Below header

ବାପାର ଶବ ପାଖରେ ବସି ରହିଥିଲା ବାର ବର୍ଷର ଝିଅ, କାନ୍ଧ ଦେଲେ ପୋଲିସ ବାବୁ

ଜଳେଶ୍ଵର (କେନ୍ୟୁଜ) : ଏଇ ଦୁନିଆରେ ମଣିଷ ରାକ୍ଷସ ପାଲଟୁଛି ପୁଣି ଏଇ ଦୁନିଆରେ ଦେବ ରୂପରେ ବି ରହିଛି ମଣିଷ । ଆଜି ବି ସମାଜରେ ବଞ୍ଚି ରହିଛି ମଣିଷ ପଣିଆ। ନିଜର ରକ୍ତ ସମ୍ପର୍କୀୟମାନେ ଦୂରେଇ ଯାଉଥିବା ବେଳେ ମାନବିକତା ଦେଖାଉଛନ୍ତି ଅଚିହ୍ନା ଅଜଣା ଲୋକ । ଯାହା ଆଜିର ଏହି ଘଟଣାରୁ ଆପଣମାନେ ବି ହୃଦୟଙ୍ଗମ କରିବେ । ବାଲେଶ୍ୱର ଜିଲ୍ଲା ଜଳେଶ୍ବରର ଥାନାଧିକାରୀଙ୍କ ମହନୀୟତା କଥା ଜାଣିଲେ ଆପଣଙ୍କର ବି ଧାରଣା ବଦଳିଯିବ ପୋଲିସ ବାବୁଙ୍କ ପ୍ରତି । ସେ ଏପରି ଏକ କାମ କରିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ତାଙ୍କୁ ପ୍ରଶଂସା ନକରି ରହି ପାରିବେନି। ତାହେଲେ ଆସନ୍ତୁ ଜାଣିବା…

ଆଜି ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଳକ ଅନ୍ତର୍ଗତ ପଥରପୁରା ଗାଁ ପଦାସାହିରେ ଶ୍ୟାମ ମୁର୍ମୁଙ୍କ ଦେହାନ୍ତ ହୋଇଯାଇ ଥଲା। ତାଙ୍କ ପରିବାରରେ କେବଳ ଜଣେ ବାର ବର୍ଷର ଝିଅ ବ୍ଯତୀତ ଆଉ କେହି ନାହାନ୍ତି । ତେଣୁ ଶବ ସତ୍କାର ହେବ କେମିତି ? କାହିଁକି କେଜାଣି ସାହି ପଡିଶା ସେ ଘରର ପାଖ ମାଡି ନଥିଲେ। ଛୋଟ ଝିଅଟି ଅସହାୟ ଅବସ୍ଥାରେ ବାପାଙ୍କ ଶବ ପାଖରେ ବସି ରହିଥିଲା । କାରଣ ତା ପାଖରେ କିଛି ବାଟ ହିଁ ନଥିଲା । ଆଉ ଠିକ ଏହି ସମୟରେ ନିଜର ଲୋକ ସାଜି ଶବ ସତ୍କାର ପାଇଁ ଅଣ୍ଟା ଭିଡିଥିଲେ ଜଳେଶ୍ବର ଥାନା ଅଧିକାରୀ ମାନସ କୁମାର ଦେଓ।

policeଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ହେଲ୍ପ ଫର ୟୁ ଫାଉଣ୍ଡେସନ ଓ ମେ ଆଇ ହେଲ୍ପ ୟୁର ସଦସ୍ଯମାନଙ୍କ ସହିତ ମିଶି ଶବକୁ କାନ୍ଧ ଦେଇ ମଶାଣି ପର୍ଯ୍ଯନ୍ତ ନେଇଥିଲେ ଥାନା ଅଧିକାରୀ ମାନସ ଦେଓ। ନିଜେ ଉପସ୍ଥିତ ରହି ଶବ ସତ୍କାର କରିଥିଲେ। ଆଉ ଏଥିରେ ସବୁ ପ୍ରକାର ସହଯୋଗ କରିଥିଲେ ସ୍ୱେଚ୍ଛାସେବୀମାନେ । ଅବଶ୍ୟ ଥାନା ଅଧିକାରୀଙ୍କ ଉପସ୍ଥିତି ପରେ କିଛି ଗାଁ ଲୋକଙ୍କୁ ବୋଧହୁଏ ବାଧ୍ୟ କରିଥିଲା ଶ୍ମଶାନ ଆସିବାକୁ ।

ଇଏ ତ ଗଲା ମାନବିକତାର କଥା । ବାପାର ଶବ ସଂସ୍କାର ପରେ ଚିନ୍ତା ପଡ଼ିଲା ସମ୍ପୂର୍ଣ୍ଣ ଏକାକୀ ପଡ଼ି ଯାଇଥିବା ଶ୍ୟାମଙ୍କ ୧୨ ବର୍ଷର ଝିଅକୁ ନେଇ । କିଛି ଦିନ ପୂର୍ବରୁ ମା ମରି ଯାଇଥିଲେ । ଏବେ ରୋଗରେ ପଡ଼ି ବାପା ଚାଲିଗଲେ । ତେବେ ଏଇ ମା ବାପା ଛେଉଣ୍ଡ ନାବାଳିକାର ଦାୟିତ୍ୱ ନେବାକୁ ସେହି ସ୍ୱେଚ୍ଛାସେବୀମାନେ ଆଗେଇ ଆସିଛନ୍ତି । ଶ୍ୟାମଙ୍କ ଅନ୍ତ୍ୟେଷ୍ଟି କ୍ରିୟା ପରେ ତାକୁ କନ୍ୟାଶ୍ରମରେ ରଖି ପାଠ ପଢ଼ାଇବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସ୍ୱେଚ୍ଛାସେବୀମାନେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.