Below header

ଉମରକୋଟ : ଇଏ ବିଶ୍ୱାସ ନା ଅନ୍ଧବିଶ୍ୱାସ, ପାହାଡରୁ ଖସିଥିବା ବିରାଟକାୟ ପଥରକୁ ଭଗବାନ ଭାବି ପୂଜା କରୁଛନ୍ତି ଲୋକେ

ଉମରକୋଟ: ବିଶ୍ୱାସ, ଅବିଶ୍ଵାସ ଓ ଅନ୍ଧବିଶ୍ୱାସରେ ଚାଲିଛି ଏହି ଦୁନିଆ। କେତେବେଳେ ପରିସ୍ଥିତିରେ ପଡି ହେଉ କିମ୍ବା ଅନ୍ଧବିଶ୍ୱାସରେ ପଡି ମଣିଷ ଏମିତି କିଛି କାମ କରିଥାଏ ଯାହା ପଶ୍ଚାତାପ କରିବାକୁ ପଡେ। ବାରମ୍ବାର ଅନ୍ଧବିଶ୍ବାସକୁ ନେଇ ଅନେକ ଅପରାଧ ହେଉଥିବା ସହିତ କେତେ ଯେ ଭଣ୍ଡ ବାବାଙ୍କ କଳା କାରନାମାର ପର୍ଦାଫାସ୍ ହୋଇଛି ତାହାର ହିସାବ ନାହିଁ । ଏମିତି ଏକ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଗାଲିଭଟ୍ଟା ଗ୍ରାମରେ ଦେଖିବାକୁ ମିଳିଛି ।

ଉମରକୋଟ ବ୍ଲକ ଗାଲିଭଟ୍ଟା ଗ୍ରାମ ନିକଟରେ ରହିଛି ପୋଡାଗଡ ପାହାଡ଼। ଯେଉଁ ପାହାଡରୁ କିଛି ଦିନ ତଳେ ଏକ ବିରାଟକାୟ ପଥର ପ୍ରାୟ ଏକ କିଲୋମିଟର ତଳକୁ ଖସି ଆସିଥିଲା । ଆଉ ତାପରଠୁ ସେଠାରେ ଚାଲିଛି ପୂଜାର୍ଚ୍ଚନା। ଯଦିଓ ପ୍ରାକୃତିକ କାରଣ ଯୋଗୁ ପଥର ତଳକୁ ଆସିଥିଲେ ବି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏନେଇ ଉତ୍ସୁକତା ବଢ଼ି ଯାଇଛି । କିଛି ଦିନ ପଥରକୁ ଲୋକେ ଦେଖିବାକୁ ଯାଉଥିଲେ କିନ୍ତୁ ବର୍ତ୍ତମାନ ପାହାଡ଼ ପାଦ ଦେଶରେ ପୂଜା ଅର୍ଚ୍ଚନା ଆରମ୍ଭ କରି ଦେଇଛନ୍ତି। ଆଖପାଖ ଗ୍ରାମ ସହ ପଡୋଶୀ ଛତିଶଗଡ଼ ରାଜ୍ଯର କିଛି ଲୋକ ମଧ୍ୟ ଏହି ପଥରକୁ ଦେଖିବାକୁ ଆସିବା ସହ ପୂଜା ପାଠ କରିବାକୁ ଆସୁଛନ୍ତି।

stoneପୋଡାଗଡ଼ ପାହାଡ଼ର ଐତିହାସିକ ମହତ୍ୱ ରହିଛି । ଏହିଠାରେ ନଳ ବଂଶ ରାଜ୍ଯର ରାଜଧାନୀ ଥିବା ଐତିହାସିକମାନେ ଦାବି କରନ୍ତି । ପାହାଡ଼ ସାରା ବିଭିନ୍ନ ସ୍ଥାନରେ ପୁରୁଣା ଦୁର୍ଗ, ମନ୍ଦିର ଓ ମୂର୍ତ୍ତି ଦେଖିବାକୁ ମିଳିଥାଏ । ଯେହେତୁ ପୂର୍ବରୁ ପାହାଡ଼ ପ୍ରତି ଲୋକଙ୍କ ଆଧ୍ୟାତ୍ମିକ ଭାବନା ଅଧିକ ରହିଛି ସେଥିପାଇଁ ଅନ୍ଧବିଶ୍ୱାସ ବଶବର୍ତ୍ତୀ ହୋଇ ଏପରି ପୂଜାପାଠ କରୁଥିବା କିଛି ବୁଦ୍ଧିଜୀବୀ ମତ ଦେଇଛନ୍ତି। ମନୁଷ୍ଯ ମଙ୍ଗଳ ଗ୍ରହରେ ଯାଇ ଜାଗା କିଣିଲାଣି କିନ୍ତୁ ଆଜିବି ଅନ୍ଧବିଶ୍ୱାସ କବଳରେ ଲୋକେ କବଳିତ ହୋଇ ପାହାଡ଼ରୁ ଖସିଥିବା ପଥରକୁ ପୂଜା ପାଠ କରୁଛନ୍ତି। ଗ୍ରାମବାସୀଙ୍କ କହିବା ହେଲା ଏହି ପଥର ହେଉଛି ଏକ ଭଗବାନ । ଯାହାକୁ ୨୧ ଦିନ ପୂଜା କରିବା ପରେ ଏକ ଯଜ୍ଞ କରାଯିବ ଏବଂ ଏହାପରେ ସ୍ଥାନୀୟ ଶିରା ବା ପୂଜକଙ୍କୁ ସ୍‌ୱପ୍ନାଦେଶ ହେବ । ଏହା ପରେ ଏହା କେଉଁ ଦେବତା ବୋଲି ଜଣାପଡ଼ିବ ।

ଭୂମିକମ୍ପ କିମ୍ବା ବିନା ବଜ୍ରପାତ ଓ ଭୂସ୍ଖଳନରେ କିଭଳି ପାହାଡ଼ରୁ ପଥର ଖସିଲା ସେ ନେଇ ସମସ୍ତେ ଆଶ୍ଚର୍ଯ୍ୟ । ବର୍ତ୍ତମାନ ସେସବୁ କିଛି ନଥାଇ ପାହାଡ଼ରୁ ପଥର ଖସିବା ଏକ ଅଲୌକିକ ଘଟଣା, କୌଣସି ବିପଦ ଆସିବାକୁ ଥିଲେ ପାହାଡ଼ରୁ ପଥର ଖାସିଥାଏ ବୋଲି ମାଳିକାରେ ଅଛି । ବର୍ତ୍ତମାନ କରୋନା ବିପତ୍ତି ଚାଲିଥିବାରୁ ଏପରି ଘଟିଥାଇପାରେ ବୋଲି କିଛି ଲୋକ ବିଶ୍ୱାସ କରୁଛନ୍ତି ।

ଉମରକୋଟରୁ ଅନୁରାଗ ପଟ୍ଟନାୟକଙ୍କ ରିପୋର୍ଟ, କେନ୍ଯୁଜ୍

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.