ଅର୍ଚ୍ଚନାଙ୍କ ନାଁରେ ୫୦୧ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ନୟାପଲ୍ଲୀ ପୋଲିସ୍

ଭୁବନେଶ୍ୱର(କେନ୍ୟୁଜ୍):ଅର୍ଚ୍ଚନାଙ୍କ ନାଁରେ ଚାର୍ଜସିଟ୍‌ । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ ଚାର୍ଜସିଟ୍‌ ଦାଖଲ କରିଛି ନୟାପଲ୍ଲୀ ଥାନା ପୋଲିସ । ଭୁବନେଶ୍ୱର ଜେଏମଏଫସି-୩ କୋର୍ଟରେ ୫୦୧ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ ହୋଇଛି । ମୋବାଇଲ ଚାଟ୍‌, ଡିଜିଟାଲ ତଥ୍ୟ ଓ ଦସ୍ତାବିଜ୍‌ ସମ୍ବଳିତ ତଥ୍ୟ ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି ।

୮ ସାକ୍ଷୀ, ଅଡିଓ ରେକର୍ଡିଂ, ଭିଡିଓ କ୍ଲିପ୍‌ ରହିଛି । ପ୍ରାଥମିକ ଚାର୍ଜସିଟ ଦାଖଲ ହୋଇଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି । ଚାର୍ଜସିଟରେ ସାକ୍ଷୀମାନଙ୍କ ଭିତରେ ପ୍ରମୁଖ ଅଛନ୍ତି ଅକ୍ଷୟ ପରିଜା । ସେହିପରି ବ୍ଲାକମେଲିଂରେ ଅର୍ଚ୍ଚନାଙ୍କ ମୋହରା ସାଜିଥିବା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଅନ୍ୟତମ ସାକ୍ଷୀ ଭାବରେ ଦର୍ଶାଯାଇଛି । ସେହିପରି ପ୍ରମାଣ ହିସାବରେ ଭାଇରାଲ୍‌ ହୋଇଥିବା ୨୫ ମିନିଟର ଭିଡିଓ କ୍ଲିପ୍‌, ଅକ୍ଷୟ ପରିଜାଙ୍କୁ ଫୋନରେ ୩ କୋଟି ଟଙ୍କା ମାଗିବାର ଅଡିଓ ରେକର୍ଡିଂ କ୍ଲିପ୍‌, ସିଆରପିସି ୧୬୧ରେ ଅକ୍ଷୟ ପରିଜାଙ୍କ ବୟାନ, ଅର୍ଚ୍ଚନା ଓ ଅକ୍ଷୟ ପରିଜାଙ୍କ କଲ୍‌ ଡିଟେଲ୍ସ ରେକର୍ଡ ସହ ଅନ୍ୟାନ୍ୟ ପ୍ରମାଣ ରହିଛି ।

ଏପଟେ ପୁଣି ୩ ଦିନିଆ ରିମାଣ୍ଡରେ ଜଗବନ୍ଧୁ । ଦ୍ୱିତୀୟ ପର୍ଯ୍ୟାୟରେ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେଇଛି ଇଡି । ଶୁକ୍ରବାର ଜଗବନ୍ଧୁର ୯ ଦିନିଆ ରିମାଣ୍ଡ ଶେଷ ହେବା ପରେ ତାକୁ କୋର୍ଟରେ ହାଜର କରାଯାଇଥିଲା । ଜଗବନ୍ଧୁକୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଡି । ଅର୍ଚ୍ଚନା ନାଗ ମାମଲାରେ ଜଗବନ୍ଧୁଙ୍କୁ ମିଶାଇ ଇଡିର ଗିରଫଦାରୀ ସଂଖ୍ୟା ୩କୁ ବୃଦ୍ଧି ହୋଇଛି । ପୂର୍ବରୁ ଅର୍ଚ୍ଚନା ଓ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରକୁ ଗିରଫ କରିଥିଲା ଇଡି । ଏପଟେ SFSL ଦେଇଥିବା ଡିଜିଟାଲ ପ୍ରମାଣକୁ ଆଧାର କରି ଇଡି ତଦନ୍ତକୁ ଆଗକୁ ନେଇଛି । ପ୍ରଥମ ପର୍ଯ୍ୟାୟ ଫରେନ୍‌ସିକ୍‌ ରିପୋର୍ଟରେ ଅର୍ଚ୍ଚନାଙ୍କ ମୋବାଇଲର ତଥ୍ୟ ମିଳିନାହିଁ । SFSLର ଦ୍ୱିତୀୟ ପର୍ଯ୍ୟାୟ ଫରେନ୍‌ସିକ୍‌ ରିପୋର୍ଟକୁ ଅପେକ୍ଷା କରିଛି ଇଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.