Below header

କଟକ ଏସସିବି ମେଡିକାଲ କଲେଜ ଓ ହସପିଟାଲର ପୁନର୍ବିନ୍ୟାସ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜ ଘୋଷଣା

କଟକ(କେନ୍ୟୁଜ୍): କଟକ ଏସସିବି ମେଡିକାଲ କଲେଜ ଓ ହସପିଟାଲର ପୁନର୍ବିନ୍ୟାସ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜ ଘୋଷଣା । ଏହି ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପ୍ୟାକେଜରେ ସ୍ଥାୟୀ ବାସଗୃହ, ଅନଧିକୃତ ଭାବରେ ନିର୍ମିତ ବାସଘର, ମାଛ ମାର୍କେଟ କଂପ୍ଲେକ୍ସ, ସ୍ଥାୟୀ ଦୋକାନ ଘର, ଅନଧିକୃତ ଭାବେ ନିର୍ମିତ ଦୋକାନ ଘର, ଉଠା ଦୋକାନୀ, ଧାର୍ମିକ ଅନୁଷ୍ଠାନ, କ୍ଲବ ଓ ଗୁହାଳ ଆଦିକୁ ଅନ୍ତର୍ଭୁକ୍ତ କରାଯାଇଛି । ସ୍ଥିତିବାନ ସ୍ୱତ୍ୱ ଥିବା ଜମି ମାଲିକଙ୍କର ଘର ଓ ଜମି ରାଜ୍ୟ ସରକାରଙ୍କ ଅନୁମୋଦିତ ପ୍ରକ୍ରିୟାରେ ସିଧାସଳଖ ଗ୍ରହଣ କରାଯିବ । ରାଇଟ ଟୁ ଫେୟାର କମ୍ପେନସେସନ ଆଣ୍ଡ ଟ୍ରାନସପେରେନ୍‌ସୀ ଇନ ଲ୍ୟାଣ୍ଡ ଆକ୍ୟୁଜିସନ, ରିହାବିଲିଟେସନ ଆଣ୍ଡ ରିସେଟଲମେଣ୍ଟ ଆକ୍ଟ-୨୦୧୩ ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ମିଳିବ । ଅନଧିକୃତ ବାସଗୃହ ପାଇଁ କ୍ଷତିଗ୍ରସ୍ତ ପରିବାରକୁ ଏକକାଳୀନ ୫୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ।

ମାଛ ମାର୍କେଟ କଂପ୍ଲେକ୍ସ ପାଇଁ ମହାନଗର ନିଗମରେ ପଞ୍ଜିକୃତ ଦୋକାନୀ ବା ବିକ୍ରେତାଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ । ମହାନଗର ନିଗମ ସେମାନଙ୍କର ସିକ୍ୟୁରିଟି ଡିପୋଜିଟ ଫେରାଇ ଦେବେ । ସେହିପରି କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କୁ ମହାନଗର ଭେଣ୍ଡିଂ ଜୋନରେ ଅଗ୍ରାଧିକାର ଭିତ୍ତିରେ ସ୍ଥାନ ଯୋଗାଇ ଦିଆଯିବ । ସ୍ଥିତିବାନ ସ୍ୱତ୍ୱ ଥିବା ଜମିରେ ନିର୍ମିତ ସମସ୍ତ ଦୋକାନ ଘର ରାଜ୍ୟ ସରକାରଙ୍କ ଅନୁମୋଦିତ ପ୍ରକ୍ରିୟାରେ ସିଧାସଳଖ ଅଧିଗ୍ରହଣ କରାଯିବ । ପ୍ରତି ଅନଧିକୃତ ଦୋକାନ ଘର ପାଇଁ ଏକକାଳୀନ ୩୦ ହଜାର ଟଙ୍କା ସହାୟତା ମିଳିବ । ପ୍ରତି ଉଠା ଦୋକାନୀଙ୍କ ଦିଆଯିବ ଏକକାଳୀନ ୨୦ ହଜାର ଟଙ୍କା ସହାୟତା ।

ସେହିପରି ପ୍ରତି ଧାର୍ମିକ ଅନୁଷ୍ଠାନ ଓ କ୍ଲବ ପାଇଁ ଏକ ଲକ୍ଷ ଟଙ୍କା ଏକକାଳୀନ ସହୟତା ପ୍ରଦାନ କରାଯିବ । ପ୍ରତି ଗାଈ ଗୁହାଳ ପିଛା ଏକକାଳୀନ ୨୦ ହଜାର ଟଙ୍କା ସହାୟତା ମିଳିବ ବୋଲି ପ୍ୟାକେଜରେ ବ୍ୟବସ୍ଥା ରହିଛି । ସରକାରୀ କ୍ୱାର୍ଟର୍ସ ଖାଲି କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ସରକାରୀ ନିୟମ ଅନୁସାରେ ଘରଭଡ଼ା ସହିତ ୧୨ ମାସ କିମ୍ବା ନୂଆ କ୍ୱାର୍ଟର୍ସ ମିଳିବା ପର୍ଯ୍ୟନ୍ତ ସ୍ୱତନ୍ତ୍ର ସହାୟତା ମିଳିବ । ଏହି ଥଇଥାନ ଓ ପୁନର୍ବାସ ନୀତି କଟକ ଜିଲ୍ଲାପାଳଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯିବ । ପ୍ରକଳ୍ପ ପାଇଁ ଜମି ଓ ସଂପତ୍ତି ଅଧିଗ୍ରହଣ ଆଲୋଚନା ଭିତ୍ତିରେ କରାଯିବ ।

କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅନୁମୋଦନ କ୍ରମେ କଟକ ଜିଲ୍ଲପାଳ ଆବଶ୍ୟକ ସ୍ଥଳେ ସହାୟତାରେ ବୃଦ୍ଧି ବା ପରିବର୍ତ୍ତନ ସଂପର୍କରେ ନିଷ୍ପତ୍ତି ନେଇପାରିବେ । ଏହି ପ୍ୟାକେଜ କାର୍ଯ୍ୟକାରୀ କରିବା ପାଇଁ କଟକ ଜିଲ୍ଲପାଳଙ୍କୁ ରାଜ୍ୟ ସରକାର ପାଣ୍ଠି ଯୋଗାଇ ଦେବେ । ଏସସିବିକୁ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରତିଷ୍ଠାନ ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାର ସଂପ୍ରସାରଣ କରି ଏହାକୁ ଅତ୍ୟାଧୁନିକ ଚିକିତ୍ସା ଓ ଗବେଷଣା ସୁବିଧା ସହିତ ୩ ହଜାର ଶଯ୍ୟା ବିଶିଷ୍ଟ ଚିକିତ୍ସା ପ୍ରତିଷ୍ଠାନ ଭାବେ ଗଢ଼ି ତୋଳିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.