Below header

ଓଟିଭି ଅଫିସରେ ଅଗ୍ନି ନିରାପତ୍ତା ଓ ଜୀବନ ସୁରକ୍ଷା ବ୍ୟବସ୍ଥା ଠିକ୍‌ ନାହିଁ,ଏମଡିଙ୍କୁ ଚିଠି ଲେଖିଲେ ପ୍ରିନ୍ସିପାଲ୍‌ ଫାୟାର ଅଫିସର

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଓଟିଭି ଅଫିସରେ ଅଗ୍ନି ନିରାପତ୍ତା ଓ ଜୀବନ ସୁରକ୍ଷା ବ୍ୟବସ୍ଥା ଠିକ୍‌ ନାହିଁ । ଏନେଇ ଓଟିଭି ଏମଡିଙ୍କୁ ଚିଠି ଲେଖିଛନ୍ତି ଅଗ୍ନିଶମ ବିଭାଗର ପ୍ରିନ୍ସିପାଲ୍‌ ଫାୟାର ଅଫିସର । ଚିଠିରେ ଅବ୍ୟବସ୍ଥା ସମ୍ପର୍କରେ ଉଲ୍ଲେଖ ରହିଛି । ପଟିଆ ସ୍ଥିତ ପ୍ଲଟ ନମ୍ବର N28, N29, N30ରେ ରହିଛି ଓଟିଭିର ଏହି ଅଫିସ ।

ଗତ ୭ ତାରିଖରେ ବିଲଡିଂର ଅଗ୍ନି ନିରାପତ୍ତା ବ୍ୟବସ୍ଥାର ତଦାରଖ କରିଥିଲା ଅଗ୍ନିଶମ ବାହିନୀର ଗୋଟିଏ ଟିମ୍‌ । ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସଜାଡିବା ପାଇଁ କିଛି ମାନଦଣ୍ଡ ପୂରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଯାହା ଦ୍ୱାରା ଫାୟାର ସେଫ୍ଟିଂ ସାର୍ଟିଫିକେଟ ପ୍ରଦାନ କରାଯିବ । କିନ୍ତୁ ଏହାରି ଭିତରେ କମ୍ପାନୀ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନାହାନ୍ତି । ଅନୁଧ୍ୟାନ ବେଳେ ଜଣା ପଡ଼ିଛି ଯେ, ଓଟିଭିର ଏହି ବିଲଡିଂକୁ ଅଫିସ ପାଇଁ ଅନୁମତି ଦେଇଥିଲା ବିଡିଏ । କିନ୍ତୁ ବେସମେଣ୍ଟରେ ଷ୍ଟୁଡିଓ, ଡାଇନିଂ ହଲ୍‌ ଓ ମେକ୍‌ ଅପ୍‌ ରୁମ୍‌ କରିଛି ଓଟିଭି । ଯାହାକି ବିଡିଏ ମାନଦଣ୍ଡର ଉଲ୍ଲଂଘନ କରୁଛି ।

ବେସମେଣ୍ଟରେ ପୂର୍ବରୁ ପାର୍କିଂ ପାଇଁ ଅନୁମତି ମିଳିଥିଲା । ଷ୍ଟୁଡିଓରେ ଦହନଶୀଳ ସାମଗ୍ରୀ ଥିବା ବେଳେ ସର୍ଭର ରୁମ୍‌ ରହିଛି । ସେଠାରେ ବହୁ ଲୋକ କାମ କରୁଛନ୍ତି । ଅଘଟଣ ଘଟିଲେ ଜୀବନ ଯାଇପାରେ । କାରଣ ବେସମେଣ୍ଟରେ ଭେଣ୍ଟିଲେସନ ବ୍ୟବସ୍ଥା ନାହିଁ । କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ପଦକ୍ଷେପ ନେବାକୁ ପୁଣି ଓଟିଭି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛି ଅଗ୍ନିଶମ ବିଭାଗ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହ ମାନଦଣ୍ଡ ପୂରଣ କରିବା ଦିଗରେ ଧ୍ୟାନ ଦେବାକୁ କୁହାଯାଇଛି । ନଚେତ ଭବିଷ୍ୟତରେ କୌଣସି ଅଘଟଣ ଘଟିଲେ କମ୍ପାନୀ କର୍ତ୍ତୃପକ୍ଷ ଦାୟୀ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.