Below header

ପାଞ୍ଚ ଝିଅ ପରେ ପୁଅ ଆଶାରେ ହେଲା ପୁଣି ଏକ ଝିଅ, କିନ୍ତୁ ଜନ୍ମରୁ ଅସ୍ୱାଭାବିକ ଭାବେ ବଢ଼ୁଛି ଆଖିରେ ମାଂସ

ନୂଆପଡା (କେନ୍ୟୁଜ) : ମା ସିନା ଜନ୍ମ ଦିଏ ହେଲେ କର୍ମ କି ଭାଗ୍ୟ ଦିଏନି । ତେଣୁ ସେହି ମା ପେଟଣୁ କେତେବେଳେ କିଭଳି ପିଲା ଜନ୍ମ ହୁଅନ୍ତି ତାହା କହିବା ମୁସ୍କିଲ । ଏବେ ଜଣେ ଗରିବ ଅସହାୟ ପରିବାରରେ ଜନ୍ମ ନେଇଛି ଏକ ଶିଶୁ କନ୍ୟା, ଯାହାର ଦୁଇଟି ଯାକ ଆଖି ନାହିଁ। ପୁଣି ଗୋଟେ ପାଖ ଆଖି ଅସ୍ୱାଭାବିକ ଭାବେ ବଢ଼ି ଚାଲିଛି। ଦର୍ଶକବନ୍ଧୁ ଏ ଦୁନିଆ ବହୁତ ସୁନ୍ଦର। ଆଉ ଏ ସୁନ୍ଦର ଦୁନିଆକୁ ଦେଖିବା ପାଇଁ ଭଗବାନ ଆଖି ଦେଇଥାନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ଏସବୁ ଦେଖିବାର ସୁଯୋଗ ମିଳିନଥାଏ। ପାଞ୍ଚଟି ଝିଅ ପରେ ପୁଅ ଜନ୍ମ ଦେବାକୁ ଆଶା ବାନ୍ଧି ବସିଥିଲେ ଉଦଳ ଓ ସଂଗୀତା। ବଂଶ ରଖିବା ପାଇଁ ପୁଅଟେ ପାଇବା ପାଇଁ ଏମାନେ ଆଶା ବାନ୍ଧିଥିଲେ। ସବୁ ବାପା ମାଆଙ୍କ ଭଳି ଏମାନଙ୍କର ବି ସ୍ୱପ୍ନ ଥିଲା ବୋଧହୁଏ ପାଞ୍ଚଟି ଝିଅ ପରେ ଏଥର ପୁଅଟିଏ କୋଳରେ ଆସିବ। କିନ୍ତୁ କୁହାଯାଏ ମଣିଷ ଯାହା ଚାହେଁ ଈଶ୍ୱର ତାହା କରାଇ ଦିଅନ୍ତି ନାହିଁ । ଠିକ୍‌ ସେମିତି ଏମାନଙ୍କର ପୁଣି ଗୋଟିଏ ଝିଅଟିଏ ଜନ୍ମ ହେଲା । ହେଲେ ଦିବ୍ୟାଙ୍ଗ।

ନୂଆପଡା ଜିଲା ଖଡିଆଳ ବ୍ଲକ ପୋଡାପାଲି ଗାଁର ଦିନ ମଜୁରିଆ ଉଦଳ ସୁନାନୀ। ତାଙ୍କର ଦେଢମାସର ଶିଶୁକନ୍ୟା ଜନ୍ମରୁ ଦୁଇ ଆଖିରେ ଦେଖିପାରୁ ନାହିଁ । ପୁଣି ଏବେ ତାର ବାମ ଆଖିର ମାଂସ ଦିନକୁ ଦିନ ବଢି ଚାଲିଛି। ଏପରି ଅସ୍ୱାଭାବିକ ଭାବେ ଆଖିରେ ମାଂସ ବଢ଼ିବା କାଣରୁ ଶିଶୁଟି ଯନ୍ତ୍ରଣାରେ ଛଟପଟ ହେଉଛି। ଅସ୍ତ୍ରୋପଚାର ପରେ ଝିଅଟି ଭଲ ହୋଇଯିବ ବୋଲି ଡାକ୍ତର କହିଛନ୍ତି। ଆଉ ଏଥିପାଇଁ ଆବଶ୍ଯକ ଲକ୍ଷାଧିକ ଟଙ୍କା। କିନ୍ତୁ ବାପା ଉଦଳ ସୁନାନୀ ଜଣେ ଦିନ ମଜୁରିଆ। ଏକାଥରେ ଏତେ ଗୁଡାଏ ଟଙ୍କା ଯୋଗାଡ କରିବା ତାଙ୍କ ପକ୍ଷେ ଅସମ୍ଭବ । ଉଦଳଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ସଂଗିତା ଓ ୬ ଜଣ ନାବାଳିକା ଝିଅ।

ଦିଓଳି ଦିମୁଠା ଖାଇବାକୁ ସଂଘର୍ଷ କରୁଥିବା ଉଦଳଙ୍କ ପରିବାର ଶିଶୁକନ୍ୟାଟିର ଆଖିର ଅପରେସନ୍‌ କେମିତି କରିବେ ସେହି ଚିନ୍ତାରେ। କାହିଁକିନା ନବଜାତ ଶିଶୁକନ୍ୟାର ଚିକିତ୍ସା ହୋଇ ପାରୁନଥିବାରୁ ତାର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରେ ଲାଗିଛିା ଝିଅଟିର ଦୁଇଟି ଆଖିର ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦେବାକୁ ପରିବାର ସାହାଯ୍ୟ ଲୋଡିଛନ୍ତି। ତାଙ୍କ ପରିବାର ସମତେ ସ୍ଥାନୀୟ ଲୋକ ମଧ୍ୟ ପ୍ରଶାସନ ନିକଟରେ ସାହାଯ୍ୟ ପାଇଁ ଦାବି କରିଛନ୍ତି । ଏଥିସହ ଏହି ଅସହାୟ ପରିବାରକୁ ବିଭିନ୍ନ ସରକାରୀ ଯୋଜନାରେ ଖାଦ୍ୟ ବ୍ୟବସ୍ଥା ସହ ଆବାସଗୃହ ଯୋଗାଇ ଦେବାକୁ ମଧ୍ୟ ଦାବି କରାଯାଇଛି ।

ଅବଶ୍ୟ ଶିଶୁ କନ୍ଯାର ଆଖିର ଚିକିତ୍ସା ପାଇଁ ଆମେ ନୂଆପଡା ଜିଲା ସ୍ୱାସ୍ଥ୍ୟ ବିଭାଗର ଏଡିଏମଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ସେ ଓଡିଶା ଚିକିତ୍ସା ସେବା ପାଣ୍ଠି ଦ୍ୱାରା ପିଲାଟିର ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏତିକି ସହଯୋଗରେ ଦୁଃଖ ଦୂର ହେବନି ଏଇ ପରିବାରର । ତେଣୁ ବଦାନ୍ୟ ବ୍ୟକ୍ତି ଏହି କୁନି ଝିଅ ଓ ତାର ଦୁଃଖୀ ପରିବାର ପାଇଁ ସହାୟତାର ହାତ ବଢ଼ାଇବେ ବୋଲି ଆଶା କରୁଛୁ । ସାହାଯ୍ୟ କରିବାକୁ ଚାହୁଁଥିଲେ ଏଥିରେ ଯୋଗାଯୋଗ କରନ୍ତୁ।

address

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.