Below header

ଦୁଃଖୀ ଅସହାୟକୁ ମିଳୁନି ସାହାଯ୍ୟ, କ୍ଲବ ଘରେ ଝିଅ ଓ ନାତୁଣୀ ସହ ବିତିଲାଣି ଦୁଇ ବର୍ଷ

ଏ ଭଗବାନ ବି ବଡ ନିଷ୍ଠୁର। ଯାହାକୁ ଦୁଃଖ ଦେଉଥିବେ ଦେଇ ଚାଲିଥିବେ। ଏଇ ଯେମିତି ଏ ବୃଦ୍ଧାଙ୍କ କଥା। ନିଜର ବୋଲି କିଛି ନାହିଁ ତେଣୁ କ୍ଲବ ଘରେ ବିତିଲାଣି ୨ ବର୍ଷ । ନିଜର ଜାଗା ନାହିଁ ତେଣୁ ସରକାରଙ୍କ ପକ୍କା ଘର ଯୋଜନାର ସୁଫଳ ମିଳୁନାହିଁ । ଗୋଟିଏ ପଟେ ବାସ ନଥିବା ବେଳେ ଅନ୍ଯପଟେ ଅସହାୟ ଶଙ୍କରିକୁ ଘାରିଛି ପାଗିଳୀ ନାତୁଣୀର ଚିନ୍ତା । ଅର୍ଥ ନଥିବାରୁ ନିଜେ ତ ଠିକ ହୋଇପାରୁନାହାଁନ୍ତି କି ନାତୁଣୀକୁ ବି ଡାକ୍ତର ଦେଖାଇପାରୁନାହାଁନ୍ତି । ରୋଜଗାରିଆ କେହି ନଥିବାରୁ ଅସହାୟ ତିନି ପ୍ରାଣୀ ଅନାଇବସିଛନ୍ତି ସରକାରୀ ସାହାଯ୍ୟକୁ ।

ଅସହାୟ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ସରକାରଙ୍କର କେତେ କଣ ଯୋଜନା । ଭୂମିହୀନଙ୍କୁ ଜାଗା ପ୍ରଦାନ କରିବା ସହ କଚ୍ଚା ଘର ପାଇଁ ପକ୍କା ଘର ଯୋଜନା । ହେଲେ ଆମେ ଆପଣଙ୍କୁ ଯେଉଁ ଚିତ୍ର ଦେଖାଇବୁ ଦେଖିଲେ ଲାଗିବ ସରକାରଙ୍କ ସବୁ ଯୋଜନା ସଠିକ ଲୋକଙ୍କ ପାଖରେ ପହଁଚିପାରୁନାହିଁ । ଏ ହେଉଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁର ପଂଚାୟତର ନଛିବିନ୍ଧା ଗାଁର ଶଙ୍କରୀ ବାରିକ । ବୟସ ୮୦ ଛୁଇଁଲାଣି । ଚାଲିବାକୁ କି କଥା କହିବାକୁ ଦେହରେ ବଳ ନାହିଁ । କିନ୍ତୁ ଏ ଅସହାୟ ପରିବାରକୁ ସରକାରଙ୍କ ତରଫରୁ ଏଯାଏଁ ମିଳିନି ପକ୍କା ଘର । ନିଜର ଘର ନଥିବାରୁ ଏ ଅସହାୟ ବୁଦ୍ଧା ତାଙ୍କ ବିବାହିତା ଝିଅ ଓ ପାଗିଳି ନାତୁଣୀକୁ ଧରି ସ୍ଥାନୀୟ ଏକ କ୍ଲବ ଘରେ ରହୁଛନ୍ତି । ଘରେ ରୋଜଗାରିଆ କେହି ନଥିବାରୁ ମାଗିଯାଚି ଚଳୁଛନ୍ତି ଏହି ଅସହାୟ ପରିବାର ।

ଏତିକିରେ ସରିନି ଏହି ଅସହାୟ ପରିବାରର ଦୁଃଖ । ବୃଦ୍ଧା ଶଙ୍କରୀଙ୍କ ସ୍ୱାମୀ ମରିବା ପରେ ଭାଇ ବାଣ୍ଟରୁ ମିଳିଥିବା ଏକ ଜାଗାକୁ ସ୍ଥାନୀୟ ଅଂଚଳରେ ଜଣେ ବ୍ୟକ୍ତି କିଣିନେଲେ । ପରେ ଏକ ଅନାବାଦୀରେ ପଲ୍ଲାମାରି ରହୁଥିଲେ ଏହି ଅସହାୟ ପରିବାର । କୈାଣସି କାରଣରୁ ଉକ୍ତ ପଲ୍ଲାରେ ନିଆଁ ଲାଗି ପୋଡିଯିବାରୁ ସେବେଠୁ ଏହି କ୍ଲବ ଘର ପାଲଟିଛି ଅସହାୟ ପରିବାରର ଠିକଣା । ଅସହାୟ ବୃଦ୍ଧାଙ୍କ ପାଖରେ ରହୁଥିବା  ନାତୁଣୀ ଜନ୍ମରୁ ଭଲ ଥିଲା । କିନ୍ତୁ ବିଧାତା ବୋଧହୁଏ ଅସନ୍ତୁଷ୍ଟ ଅଛି, ସେଥିପାଇଁ ତ ଦୁଃଖ ପରେ ଦୁଃଖ ଦେଇ ଚାଲିଛନ୍ତି। ଏଇ କିଛି ବର୍ଷ ହେବ ମାନସିକ ସ୍ଥିତି ବିଗିଡିଯିବାରୁ ପାଗିଳି ଭଳି ବ୍ଯବହାର କରୁଛି ନାତୁଣୀ । ସେ ମଧ୍ଯ ଚାଲିବୁଲି ପାରୁନି ।

ପାଖରେ ଟଙ୍କା ନଥିବାରୁ ପାଗିଳି ନାତୁଣୀର ମଧ୍ଯ ଚିକିତ୍ସା ହୋଇପାରୁନି । ତେଣୁ ଗୋଟେ ପଟେ ପେଟ ଓ ବାସ ଚିନ୍ତା, ଅନ୍ଯପଟେ ନାତୁଣୀର ଚିକିତ୍ସା । ତେବେ ଯଦି ସରକାର ଏ ଭୂମିହୀନ ପରିବାରକୁ ଜାଗା ସହ ସାହାଯ୍ୟର ହାତ ବଢାନ୍ତି ତେବେ ହୁଏତ ଏ ଅସହାୟ ପରିବାରର ଦୁଃଖ ଦୂର ହୋଇପାରନ୍ତା ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ତେବେ ଏ ବାବଦରେ ସରପଂଚ କହୁଛନ୍ତି ନିଜର ଜାଗା ନଥିବା କାରଣରୁ ଏ ବୃଦ୍ଧାଙ୍କୁ ପକ୍କା ଘର ମିଳିପାରୁନାହିଁ । ତେବେ ସରକାର କି କେହି ସହୃଦୟ ବ୍ଯକ୍ତି ଓ ସଂଗଠନ ଏହି ଅସହାୟ ପରିବାରକୁ ସାହାଯ୍ୟର ହାତ ବଢାନ୍ତି ତେବେ ପରିବାରର ଦୁଃଖ ଲାଘବ ହୋଇପାରିବ । ଏଥିସହିତ ଏ ପରିବାରକୁ ଜାଗା ସହ ପକ୍କା ଘର ଯୋଗାଇଦେବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.