ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଚାଷୀ ପ୍ରସଙ୍ଗରେ ତାତିଲା ବିଧାନସଭା,ଚାଲିପାରିଲାନି ପ୍ରଶ୍ନକାଳ

କେନ୍ୟୁଜ୍(ବ୍ୟୁରୋ):  ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ ଚାଷୀ ପ୍ରସଙ୍ଗରେ ତାତିଲା । ଗୃହ ବାରମ୍ବାର ମୁଲତବୀ । ଚାଲିପାରିଲାନି ପ୍ରଶ୍ନକାଳ । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ପ୍ରବଳ ହଟ୍ଟଗୋଳ, ନାରାବାଜି କରିଥିଲେ । ବିଜେପି ବିଧାୟକ ଅଭିଯୋଗ କରିଥିଲେ ମଣ୍ଡିରେ ଧାନ ପଡ଼ିଛି , ଧାନ ଉଠୁନି । ଚାଷୀଙ୍କ ସମସ୍ୟାର ସମାଧାନ କରାଯାଉ । ସେହିପରି ପ୍ରଶ୍ନକାଳ ବାତିଲ କରି ଚାଷୀଙ୍କ ପ୍ରସଙ୍ଗରେ ଆଲୋଚନା କରିବାକୁ ଅଡ଼ି ବସିଥିଲେ କଂଗ୍ରେସ ବିଧାୟକ ।

assembly 1

ବିଜେଡି ବିଧାୟକ କହିଥିଲେ, ପ୍ରଶ୍ନକାଳକୁ ବାତିଲ କରିବା ଠିକ୍ ନୁହେଁ । ବିଧାନସଭାର ଅଲଗା ଫୋରମରେ ଏହାର ଆଲୋଚନା ହୋଇପାରିଥାଆନ୍ତା । କିନ୍ତୁ ଦିଲ୍ଲୀ ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଏଡ଼ାଇବାକୁ ବିଜେପି ମଣ୍ଡି ପ୍ରସଙ୍ଗ ଉଠାଇଛି ବୋଲି ସରକାରୀ ଦଳ କହିଛି । ପାଟିତୁଣ୍ଡ ଯୋଗୁ ପୂର୍ବାହ୍ନ ଅଧିବେଶନ ଧୋଇଯାଇଥିଲା ।

ପୂର୍ବାହ୍ନ ଅଧିବେଶନ ପରି ଅପରାହ୍ନ ଅଧିବେଶନରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ଚିତ୍ର । ଅଚଳାବସ୍ଥା ଦୂର ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ଆସନ୍ତାକାଲି ଗୃହରେ ସମବାୟ ମନ୍ତ୍ରୀ ବିବୃତ୍ତି ରଖିବାକୁ ବାଚସ୍ପତି ରୁଲିଂ ଦେଇଥିଲେ । ପରବର୍ତ୍ତୀ ୭ ଦିନ ଭିତରେ ମଧ୍ୟ ଗୃହକୁ ଧାନ କିଣା ସଂପର୍କରେ ଅବଗତ କରିବାକୁ କହିଥିଲେ । କିନ୍ତୁ ବାଚସ୍ପତିଙ୍କ ରୁଲିଂ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନଥିଲା । ବାଚସ୍ପତିଙ୍କ ସାମ୍ନାରେ ଥିବା ଫାଇବର ଗ୍ଲାସ ତଳକୁ ଖସାଇଦେଇଥିଲେ ବିରୋଧୀ । ଏଥିସହ ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଥିଲେ । ଅଚଳାବସ୍ଥା ଲାଗି ରହିବାରୁ ଗୃହକୁ ଆସନ୍ତାକାଲି ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.