ସାଂସଦଙ୍କ ପାଇଁ ରିହାତି ଖାଇବା ବନ୍ଦ, ସଂସଦ କ୍ୟାଣ୍ଟିନରେ ଆଉ ମିଳିବନି ସବସିଡି

ସଂସଦ ଭବନ ପରିସରରେ ଥିବା କ୍ୟାଣ୍ଟିନରେ ଏବେ ସାଂସଦମାନଙ୍କୁ ସବ୍‌ସିଡିଯୁକ୍ତ ଖାଦ୍ୟ ମିଳିବ ନାହିଁ। ଲୋକସଭା ବାଚସ୍ପତି ଓମ୍‌ ବିରଲା ମଙ୍ଗଳବାର କହିଛନ୍ତି କି, ସଂସଦ କ୍ୟାଣ୍ଟିନରେ ସାଂସଦମାନଙ୍କ ଭୋଜନରେ ଦିଆଯାଉଥିବା ସବ୍‌ସିଡି ଉପରେ ରୋକ ଲଗାଇ ଦିଆଯାଇଛି। ସଂସଦର ବଜେଟ ଅଧିବେଶନ ୨୯ ଜାନୁଆରୀରୁ ଆରମ୍ଭ ହେବ। ଏହି ସମୟରେ ରାଜ୍ୟସଭାର କାର୍ଯ୍ୟବାହୀ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଶୂନ୍ୟକାଳ ଏବଂ ପ୍ରଶ୍ନକାଳ ଆୟୋଜିତ କରାଯିବ।

ସେ ଆହୁରି କହିଥିଲେ କି, ସାଂସଦମାନଙ୍କ ଆବାସ ନିକଟରେ ସେମାନଙ୍କ ଆର୍‌ଟି-ପିସିଆର କୋଭିଡ-୧୯ ପରୀକ୍ଷଣ କରାଯିବାକୁ ବ୍ୟବସ୍ଥା କରାଯାଇଛି। ସଂସଦ ପରିସରରେ ୨୭-୨୮ ଜାନୁଆରୀରେ ଆର୍‌ଟି-ପିସିଆର୍‌ ଯାଞ୍ଚ କରାଯିବ। ସାଂସଦମାନଙ୍କ ପରିବାର, କର୍ମଚାରୀମାନଙ୍କର ଆର୍‌ଟି-ପିସିଆର୍‌ ଯାଞ୍ଚର ମଧ୍ୟ ବ୍ୟବସ୍ଥା ହୋଇଛି। କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ଦ୍ୱାରା ନିର୍ଦ୍ଧାରିତ ଟିକାକରଣ ଅଭିଯାନ ନୀତି ସାଂସଦମାନଙ୍କ ଉପରେ ମଧ୍ୟ ଲାଗୁ କରାଯିବ। ସଂସଦ ଅଧିବେଶନ ସମୟରେ ପୂର୍ବ ନିର୍ଦ୍ଧାରିତ ୧ ଘଣ୍ଟାର ପ୍ରଶ୍ନକାଳର ଅନୁମତି ରହିବ। ଉତ୍ତର ରେଲେଓ୍ଵ ବଦଳରେ ଏବେ ଆଇଟିଡିସି ସଂସଦର କ୍ୟାଣ୍ଟିନଗୁଡ଼ିକୁ ସଞ୍ଚାଳନ କରିବ। ତେବେ ସୂଚନା ମୁତାବକ, ସବ୍‌ସିଡି ସମାପ୍ତ କରାଯିବା ଦ୍ୱାରା ଲୋକସଭା ସଚିବାଳୟକୁ ବର୍ଷକୁ ୮ କୋଟି ଟଙ୍କା ସଞ୍ଚୟ ହୋଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.