ନଦୀ ପଠାରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର, ମାରି ଫିଙ୍ଗିଦେଇଥିବା ସନ୍ଦେହ
ନିଖୋଜ ଦଶମ ଶ୍ରେଣୀ ଛାତ୍ରଙ୍କ ମିଳିଲା ମୃତଦେହ। କଟକ କାଠଯୋଡି ନଦୀ ପଠାରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତକ କଲ୍ୟାଣ ନଗର ଅଞ୍ଚଳର ସାହିଲ। ମାରି ଫିଙ୍ଗିଦେଇଥିବା ସନ୍ଦେହ। ତେବେ କିଏ ଓ କଣ ପାଇଁ ତାଙ୍କୁ ହତ୍ୟା କଲା ସେନେଇ କାରଣ ଅସ୍ପଷ୍ଟ ରହିଛି।

କଟକ (କେନ୍ୟୁଜ): ନିଖୋଜର ୪ ଦିନ ପରେ ମିଳିଲା ମୃତଦେହ । କଟକ କାଠଯୋଡି ନଦୀପଠାରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ପରେ ବଢ଼ିଲା ହତ୍ୟା ସନ୍ଦେହ । କେହି ହତ୍ୟା କରିବା ପରେ ମୃତଦେହକୁ ନଦୀ ପଠାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।ମୃତକ ହେଲେ କଲ୍ୟାଣ ନଗର ଅଞ୍ଚଳର ସଂଗ୍ରାମ ଜେନାଙ୍କ ପୁଅ ସାହିଲ ଜେନା । ସେ ସତସଙ୍ଗବିହାର ଦରଗାପାଟଣା ସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିଲେ ।
ଶ୍ରୁକ୍ରବାରଠାରୁ ନିଖୋଜ ଥିଲେ ସାହିଲି। ସ୍କୁଲ ଯାଇ ଆଉ ଘରକୁ ଫେରିନଥିଲେ। ଗତକାଲି ସାଇକେଲ ମିଳିଥିଲା । ଆଜି କାଠଯୋଡି ନଦୀ କୂଳରେ ମିଳିଥିଲା ଜୋତା ଓ ବ୍ୟାଗ । ପରେ ବାରଙ୍ଗ ଅଗ୍ନିଶମ ବାହିନୀ ଟିମ୍ ଓ ମଧୁପାଟଣା ପୋଲିସ ମୃତଦେହକୁ ଉଦ୍ଧାର କରିଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ସାହିଲଙ୍କ ମୃତ୍ୟୁ ହେଲା ? ନଦୀରେ ଅଘଟଣ ନା ହତ୍ୟା ? କାଠଯୋଡ଼ି ନଦୀ ପଠାକୁ ସାହିଲ ଯାଇଥିଲେ କାହିଁକି ? ମୃତଦେହକୁ ପୋଷ୍ଟମର୍ଟମ ପାଇଁ କଟକ ଏସସିବିକୁ ପଠାଇବା ସହ ଅଧିକ ଖୋଳତାଡ କରୁଛି ମଧୁପାଟଣା ଥାନା ପୋଲିସ ।