇ ଦ୍ୱାରା ତଦନ୍ତ କରାଯାଉ। ପରୀ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନୟାଗଡ଼ ଏସପିଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ସରକାରଙ୍କ ପକ୍ଷରୁ ତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ପ୍ରାର୍ଥନା କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.