ଅଜା ତୁମେ ଗଲ ମା’କୁ ସ୍କୁଟିରେ ନେଇ ଆସିବ, ଏମିତି କହୁଛି ସ୍ମିତାରାଣୀଙ୍କ ଚାରି ବର୍ଷର ଝିଅ ଖୁସି

ଯାଜପୁର (କେ ନ୍ୟୁଜ୍) : ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି । ତାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ଓ ଯିଏ ବି ଦାୟୀ ତାକୁ ଦଣ୍ଡ ମିଳୁ ବୋଲି ଦାବି ହେଉଛି । ତେବେ ଏସବୁ ଭିତରେ ଏକା ହୋଇଯାଇଛି ସ୍ମିତାଙ୍କ ୪ ବର୍ଷ ବୟସର ଝିଅ ଖୁସି । ଖୁସି ମା’କୁ ଖୋଜୁଛି । ପଚାରୁଛି, ମା କଣ ଏତେ ଦିନ ହେଲା ଭତ୍ତା ବାଣ୍ଟିବାକୁ ଯାଇଛି ? କେବେ ଆସିବ ? ସେ କଣ ଗାଡ଼ି ପାଉ ନାହିଁ ? ଅଜା ତୁମେ ଗଲ ତାକୁ ସ୍କୁଟିରେ ନେଇ ଆସିବ । ଏକଥାର ଉତ୍ତର ପରିବାର ଲୋକଙ୍କ ପାଖରେ ନାହିଁ ।
କାରଣ ଖୁସି ଜାଣିନି କଣ ଘଟି ଯାଇଛି । ସେ ସବୁଦିନ ପାଇଁ ହୋଇ ଯାଇଛି ମା ଛେଉଣ୍ଡ । ସେମିତି ସ୍ମିତାରାଣୀଙ୍କ ମୃତଦେହ ଆସିବା ପରେ ପଚାରିଥିଲା, ମା ବେକରେ କାହିଁକି ଫୁଲମାଳ ଦିଆଯାଇଛି ବୋଲି ?