Below header

୬ ଘଣ୍ଟାର ଅସ୍ତ୍ରୋପଚାର ପରେ ହେଲା ସମ୍ଭବ, ଯୁବକଙ୍କ କଟା ହାତକୁ ଯୋଡ଼ିଲେ ଡାକ୍ତରୀଦଳ

ପୁଣି ବଡ଼ ସଫଳତା ହାସଲ କଲା ଏସସିବି ମେଡିକାଲ କଲେଜ । ଯୁବକଙ୍କ କଟା ହାତକୁ ଯୋଡ଼ିଲେ ଡାକ୍ତରୀଦଳ । ୬ ଘଣ୍ଟାର ଅସ୍ତ୍ର ପ୍ରଚାର ପରେ ଏହା ସମ୍ଭବ ହୋଇପାରିଛି । ରାତି ୧୨ଟାରୁ ସକାଳ ୬ଟା ଯାଏ ଚାଲିଲା ଏହି ଜଟିଳ ଅସ୍ତ୍ରପ୍ରଚାର । କଟକ ବଡ଼ ମେଡିକାଲରୁ ଆସିଛି ଏଭଳି ଚିତ୍ର ।

କଟକ(କେନ୍ୟୁଜ୍): ପୁଣି ବଡ଼ ସଫଳତା ହାସଲ କଲା ଏସସିବି ମେଡିକାଲ କଲେଜ ଓ ହସପିଟାଲ । ଯୁବକଙ୍କ କଟା ହାତକୁ ଯୋଡ଼ିଲେ ଡାକ୍ତରୀଦଳ । ମେଡିକାଲ କଲେଜର ପ୍ଲାଷ୍ଟିକ ସର୍ଜରୀ ବିଭାଗ ଏପରି ଅସମ୍ଭବକୁ ସମ୍ଭବ କରି ଦେଖାଇଛି । ଦୀର୍ଘ ୬ ଘଣ୍ଟାର ଅସ୍ତ୍ରୋପଚାର ପରେ ଏହା ସମ୍ଭବ ହୋଇପାରିଛି । ଯାହାକୁ ସଫଳ କରିବାରେ ଲାଗି ପଡ଼ିଥିଲା ପୁରା ଡାକ୍ତରୀ ଦଳ । ସଫଳତା ପରେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି ଡାକ୍ତର ମାନେ ।

ବାଲେଶ୍ବର ଜିଲ୍ଲା ସଦର ଥାନା କୁଟାପାଳ ଗାଁର ୨୩ ବର୍ଷୀୟ ଯୁବକ ପ୍ରକାଶ ଦାସ । ଗତ ୨୧ ତାରିଖ ସଂଧ୍ୟାରେ ଟିଉସନ ସାରି ରଥଯାତ୍ରା ଦେଖିବାକୁ ଆସୁଥିଲେ । ସେହି ଗାଁର କିଛି ଯୁବକ ପ୍ରକାଶଙ୍କ ଉପରେ ଆକ୍ରମଣ କରି ବାମ ହାତକୁ ହାଣି ଅଲଗା କରି ଦେଇଥିଲେ । ପ୍ରକାଶଙ୍କ ପରିବାର ଲୋକେ କଟାହାତକୁ ଧରି ବାଲେଶ୍ବରରୁ କଟକ ବଡ଼ ମେଡିକାଲକୁ ଆସିଥିଲେ । ତୁରନ୍ତ ଡାକ୍ତରୀଦଳ ପ୍ରକାଶଙ୍କ ଅସ୍ତ୍ରୋପଚାର ଆରମ୍ଭ କରିଥିଲେ । ରାତି ୧୨ଟାରୁ ସକାଳ ୬ଟା ଯାଏ ଚାଲିଲା ଏହି ଜଟିଳ ଅସ୍ତ୍ରୋପଚାର । ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ବିଭୁତି ଭୂଷଣ ନାୟକଙ୍କ ନେତୃତ୍ବରେ ୧୦ ଜଣିଆ ଟିମ୍ ଏହି ଜଟିଳ ଅସ୍ତ୍ରପ୍ରଚାର କରିଥିଲା ।

୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ କଟାହାତକୁ ଯୋଡ଼ି ଇତିହାସ ସୃଷ୍ଟି କରିଥିଲା ଏସସିବି ମେଡିକାଲ । ଯୋଡ଼ାହାତ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୩ରୁ ୪ ମାସ ଭିତରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଯିବ ବୋଲି ଡାକ୍ତର ବିଭୁତି ଭୂଷଣ ନାୟକ କହିଛନ୍ତି । ଏହାର ସଫଳତା ନେଇ ଶୁଭେଚ୍ଛା ଜଣାଇଛନ୍ତି ଏସସିବି ଅଧିକ୍ଷକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.