Below header

ଓଡ଼ିଶାରେ ପହଞ୍ଚିଲା ସହିଦ ଯବାନ ଅଜିତ ସାହୁଙ୍କ ମରଶରୀର, ୧୨୦ ବାଟାଲିୟାନରେ ଦିଆଗଲା ଗାର୍ଡ଼ ଅଫ ଅନର

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶାରେ ପହଞ୍ଚିଲା ସହିଦ ଯବାନ ଅଜିତ ସାହୁଙ୍କ ମରଶରୀର । ବିଳମ୍ବିତ ରାତିରେ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ୧୨୦ ବାଟାଲିୟାନକୁ ନିଆଯାଇଥିଲା । ସେଠାରେ ସହିଦଙ୍କ ଗାର୍ଡ ଅଫ୍‌ ଅନର ଦିଆଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ସିଆରପିଏଫ୍‌ ଡିଜି ତଥା ବରିଷ୍ଠ ବିଜେପି ନେତା ପ୍ରକାଶ ମିଶ୍ର ପ୍ରମୁଖ ସହିଦଙ୍କୁ ଗାର୍ଡ ଅଫ୍‌ ଅନର ଦେଇଥିଲେ । ଏହା ପରେ ମରଶରୀର ଜନ୍ମମାଟି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବଡ଼ସୁଆଁଳ ଗାଁକୁ ନିଆଯାଇଛି । ସେଠାରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ । ଅଜିତଙ୍କୁ ହରାଇ ପୂରା ଗାଁ କାନ୍ଦୁଛି । ବୀର ପୁଅର ବିୟୋଗରେ ପରିବାର ଓ ସମ୍ପର୍କୀୟଙ୍କ ଆଖିରୁ ଲୁହ ଶୁଖୁନି । ୨୦୧୫ ମସିହାରେ ସେନାରେ ଯୋଗ ଦେଇଥିଲେ ଅଜିତ । ମାତ୍ର ୪ ବର୍ଷର ଚାକିରି ଭିତରେ ଦେଶ ପାଇଁ ସହିଦ ହୋଇଛନ୍ତି । ସୋମବାର ଜାମ୍ମୁ କାଶ୍ମୀର ପୁଲଓ୍ଵାମାରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ଆହତ ହୋଇଥିଲେ ଅଜିତ୍‌ । ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ମର ଶରୀରକୁ ନେଇ ଆସିବାକୁ ଥିବା ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବାରୁ ଆସି ପାରିନଥିଲା । ମୃତକଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.