ପୁଅ ପାଇଁ ଅଲୋଡା ମା’ : ହାଡଭଙ୍ଗା ଶୀତ ରାତିରେ ଘରୁ ତଡି ଦେଲା ଅଲାଜୁକ ପୁଅ, ଭିଡିଓ ହେଲା ଭାଇରାଲ୍

କେନ୍ୟୁଜ୍ : ଅଲୋଡା ମା’ । ମା’ ସିନା ଜାଣେ ପିଲାର ମନ କଥା ହେଲେ ପିଲା କଣ ସତରେ ଜାଣିପାରେନି ମା’ର ବେଦନା । ଯିଏ ନିଜର ଗର୍ଭ ଯନ୍ତ୍ରଣାକୁ ଖାତିର ନକରି ଏହି ଦୁନିଆକୁ ନୂଆ ଜୀବନଟିଏ ଆଣିଦିଏ, ଦୁଃଖ ଯନ୍ତ୍ରଣା ସହି ଯୋଉ ମା’ ଛୋଟରୁ ବଡ କରି ମଣିଷଟିଏ ଗଢି ତୋଳିଥାଏ ସେହି ମା’ର କଣ କିଛି ସ୍ଥାନ ନାହିଁ? ଏହି ପ୍ରଶ୍ନ ସେହି ଅଲାଜୁକ ପୁଅ ମାନଙ୍କୁ ଯିଏ ମା’ର ପଣତର ମୂଲ ବୁଝିପାରିନାହାନ୍ତି ହେଲେ ସ୍ତ୍ରୀର ବୋଲକୁ ଠିକ୍ ଭାବେ ବୁଝିପାରିଛନ୍ତି ।
ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯେଉଁଠି ମା’ର ଲୁହ ଆଖିରୁ ଗଡି ଦାଣ୍ଡରେ ଆସି ପଡିଛି । ହେଲେ ମା’ର ସେହି କୂଳନନ୍ଦନକୁ ମା ଆଖିର ଲୁହ ଦେଖାଯାଉନି । ହାଡଭଙ୍ଗା ଶୀତୁଆ ରାତିରେ ମା’କୁ ତଡିଦେଇଛି ପୁଅ । କାରଣ ଦୁଇ ପୁଅ ଭିତରେ ଭାଗ ବଣ୍ଟା ହେଇଛି ମା’ର ରହଣୀକୁ ନେଇ । ମା’କୁ ରଖିବାର ପାଳି ସରିଯିବାରୁ ଘର ବାହାରକୁ ଅଳିଆ ଫୋପାଡିବା ଭଳି ମା’କୁ ଫୋପାଡିଦେଇ ତାଲା ପକାଇଦେଇଛି ଏହି ପୁଅ । ବ୍ରହ୍ମପୁର ଅନନ୍ତନଗରର ଏହି ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି ।
ଅନ୍ୟ ମା’ ମାନଙ୍କ ଭଳି ଏହି ବୃଦ୍ଧା ମା’ ବି ଆଶା କରିଥିଲା, ପୁଅମାନେ ବୃଦ୍ଧକାଳରେ ସାହାରା ହେବେ । ସାହାରା ହେବା ଦୂରର କଥା ଚାଖଣ୍ଡେ ଜାଗା ନାହିଁ ପୁଅ ପାଖରେ ମା’କୁ ରଖିବା ପାଇଁ । ଏହି ମା’ର କୋହଭରା କାନ୍ଦ ପୁଅକୁ ଶୁଭିନଥିଲେ ବି ପାଖରେ ଥିବା ଜଣେ ପଡୋଶୀଙ୍କୁ ଆତ୍ମବିଭୋର କରିଦେଇଥିଲା । ସେ ଘଟଣା ସ୍ଥଳରେ ତୁରନ୍ତ ପହଁଚି ବୃଦ୍ଧା ମା’କୁ ବାହାରେ ଛାଡି ଦେଇ ଘର ଭିତରୁ ତାଲା ପକାଇ ଦେଇଥିବା କୁଳାଙ୍ଗାର ପୁଅ ବୋହୂଙ୍କୁ ଉଚିତ୍ ବାଣୀ ଶୁଣାଇଥିଲେ । ବୋହୂକୁ ନିଜ ମା’ ଏବଂ ଭାଇର ସମ୍ପର୍କକୁ ବୁଝାଇବାକୁ ଚେଷ୍ଟା କରିଥିଲେ । ମା’କୁ ରାତି ଅଧରେ ଘରୁ ବାହାର କରିଦେଇଥିବା ପୁଅକୁ ମା’କୁ ଭାଗ କରାଯାଏନା ବୋଲି ପଡିଶା ଲୋକ ଜଣଙ୍କ ଶିକ୍ଷା ଦେଇଥିଲେ । ଆଉ ଏହାପରେ ଇଚ୍ଛା ନଥିଲେ ମଧ୍ୟ ଜାଳିଶୁଣି ମା’କୁ ଘରକୁ ନେଇଥିଲା ପୁଅ । ହେଲେ କଣ ସେହି ପୁଅ ଡେରିରେ ହେଉ ପଛେ ମା’ର ସ୍ନେହ, ମମତାର ମୂଲ୍ୟ ବୁଝିବ? ଏହା ସମସ୍ତଙ୍କ ମନରେ ଏକ ପ୍ରଶ୍ନ ।