କର୍ତ୍ତବ୍ୟକୁ ଭୁଲି ସ୍କୁଲ ଭିତରେ ବନ୍ଧୁଙ୍କ ସହ ମଦ୍ୟପାନ କଲେ ଶିକ୍ଷକ
ସରକାରୀ ସ୍କୁଲରେ ପିଲାଙ୍କୁ ଶିକ୍ଷାଦାନ ଦେବା ବଦଳରେ ଏକ କୋଠରୀରେ କବାଟ ବନ୍ଦ କରି ମଦ୍ୟପାନ କରୁଛନ୍ତି ଶିକ୍ଷକ । ଜଣେ ଶିକ୍ଷକ ଏବଂ ତାଙ୍କର ଅନ୍ୟ ଜଣେ ବନ୍ଧୁ ମିଶି ମଦ୍ୟପାନ କରୁଥିବା ମୁହୂର୍ତ୍ତର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ବୌଦ୍ଧ(କେନ୍ୟୁଜ୍): ସରକାରୀ ସ୍କୁଲରେ ପିଲାଙ୍କୁ ଶିକ୍ଷାଦାନ ଦେବା ବଦଳରେ ଏକ କୋଠରୀରେ କବାଟ ବନ୍ଦ କରି ମଦ୍ୟପାନ କରୁଛନ୍ତି ଶିକ୍ଷକ । ଜଣେ ଶିକ୍ଷକ ଏବଂ ତାଙ୍କର ଅନ୍ୟ ଜଣେ ବନ୍ଧୁ ମିଶି ମଦ୍ୟପାନ କରୁଥିବା ମୁହୂର୍ତ୍ତର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ବୌଦ୍ଧ ଜିଲ୍ଲା ମହାଲ୍ଲିକପଡା ପଞ୍ଚାୟତ ଅନ୍ତର୍ଗତ ଜାବର ସ୍କୁଲରେ ଭିଡିଓ ଉତ୍ତୋଳନକାରୀ ବ୍ୟକ୍ତି ଜଣକ ମୋବାଇଲ ଧରି କୋଠରୀ ଭିତରକୁ ପ୍ରବେଶ କରିଥିଲେ । ତାଙ୍କୁ ଦେଖି କ୍ଷଣି ଶିକ୍ଷକ ଜଣକ ହଡବଡେଇ ଯାଇ ଟିକେ ମାଂସ ଖାଉଥିଲୁ ବୋଲି କହିଥିଲେ । ଏବେ ଅପରାହ୍ନ ୨ଟା ବାଜିଲାଣି ଏତେବେଳ ଯାଏ କାହିଁକି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇନାହିଁ ବୋଲି ପ୍ରଶ୍ନ କରିବାରୁ ସେ ଭୟଭିତ ହୋଇ ଭିଡିଓ ଚିତ୍ର ଉତ୍ତୋଳନ ବନ୍ଦ କରିବାକୁ କାକୁତି ମିନତୀ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।
ତେବେ ଏହି ଭିଡିଓଟି ଏବେ ଭାଇରାଲ ହୋଇ ସାମାଜିକ ଗଣମାଧ୍ୟମରେ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି । ଡ୍ୟୁଟି ସମୟରେ ପିଲାଙ୍କୁ ପାଠ ପଢ଼ାଇବା ଓ ମଧ୍ୟାହ୍ନ ଭୋଜନ ଦେବା ବଦଳରେ ଓଲଟି ୨ଜଣ ଶିକ୍ଷକ ସ୍କୁଲ ଗୃହରେ ମଦ ମାଂସ ଖାଉଥିବା ଘଟଣାକୁ ସଭିଏଁ ନାପସନ୍ଦ କରି କଟୁ ମନ୍ତବ୍ୟ ରଖୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବିଭାଗୀୟ କତ୍ତୃପକ୍ଷ ଏ ଦିଗରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।