ମାଆ ଲୋ ତୋ ବିନା ଏବେ ମୁଁ ଏକା କେମିତି ରହିବି, ଫଟୋକୁ ଦେଖି କୋହ ସମ୍ଭାଳିପାରୁନି ଅନାଥ ଭାଗବତ

ରାଜନଗର (କେନ୍ୟୁଜ) : ଏକା ହୋଇଗଲା ଭାଗବତ। ମାଆର ଫଟୋକୁ ଚାହିଁ ମନ ଭିତରେ ଗୁମୁରି ଗୁମୁରି କାନ୍ଦୁଛି ଭାଗବତ। ଡକାଡକି ହୋଇ ଆଗ ପଛ ହୋଇ ଚାଲିଗଲେ ବାପା ମାଆ। ଏକାକୀ ହୋଇଗଲା ପୁଅ ଭାଗବତ। ଦୁଇବର୍ଷ ତଳେ ବିଦ୍ୟୁତ ଆଘାତରେ ବାପା ଚାଲିଯାଇଥିଲେ ଆଉ ଏବେ ଜ୍ଵରରେ ପୀଡିତ ହୋଇ ଚିକିତ୍ସା ଅଭାବରୁ ଆରପାରିକୁ ଚାଲିଗଲେ ମାଆ। ବାପା, ମାଙ୍କୁ ଅକସ୍ମାତ ଏପରି ହରାଇ ପୁଅ ଭାଗବତ ଆଜି ବେସାହାରା। ଏତେ କମ୍‌ ବୟସରୁ ବାପା ମାଆଙ୍କୁ ହରାଇ କେମିତି ବଞ୍ଚିବ ଜାଣିପାରୁନି ପୁଅ ଭାଗବତ। ମାତ୍ର ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଭାଗବତ ଜାଣିପାରୁନି ମାଆର ଶୁଦ୍ଧିକ୍ରୀୟା କେମିତି ସମ୍ପନ୍ନ କରିବ। ତେଣୁ ସାହି ଭାଇଙ୍କୁ ମାଗି ଯାଚି ମାଆର ସୁଧିକ୍ରିୟା ଶେଷ କରିଛି ଭାଗବତ। କିନ୍ତୁ ଏକୁଟିଏ ଏବେ ବଞ୍ଚିବ କେମିତି ସେହି ଚିନ୍ତା ଘାରୁଛି ତା ମୁଣ୍ଡରେ।

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଚମ୍ପାଦିଆ ଗ୍ରାମର ୧୪ବର୍ଷର ବାଳକ ଭାଗବତ ଦାସ। ଅଭାବ ଅନାଟନ ମଧ୍ୟରେ ବାପା ଗୁରୁବାରୀ ଦାସ ମୂଲ ମଜୁରୀ ଲାଗୀ ସଂସାର ଚଳାନ୍ତି । କିନ୍ତୁ ବିଧିର ବିଡମ୍ବନା ଯେ ଦୃଘଟଣାରେ ବାପା ଚାଲିଗଲେ । ପରେ ଦୁଖେ କଷ୍ଟେ ପୁଅ ଭାଗବତକୁ ଧରି ଚଳୁଥିଲେ ମାଆ। କିନ୍ତୁ ଜ୍ଵରରେ ପିଡିତ ହୋଇ ଚିକିତ୍ସା ଅଭାବରୁ ମାଆ ମଧ୍ୟ ପୁଅକୁ ଏକା କରି ଛାଡି ଚାଲିଗଳେ ଆରପାରିକୁ। ବାପା ମାଙ୍କୁ ହରାଇ ଏକା ହୋଇଯାଇଛନ୍ତି ୧୪ବର୍ଷର ୧୦ମ ଶ୍ରେଣୀ ଛାତ୍ର ଭାଗବତ । ମାଙ୍କ ମୃତ୍ୟୁ ପରେ ଶବ ସତ୍କାରଠୁ ଆରମ୍ଭ କରି କ୍ରିୟା କ୍ରମ ମାଗି ଯାଚି ଗ୍ରାମବାସୀଙ୍କ ସହାୟତାରେ ସମ୍ପର୍ଣ୍ଣ ହୋଇଛି । କିନ୍ତୁ ଭଙ୍ଗା କୁଡିଆରେ ଏବେ କଣ ଖାଇବ କିପରି ରହିବ ଓ ପାଠ ପଢି ମା ବାପାଙ୍କ ସ୍ୱପ୍ନ ସାକାର କେମିତି କରିବ ସେ ଚିନ୍ତାରେ ଦିନ କାଟୁଛି ଭାଗବତ।

ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ଯନ୍ତ କାଇଁ କେତେ ଯୋଜନା କରୁଛନ୍ତି କିନ୍ତୁ ଭାଗବତର ବିଧବା ମାଆ ଭତ୍ତାପାଇଁ ଦୌଡି ଦୌଡି ଶେଷରେ ଆଖି ବୁଜିଛନ୍ତି ହେଲେ ବିଧବା ଭତ୍ତା ଟିଏ ପାଇପାରିଲୋ ନାହିଁ । ଭଙ୍ଗା ଘରେ ଜୀବନ ବିତୁଥିଲେ ମଧ୍ୟ ସରକାରୀ ପକ୍କାଘର ଯେମିତି ଏହି ଅଭାବୀ ପରିବାର ପାଇଁ ସାତ ସପନ । ଏମିତି କି ମାଙ୍କ ମୃତ୍ୟୁ ପରେ ମୃତ୍ୟୁ କାଳୀନ ସହାୟତା ହରିଶିଚନ୍ଦ୍ର ଯୋଜନାରେ ଟଙ୍କା ଦଶଦିନ ପରେ ମିଳିଲା । ଭାଗବତଙ୍କ ବାପା ମାଆ ଜୀବିତ ଥିବାବେଳେ ସରକାରୀ ସହାୟତା ଟିକେ ପାଇବା ପାଇଁ ଅନେକ ଦୌଡିଛନ୍ତି। ପଞ୍ଚାୟତ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ଯନ୍ତ ବହୁ ବାର ଗୁହାରୀ କରି କରି ଆରପାରିକୁ ଚାଲିଗଲେ ସୁଦ୍ଧା କୌଣସି ସୁବିଧା ମିଳିପାରିଲା ନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।

ଆଉ ଏବେ ଏକା ହୋଇଯାଇଛନ୍ତି ଭାଗବତ । ଭାଗବତଙ୍କ ପାଖରେ ସମ୍ବଳ କହିଲେ ରହୁଥିବା ଏହି ଭଙ୍ଗା ଚାଳଘର ଟିଏ । ୧୦ମ ଶ୍ରେଣୀରେ ପଢୁଥିବା ଭାଗବତ ଆଗକୁ କିପରି ପାଠ ପଢିବ,ଦିଓଳି ଦୁଇମୁଠା ଦାନା କେମିତି ଖାଇବ ଓ କେଉଁଠି ରହିବ ସେନେଇ ପ୍ରଶାସନ ତୁରନ୍ତ ସମସ୍ତ ସହାୟତା ଯୋଗାଇ ଦିଅନ୍ତୁ ବୋଲି ଦାବି କରିଛନ୍ତି ଗ୍ରାମବାସୀ। ଏନେଇ ଆମେ ରାଜନଗର ବିଡ଼ିଓ ଙ୍କୁ ପଚାରିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.