Below header

ଏକାଠି ହେଲେ ଆଦିବାସୀ : କିସ୍‌ରେ ପଢୁଥିବା ପିଲାମାନଙ୍କ ବିଭିନ୍ନ ଦାବି ଓ ସମସ୍ୟା ନେଇ ଏକଜୁଟ ଅଭିଭାବକ ସଂଘ

ଭୁବନେଶ୍ବର : କିସ୍‌ର ବିଭିନ୍ନ ଦାବି ଓ ସମସ୍ୟା ନେଇ ଏକାଠି ହେଲେ ଆଦିବାସୀ । କିସ୍‌ରେ ପଢୁଥିବା ପିଲାମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବା ଓ ସେମାନଙ୍କୁ ଅଯଥାରେ ହଇରାଣ କରୁଥିବା ବ୍ୟକ୍ତିବିଶେଷ ଏବଂ କେତେକ ଅନୁଷ୍ଠାନ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବିରେ ରାଜ୍ୟର ବିଭିନ୍ନ ଆଦିବାସୀ ସଂଗଠନ ଓ କିସ୍‌ ଆଦିବାସୀ ଅଭିଭାବକ ସଂଘ ଏକଜୁଟ ହୋଇଛନ୍ତି । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ଅଭିଯୋଗ କରିଛନ୍ତି ଯେ, କିସ୍‌କୁ କେତେକ ନକାରାତ୍ମକ, ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଓ କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବାରମ୍ବାର ହଇରାଣ କରିଆସୁଛନ୍ତି । ଏନେଇ ବହୁବାର ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇଥିବା ବେଳେ ଏବେ ପିଲାମାନେ ପଠପଢ଼ିବା ପାଇଁ କିସ୍‌କୁ ଆସିସାରିଲେଣି ।

ସେମାନଙ୍କ ଶିକ୍ଷା ଗ୍ରହଣରେ ଯେପରି କିଛି ଅସୁବିଧା ନହୁଏ, ସେଥିପାଇଁ ଆଜି ପୁଣି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସେମାନେ ବିଭିନ୍ନ ଦାବି ରଖିଛନ୍ତି । ସେମାନେ କହିଛନ୍ତି, ସାରା ବିଶ୍ୱ କିସ୍‌କୁ ଭଲ ପାଉଛି । ଯାହାର ଏକ ଉଦାହରଣ ହେଉଛି କିସ୍‌ରେ ବିଶ୍ୱ ନୃବିଜ୍ଞାନ କଂଗ୍ରେସ ଆୟୋଜନ । କିସ୍‌କୁ ଭଲ ପାଉଥିବା ପ୍ରାୟ ୧୫୦ଟି ଦେଶର ଲୋକ କିସ୍‌ରେ ବିଶ୍ୱ ନୃବିଜ୍ଞାନ କଂଗ୍ରେସ ଆୟୋଜନ ସପକ୍ଷରେ ଭୋଟ୍‌ ଦେଇଛନ୍ତି । ମାତ୍ର ଦୁଃଖର ବିଷୟ, କିଛି ନକାରାତ୍ମକ ବ୍ୟକ୍ତି ଓ ନିର୍ଦ୍ଦିଷ୍ଟ ଗଣମାଧ୍ୟମ କିସ୍‌କୁ ହଇରାଣ କରିବା ସହ ବିଭିନ୍ନ ପ୍ରକାର କୁତ୍ସରଟନା କରିଆସୁଛନ୍ତି । କୌଣସି ବାହ୍ୟ ସହଯୋଗ ନପାଇ କିସ୍‌ ପରିଚାଳିତ ହେଉଛି । କିସ୍‌ କର୍ତ୍ତୃପକ୍ଷ ଦୀର୍ଘ ୨୬ ବର୍ଷ ହେଲାଣି ୨୭ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ ସହ ଲାଳନପାଳନ କରିଆସୁଛନ୍ତି । ଏଥିପାଇଁ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସେମାନେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

କିଛି ତଥାକଥିତ ସୂଚନା ଅଧିକାର କର୍ମୀ ଓ ନକାରାତ୍ମକ ବ୍ୟକ୍ତି କିସ୍‌ ବିରୋଧରେ ମିଥ୍ୟା ତଥ୍ୟ ପ୍ରଦାନ କରି ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି । ସେମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ପିଟିସନ ପକାଇ ଚାଲିଛନ୍ତି । ସେମାନଙ୍କ ପିଟିସନର ସତ୍ୟତା ଅନୁସନ୍ଧାନ କରିବା ପରିବର୍ତ୍ତେ ପ୍ରତିମାସ ବିଭିନ୍ନ ସରକାରୀ ବିଭାଗ କିସ୍‌କୁ ତଦନ୍ତକାରୀ ଟିମ୍‌ ପଠାଇ ପିଲାମାନଙ୍କୁ ଅଯଥାରେ ହଇରାଣ କରୁଛନ୍ତି । ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, କିସ୍‌ କିପରି ବନ୍ଦ ହୋଇଯାଉ । ଆଦିବାସୀମାନେ ପୁଣି ନକାରାତ୍ମକ କାର୍ୟ୍ୟରେ ଲିପ୍ତ ରୁହନ୍ତୁ । ଏହାକୁ ବିଭିନ୍ନ ଆଦିବାସୀ ସଂଗଠନ ଓ କିସ୍‌ ଆଦିବାସୀ ଅଭିଭାବକ ସଂଘ ତୀବ୍ର ବିରୋଧ କରିଛି । ଚେତାଇ ଦେଇଛି ଯେ, ଏହାପରେ ଯଦି କିସ୍‌ ଓ ଏହାର ଛାତ୍ରଛାତ୍ରୀଙ୍କୁ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ହଇରାଣ କରନ୍ତି, ତେବେ ଆଦିବାସୀ ସମାଜ ତାତିବ । ସାରା ରାଜ୍ୟରେ ସେମାନଙ୍କ କୁତ୍ସିତ ଅଭିସନ୍ଧି ବିରୋଧରେ ପ୍ରଚାର ଓ ପ୍ରସାର କରି ମୁଖା ଖୋଲିଦିଆଯିବ ।

ପ୍ରଶାସନ ସଂପୃକ୍ତ ବ୍ୟକ୍ତିବିଶେଷ ଓ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବିରୋଧରେ ତୁରନ୍ତ ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ବିଶ୍ୱର ପ୍ରଥମ ଜନଜାତି ବିଶ୍ୱବିଦ୍ୟାଳୟ କିସ୍‌କୁ ଆବଶ୍ୟକ ଜମି ଓ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉ । ଏହାସହ ବିଭିନ୍ନ ଶିଳ୍ପାନୁଷ୍ଠାନ ଭଳି କିସ୍‌କୁ ବିଦ୍ୟୁତ ଓ ପାଣି ସ୍ୱଳ୍ପ ଦେୟରେ କିମ୍ବା ନିଃଶୁଳ୍କ ଯୋଗାଇ ଦିଆଯାଉ । କିସ୍‌କୁ ଟଙ୍କିକିଆ ଚାଉଳ ମିଳୁ ବୋଲି ବିଭିନ୍ନ ଆଦିବାସୀ ସଂଗଠନ ଓ କିସ୍‌ ଆଦିବାସୀ ଅଭିଭାବକ ସଂଘ ଦାବି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.