Below header

ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ, ବାପାଙ୍କ ମୃତ୍ୟୁକୁ ପୂରିଛି ମାତ୍ର ୧୦ ଦିନ

ଭୁବନେଶ୍ୱର (କେନ୍ୟୁଜ) : ପଦ୍ମ ବିଭୂଷଣ ସ୍ୱର୍ଗତ ସ୍ଥପତି ରଘୁନାଥ ମହାପାତ୍ରଙ୍କ ପୁତ୍ର ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ। କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱର ଏମ୍ସରେ ହେଉଥିଲେ ଚିକିତ୍ସିତ। ସୂଚନା ଦେଲେ ଏମ୍ସ ସୁପରିଣ୍ଟେଣ୍ଡେଣ୍ଟ ସଚିଦାନନ୍ଦ ମହାନ୍ତି। ଡାକ୍ତରଙ୍କ ସବୁ ଚେଷ୍ଟା ସତ୍ତ୍ୱେ ମଧ୍ୟ ଆଖି ବୁଜିଲେ ପ୍ରଶାନ୍ତ। ଆଜି ସକାଳେ ତାଙ୍କର ପରଲୋକ ହୋଇଛି।

ଗତ ୯ ତାରିଖରେ ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ଗରୁ ରଘୁନାଥଙ୍କର ପରଲୋକ ହୋଇଥିଲା । ସେ କୋଭିଡ୍‌ରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଥିଲେ । ଆଜି ବାପାଙ୍କ ଏକାଦଶାହା କାର୍ଯ୍ୟ ହେଉଥିବାବେଳେ ମଝିଆ ପୁଅ ପ୍ରଶାନ୍ତଙ୍କ ଜୀବନ ନେଇଛି କରୋନା। ତେବେ ରଘୁନାଥ ମହାପାତ୍ରଙ୍କ ଦୁଇ ପୁଅ ଯଶୋବନ୍ତ ଏବଂ ପ୍ରଶାନ୍ତ କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ। ପ୍ରଶାନ୍ତ ହେଉଛନ୍ତି ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ମଝିଆ ପୁଅ । ସେ ଜଣେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି । ଜଣେ ଦକ୍ଷ ଓପ୍ନର ଭାବେ ଖୁବ୍ ଖ୍ୟାତି କମାଇଥିଲେ । ବର୍ତ୍ତମାନ ସେ ବିସିସିଆଇ ମ୍ୟାଚ୍‌ ରେଫରୀ ଭାବେ କାର୍ଯ୍ୟ କରୁଥିଲେ । ୧୯୯୦ରେ ବିହାର ବିପକ୍ଷରେ ଖେଳି ନିଜର ପ୍ରଥମ ଶ୍ରେଣୀ କ୍ରିକେଟ୍ ଜୀବନ ଆରମ୍ଭ କରିଥିଲେ । ସେ ରଣଜୀ ଟ୍ରଫି ସହ ଦଲୀପ ଟ୍ରଫି ଓ ଦେଓଧର ଟ୍ରଫିରେ ମଧ୍ୟ ଖେଳିଥିଲେ ।

୧୯୯୦ରୁ ୨୦୦୩ ଯାଏ ରାଜ୍ୟ ପାଇଁ ଖେଳିଥିବା ପ୍ରଶାନ୍ତ ୪୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୨୧୯୬ ରନ୍ ସ୍କୋର କରିଥିଲେ । ଏଥିରେ ୫ଟି ଶତକ ଏବଂ ୧୧ଟି ଅର୍ଦ୍ଧଶତକ ରହିଛି । ତାଙ୍କର ସର୍ବାଧିକ ସ୍କୋର ହେଉଛି ଅପରାଜିତ ୧୫୭ ରନ୍ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଚାରି ବର୍ଷ ତଳେ ରଘୁନାଥଙ୍କ ସାନ ପୁଅଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଆଉ ଏବେ ପୁଅ ଯଶୋବନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ବି ସଂକଟାପନ୍ନ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.