ତେଜିଲା ଆଗୁଆ ନିର୍ବାଚନ ଚର୍ଚ୍ଚା : ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆସୁଛି ଲକ୍ଷେ ଇଭିଏମ୍

ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆସୁଛି ଏକ ଲକ୍ଷ ଇଭିଏମ୍ । ଏହି କାମ ବୁଝିବା ପାଇଁ ଦୁଇଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟକୁ ବଦଳି କରାଯାଇଛି। ଫଳରେ ଆହୁରି ବଢ଼ିଛି ଆଗୁଆ ନିର୍ବାଚନ ଚର୍ଚ୍ଚା । ସେପଟେ ନିର୍ବାଚନ ପୂର୍ବରୁ ତୀବ୍ର ହେବାରେ ଲାଗିଛି ମେଣ୍ଟ ରାଜନୀତି ।

ଆଗୁଆ ନିର୍ବାଚନ ଚର୍ଚ୍ଚା ଜୋର୍ ଧରିଛି । ଖବର ଆସିଛି, ଓଡ଼ିଶାକୁ ଆସୁଛି ଏକ ଲକ୍ଷ ଇଭିଏମ୍। ଲକ୍ଷ୍ନୌରୁ ଆସିବ ଇଲେକଟ୍ରୋନିକ ଭୋଟିଂ ମେସିନ ବା ଇଭିଏମ୍। ଏଥିପାଇଁ ଦୁଇ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟକୁ ବଦଳି କରାଯାଇଛି। ଓଏମସିରୁ ମନୋଜ କୁମାର ସ୍ୱାଇଁ ଓ ଇଡକୋରୁ କୈଳାସ ଚନ୍ଦ୍ର ଦାଶଙ୍କୁ ବଦଳି କରାଯାଇଛି । କିପରି ୧ ଲକ୍ଷ ଇଭିଏମ୍ ଆସିବ, ଏହି ଦୁଇ ଅଫିସର ସେସବୁ ତଦାରଖ କରିବେ। ଏ ଖବର ପରେ, ଆଗୁଆ ନିର୍ବାଚନ ସମ୍ଭାବନା ବଢିଛି। ରାଜ୍ୟରେ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ଅପରପକ୍ଷେ ବିଜେପି ବିରୋଧରେ ଏକଜୁଟ ହେବା ପାଇଁ ବିରୋଧୀଙ୍କ ପ୍ରୟାସ ଜାରି ରହିଛି। କିନ୍ତୁ ବିରୋଧୀ ମେଣ୍ଟରେ ନେତୃତ୍ୱ କିଏ ନେବ? ଏହା ପାଲଟିଛି ଏକ ବଡ଼ ପ୍ରଶ୍ନ। କଂଗ୍ରେସ, ମାୟା ଓ ମମତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ ବୋଲି ଚର୍ଚ୍ଚା ହେଉଛି। ସେପଟେ ମମତା ବାନାର୍ଜୀଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି, ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦ୍ଦୁଲା। ଗତକାଲି ଓମାର ମମତାଙ୍କୁ ଭେଟିଥିଲେ। ସାକ୍ଷତ ପରେ ମମତା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା କହି ନଥିଲେ ମଧ୍ୟ, ସୂଚନା ଦେଇଥିଲେ ସମୟ ଆସିଲେ ମମତା ଦିଦି ଦିଲ୍ଲୀ ଯିବେ।

ସେପଟେ ଏନଡିଏରେ ଫାଟ ଦେଖାଗଲାଣି। ଶିବସେନା ଦୂରେଇ ଯାଉଛି ଏବଂ ଏବେ ଏଲଜେପି ଦେଇଛି ଧମକ । ଏସ୍ସି-ଏସ୍ଟି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦଣ୍ଡବିଧାନ ବ୍ୟବସ୍ଥାକୁ କୋହଳ କରିଛନ୍ତି। ଏହାକୁ ବିରୋଧ କରି, ରାମବିଳାସ ପାଶୱାନଙ୍କ ଏଲ୍ଜେପିର ଦାବି, କେନ୍ଦ୍ର ସରକାର ନୂଆ ଅଧ୍ୟାଦେଶ ଆଣନ୍ତୁ । ଅଗଷ୍ଟ ୯କୁ ଏଲଜେପି ଡେଡ୍ ଲାଇନ ଦେଇଛି । ଏହାକୁ ସମର୍ଥନ କରିଛି ଜେଡିୟୁ । ଫଳରେ ବିହାରରେ ଏନଡିଏ ପ୍ରତି ସଙ୍କଟ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.