Below header

ଅନ୍ଧବିଶ୍ବାସକୁ ବିଶ୍ବାସ କରି ଗାଁ ଲୋକେ ଛୁଇଁଲେନି ଶବ, ସରପଞ୍ଚ କଲେ ସଂସ୍କାର

ସାହି ଭିତରେ ପଚିଶଢି ଗନ୍ଧାଉଥିଲା ଶବ । ସଂସ୍କାର କରିବା ପାଇଁ ଆଗେଇ ଆସିବା ତ ଦୂରର କଥା ପାଖ ବି ମାଡ଼ି ନଥିଲେ । ଖବର ପାଇ ସରପଞ୍ଚ ଓ କିଛି ସ୍ବେଚ୍ଛାସେବୀ ପହଁଚି ମୃତ ଶରୀରର ଶବ ସଂସ୍କାର କରିଥିଲେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ନୃସିଂହପୁର ଟାଙ୍ଗି ସାହିରେ ।

ନୟାଗଡ଼(କେନ୍ୟୁଜ୍): ସାହି ଭିତରେ ପଚିଶଢି ଗନ୍ଧାଉଥିଲା ଶବ । ଦୁର୍ଗନ୍ଧରେ ଫାଟି ପଡ଼ୁଥିଲା ପୁରା ଗାଁ । ହେଲେ ଶବଟିକୁ ଉଠାଇବା ପାଇଁ କେହିବି ଦେଖାଇ ନଥିଲେ ମାନବିକତା । ସଂସ୍କାର କରିବା ପାଇଁ ଆଗେଇ ଆସିବା ତ ଦୂରର କଥା ପାଖ ବି ମାଡ଼ି ନଥିଲେ । ମୃତ ବ୍ୟକ୍ତିଙ୍କର ନା ଥିଲେ ପରିବାର ନା ଥିଲେ ଜ୍ଞାତି କୁଟୁମ୍ବ । ଦୀର୍ଘ ୮ ଘଣ୍ଟା ଧରି ଘର ଭିତରେ ପଡ଼ି ରହିଥିଲା ଶବ । ଖବର ପାଇ ସରପଞ୍ଚ ଓ କିଛି ସ୍ବେଚ୍ଛାସେବୀ ପହଁଚି ମୃତ ଶରୀରର ଶବ ସଂସ୍କାର କରିଥିଲେ । ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ନୃସିଂହପୁର ଟାଙ୍ଗି ସାହିରେ ।

ନୃସିଂହପୁର ଟାଙ୍ଗି ସାହିରେ ରହୁଥିଲେ କୃଷ୍ଣ ବାହାଦୂର ନାମକ ବ୍ୟକ୍ତି । କୃଷ୍ଣଙ୍କ ଘର ନେପାଳ ହୋଇଥିବା ବେଳେ ସେ ଯୁବକ ସମୟରୁ ଏଠାରେ ରହି ଆସୁଛନ୍ତି । କୃଷ୍ଣ ରାଜସୁନାଖଳା ଦୁର୍ଗା ବଜାରରେ ଚୈକିଦାର ଭାବେ କାମ କରି ଆସୁଥିଲେ । କିଛି ବର୍ଷ ତଳେ କୃଷ୍ଣଙ୍କ ଗୋଡ଼ ପଚିବା ଆରମ୍ଭ କରିଥିଲା । ଫଳରେ ଚାକିରି ହରାଇ ଭିକ୍ଷାବୃତ୍ତି କରି ଚଳୁଥିଲେ କୃଷ୍ଣ । ବର୍ଷେ ହେବ ତାଙ୍କର ଗୋଡ଼ ଅକାମୀ ହୋଇଯିବାରୁ ଘର ଭିତରେ ପଡ଼ି ରହିଥିଲେ ସେ । ଘର ଭିତରେ ପଡ଼ିରହି ଯନ୍ତ୍ରଣା ଭୋଗୁଥିଲେ କୃଷ୍ଣ । ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଗାଁ ଲୋକେ ଜାଣିବାକୁ ପାଇଥିଲେ । ହେଲେ ଶବ ସେମିତି ପଡ଼ି ରହିଥିଲା ।

ଖବର ପାଇ ଘଟଣାସ୍ଥଳରେ ପହଁଚିଥିଲେ ରାଜ ସୁନାଖଳାର ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଓ ସାମାଜିକ କର୍ମୀ ଆର୍ତ୍ତତ୍ରାଣ ପ୍ରଧାନ । କିଛି ସ୍ବେଚ୍ଛାସେବୀଙ୍କ ସହଯୋଗରେ ପଲିଥିନରେ ଗୁଡ଼ାଇ କୋକେଇରେ ବୋହି ମଶାଣି ପର୍ଯ୍ୟନ୍ତ ନେଇ ଯାଇଥିଲେ । ଖରା ଓ ଅସହ୍ୟ ଗୁଳୁଗୁଳି ବି ଏମାନଙ୍କର ଏହି ମହାନ କାର୍ଯ୍ୟକୁ ବାଧା ଦେଇପାରି ନଥିଲା । ଶବଟିକୁ ସମ୍ମାନର ସହ ଅନ୍ତିମ ସଂସ୍କାର କରିଥିଲେ ଦୁଇ ହୃଦୟବାନ ବ୍ୟକ୍ତି । ଅନ୍ଧ ବିଶ୍ବାସର ଦ୍ବାହି ଦେଇ ଗାଁ ଲୋକେ ସିନା ଛୁଇଁ ନଥିଲେ ଶବକୁ । ଏମାନେ କିନ୍ତୁ ତାଙ୍କ ମହାନତା ବଳରେ ସେମାନଙ୍କ ନିକଟରେ ଉଦାହରଣ ପାଲଟି ଯାଇଛନ୍ତି । ଅନ୍ୟମାନେ ଶାନ୍ତିରେ ଶୋଇବେ ବୋଲି ରାତି ଅନିଦ୍ରା ହେଉଥିବା ଚୌକିଦାରର ଚିରନିଦ୍ରା ସମୟରେ ଚାରିକାନ୍ଧ ଦେବାକୁ କେହି ଆସିଲେନି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.