Below header

ପର୍ବତ କୋଳରେ ଛିଣ୍ଡା ପାଲ ତଳେ କଟୁଛି ପ୍ରତିମାଙ୍କ ଜୀବନ, ପରିବାର କହିଲେ କେହି ନାହାନ୍ତି

ଫୁଲବାଣୀ: କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ଅନେକ ଯୋଜନା ରହିଛି । ତା ମଧ୍ୟରୁ ମୋ କୁଡ଼ିଆ, ବିଜୁ ପକ୍କା ଘର ଓ କେନ୍ଦ୍ର ସରକାରଙ୍କ ଇନ୍ଦିରା ଆବାସ ଯୋଜନା ଏକ ଲୋକାଭିମୁଖୀ ଯୋଜନା । ଏହି ଯୋଜନାର ମୂଳ ଲକ୍ଷ୍ୟ ଯେଉଁ ମାନେ ଗରିବ, ଅସହାୟ ଓ ଭୂମୀ ହୀନ ସେମାନଙ୍କୁ ସାମିଲ କରାଯିବ ଏବଂ ଇନ୍ଦିରା ଆବାସ ହେଉ କି ମୋ କୁଡ଼ିଆ କିମ୍ବା ବିଜୁ ପକାଘର ଯୋଜନା ମାଧ୍ୟମରେ ପକ୍କା ଘର ଟିଏ ମିଳିବ । କିନ୍ତୁ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ମିଣିଆ ପଞ୍ଚାୟତର ଶ୍ରାସାନାଣ୍ଡା ଗ୍ରାମରେ ଚିତ୍ର କିଛି ଅଲଗା ଦେଖିବାକୁ ମିଳିଛି ।

ସରକାରଙ୍କ ଯୋଜନାର ନିୟମରେ ୬୦ ବର୍ଷରୁ ଉର୍ଦ୍ଧ୍ଵ ଗରିବ ଓ ଅସହାୟ ଭୂମୀ ହୀନ ବ୍ୟକ୍ତିଙ୍କୁ ମିଳିବ ପକ୍କା ଘର ଖଣ୍ଡିଏ । କିନ୍ତୁ ମିଣିଆ ପଞ୍ଚାୟତର ଶ୍ରାସାନାଣ୍ଡା ଗ୍ରାମର ପ୍ରତିମା ମଲ୍ଲିକଙ୍କ ବୟସ ଆସି ୬୦ ରୁ ଉର୍ଦ୍ଧ୍ବ ଟପିଲାଣି । ହେଲେ ଏସବୁ ଯୋଜନାରୁ ବଞ୍ଚିତ ସେ । ସ୍ୱାମୀ ନାହାନ୍ତି କି କୌଣସି ପୁଅ ଝିଅ ମଧ୍ୟ ନାହାନ୍ତି। ଏକାକୀ ପାହାଢ଼ ତଳେ ବର୍ଷ ବର୍ଷ ଧରି ଭଙ୍ଗା କାନ୍ଥ ଓ ଖଣ୍ଡିଏ ଛିଣ୍ଡା ପାଲ ତଳେ ବହୁ କଷ୍ଟରେ ଦିନ କାଟୁଛନ୍ତି ପ୍ରତିମା । ସହାରା କହିଲେ କେହି ନାହାନ୍ତି

ଅପରପଟେ ସରକାରଙ୍କ ସାହାର୍ଯ୍ୟ କହିଲେ ମାସକୁ ୫,କେ.ଜି ଚାଉଳ ଓ ୫୦୦ ଟଙ୍କା ଭତ୍ତା । ଏମିତିରେ ଦିନ ବିତୁଛି ପ୍ରତିମାଙ୍କର। ଦିନ ବେଳେ ବର୍ଷା ଆସିଲେ ୟା ପିଣ୍ଡା ତା ଘରେ ସମୟ କଟିଯାଉଛି, କିନ୍ତୁ ରାତିରେ ବର୍ଷା କି ପବନ ହେଲେ ଭଗବାନଙ୍କୁ ପ୍ରାର୍ଥନା କରି ଭୟରେ ରାତି କାଟିବାକୁ ପଡ଼େ ଏହି ଆଦିବାସୀ ବୃଦ୍ଧା ମହିଳାଙ୍କୁ । ବର୍ଷା ଦାଉରୁ ନିଜକୁ ରକ୍ଷା କରିବା ପାଇଁ ପାଲଟିଏ ହେଉ କି ଘର ଟିଏ, ଏଯାଏ ମିଳିପାରିନି। ଘର ଖଣ୍ଡିଏ ପାଇଁ ବର୍ଷ ବର୍ଷ ଧରି ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣେଇଲା ପରେ ମଧ୍ୟ କୌଣସି ସୁଫଳ ମିଳି ପାରିଲା ନାହିଁ । ଏବେବି ସରକାରଙ୍କ ଇନ୍ଦିରା ଆବାସ ମୋ କୁଡ଼ିଆ ବୁଜୁ ପକାଘର ସମସ୍ତ ପ୍ରକାରର ଯୋଜନା ରୁ ବଞ୍ଚିତ ପ୍ରତିମା ମଲ୍ଲିକ ।

ଏଠି ପ୍ରଶ୍ନ ଆସେ ଦୋଷ କାହାର ? ସେ କେନ୍ଦ୍ର ସରକାରଙ୍କ ଯୋଜନାରୁ ହେଉ କି ରାଜ୍ୟ ସରକାରଙ୍କ ଯୋଜନା ରୁ ହେଉ କେମିତି ପାଇନାହାନ୍ତି ଘର ଖଣ୍ଡଟିଏ ପ୍ରତିମା ? କେବେ ମିଳିବ ପ୍ରତିମାଙ୍କୁ ପକ୍କା ଘର ଟିଏ ? ଏବାବଦରେ ଆମେ ସରପଞ୍ଚଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ସ୍ଥାନୀୟ ସରପଞ୍ଚ କୌଣସି ଉତ୍ତର ଦେଲେ ନାହିଁ । ପରବର୍ତ୍ତୀ ସମୟ ରେ ସ୍ଥାନୀୟ VLW ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲୁ VLW କହିଛନ୍ତି ଏ ବାବଦରେ ବ୍ଲକ ପ୍ରଶାସକଙ୍କୁ ଅବଗତ କରେଇବେ ଓ ପ୍ରତିମାଙ୍କୁ ଘରଟିଏ କିପରି ମିଳିବ ତାହା ପାଇଁ ସେ ଦାୟିତ୍ୱ ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.