Below header

ଏମିତି ଶିକ୍ଷକଙ୍କୁ କଣ କହିବେ: ଅସୁସ୍ଥ ଛାତ୍ରକୁ ନିଜ ଗାଈ ପାଇଁ ଘାସ ବସ୍ତା ବୁହାଇଲେ

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଜଣେ ନବମ ଶ୍ରେଣୀର ଅସୁସ୍ଥ ଛାତ୍ରକୁ ନିଜ କ୍ୱାଟରକୁ ଘାସ ବସ୍ତା ବୁହାଇଥିବା ଅଭିଯୋଗ ହୋଇଛି ।

କଣିହାଁ(କେନ୍ୟୁଜ୍): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଜଣେ ନବମ ଶ୍ରେଣୀର ଅସୁସ୍ଥ ଛାତ୍ରକୁ ନିଜ କ୍ୱାଟରକୁ ଘାସ ବସ୍ତା ବୁହାଇଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ଶିକ୍ଷ୍ୟା, ଶିକ୍ଷକ, ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ, କିଛି ଶିକ୍ଷକଙ୍କ ବିବାଦୀୟ କାର୍ଯ୍ୟ ଯୋଗୁଁ ସବୁ ଶିକ୍ଷକମାନଙ୍କୁ ସମାଲୋଚନାର ଶୀକାର ହେବାକୁ ପଡ଼ିଛି । ଏହିପରି ଏକ ବିବାଦୀୟ ଘଟଣା କଣିହାଁ ବ୍ଲକ ରେଙ୍ଗାଳି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ।

ରେଙ୍ଗାଳି ପ୍ରକଳ୍ପ ହାତିଆଦଣ୍ଡା କଲୋନୀ ଠାରେ ରହୁଥିବା ସୁଧୀର ସାହୁଙ୍କ ପୁଅ ଦିବ୍ୟାଲୋଚନ ସାହୁ ରେଙ୍ଗାଳି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ନ୍ତି । କିଛି ଦିନ ପୂର୍ବରୁ ତାଙ୍କର ଗଳାରେ ଅସ୍ତ୍ରୋପଚାର ହୋଇଥିଲା । କିଛିଟା ସୁସ୍ଥ ହେବାପରେ ସେ ପୁଣି ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଉଛନ୍ତି । କିନ୍ତୁ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ନିରଞ୍ଜନ ସାମଲ ଅସୁସ୍ଥ ଛାତ୍ରକୁ ବିଦ୍ୟାଳୟ ଠାରୁ ପ୍ରାୟ ତିନି କିଲୋମିଟର ଦୂର ନିଜ ବାସସ୍ଥାନକୁ ଘାସ ବସ୍ତା ଦେଇଦେବା ପାଇଁ ପଠାଇଥିଲେ ।

ସେହି ସମୟରେ ପୁଅର ଘରକୁ ଫେରିବାରେ ବିଳମ୍ବ ହେବା ଦେଖି ସୁଧୀର ସାହୁ କିଛି ବାଟ ଯାଇଥିଲେ । ଏହି ସମୟରେ ତାଙ୍କ ପୁଅ ଏକ ଘାସ ଭର୍ତ୍ତି ବସ୍ତା ସାଇକେଲ ପଛରେ ଲଦି ପରମାନେଣ୍ଟ୍ କଲୋନୀ ଆଡ଼କୁ ଯାଉଥିବା ସେ ଦେଖିଥିଲେ । ସେ ରାସ୍ତା ମଝିରେ ପୁଅକୁ ଅଟକାଇଥିଲେ । ଘରକୁ ନ ଯାଇ ଏ ଘାସ ଭର୍ତ୍ତି ବସ୍ତା ଧରି କୁଆଡେ ଯାଉଛୁ ବୋଲି ପଚାରିବାରୁ, ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ନିରଞ୍ଜନ ସାମଲ ବିଦ୍ୟାଳୟରୁ ଘାସ ଭର୍ତ୍ତି ବସ୍ତା ତାଙ୍କ କ୍ଵାଟରରେ ପହଞ୍ଚାଇବା ପାଇଁ ପଠାଇଥିବା ସେ କହିଥିଲା ।

ଜଣେ ଶିକ୍ଷକ ବିଦ୍ୟାଳୟରେ ଶିକ୍ଷାଦାନ କରିବା ପରିବର୍ତ୍ତେ ଛାତ୍ରଙ୍କୁ ନିଜସ୍ଵ କାର୍ଯ୍ୟରେ ନିୟୋଜିତ କରିବା କେତେଦୂର ଯଥାର୍ଥ । ଏପରିକି ଅସ୍ତ୍ରୋପଚାର ହୋଇଥିବା ଜଣେ ଅସୁସ୍ଥ ଛାତ୍ରକୁ ଶିକ୍ଷକ ନିଜ ଘରେ ରଖିଥିବା ଗାଈର ଖାଦ୍ୟ ପାଇଁ ଦୀର୍ଘ ତିନି କିଲୋମିଟର ପର୍ଯ୍ୟନ୍ତ ଘାସ ବସ୍ତା ବୁହାଇବାକୁ ବାପା ମାଆ ତୀବ୍ର ଭର୍ତ୍ସନା କରିଥିଲେ ।

ସଂପୃକ୍ତ ଶିକ୍ଷକ ନିରଞ୍ଜନ ସାମଲଙ୍କୁ ଅଭିଯୋଗ ବିଷୟରେ ପଚାରିବାରୁ ଭୁଲରେ ଏପରି କରିଦେଇଥିବା ସେ କହିଥିଲେ । ଶିକ୍ଷକଙ୍କ ଏପରି ଅମାନବୀୟ କାର୍ଯ୍ୟ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଛାତ୍ରଙ୍କ ବାପା ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.