Below header

ଶୋଷିଲା ହାତୀପଲ, ଜଗି ରହିଛନ୍ତି ପାଣି ମୁନ୍ଦାଏ ପାଇଁ

ଶୋଷିଲା ହାତୀପଲ । ଜଗି ରହିଛନ୍ତି ପାଣି ମୁନ୍ଦାଏ ପାଇଁ  । ଏଇ ଟାଣ ଖରାରେ ଟାଙ୍ଗରା ଭୂଇଁରେ ପାଣି ଢୋକେ ପାଇଁ ଭାରି ହନ୍ତସନ୍ତ ହେଉଛନ୍ତି  ଏମାନେ । 

ଭଞ୍ଜନଗର(କେନ୍ୟୁଜ): ଶୋଷିଲା ହାତୀପଲ । ଜଗି ରହିଛନ୍ତି ପାଣି ମୁନ୍ଦାଏ ପାଇଁ  । ଏଇ ଟାଣ ଖରାରେ ଟାଙ୍ଗରା ଭୂଇଁରେ ପାଣି ଢୋକେ ପାଇଁ ଭାରି ହନ୍ତସନ୍ତ ହେଉଛନ୍ତି  ଏମାନେ ।  ମଣିଷ ହେଇଥିଲେ ସିନା କାହାକୁ ମୁହଁ ଖୋଲି ପାଣି ଗ୍ଳାସ୍ ଟେ ମାଗିଥାନ୍ତେ । ହେଲେ ଏମାନେ ପା ପଶୁ । କଥା କହିପାରନ୍ତି ନି । କାହାକୁ ମାଗିବେ କେମିତି ବା ମାଗିବେ । କିଏ ୟାଙ୍କୁ ଆଣି ପାଣି  ଦେବ ।

ହେଲେ ଭଗବାନଙ୍କ ସୃଷ୍ଟି ବିଚିତ୍ର । ଏମାନଙ୍କ ପାଖରେ ସିନା କଥା କହିବାର ଶକ୍ତ ନାହିଁ କିନ୍ତୁ ଏମାନେ ନିଜ ଚଳପ୍ରଚଳ, ଭାବ ଦ୍ୱାରା  ନିଜର କଷ୍ଟ ଯନ୍ତ୍ରଣାକୁ ଖୁବ୍ ଭଲରେ ପରିପ୍ରକାଶ କରିପାରନ୍ତି । କେତେବେଳେ ଶାନ୍ତରେ ତ କେତେବେଳେ ଉଗ୍ର ରୂପ ଧାରଣ କରି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ, ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ଜୟମଙ୍ଗଳ ଗାଁ ନିକଟରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ଯେଉଁଠି ଏକତ୍ରିତ ହୋଇଛନ୍ତି ୧୮ ଟିକିଆ ବଣୁଆ ହାତୀ ପଲ । ଆଜି ନୁହେଁ ଗତ ୩ ଦିନ ହେଲା ଏମିତି ଜଗିରହିଛନ୍ତି ଗାଁ କୁ ଲାଗିଥିବା ଜଙ୍ଗଲ ନିକଟରେ ରହିଥିବା ଏହି ଶୁଖିଲା ଜଳାଶୟ ନିକଟରେ ।

ଯେଉଁ ଦୃଶ୍ୟ ସମସ୍ତଙ୍କୁ କରିଥିଲା ବିଚଳିତ । ସଭିଏଁ ଅନୁଭବ କରିପାରିଥିଲେ ହାତୀ ମାନଙ୍କ କଷ୍ଟକୁ । ଡହଡହ ଖରାରେ ପାଣି ନ ପାଇ ଏମାନେ ଏମିତି ଚାକତ ଭଳି ଚାହିଁ ରହିଥିଲେ  ଶୁଖିଲା ଜଳାଶୟକୁ ପାଣି ଠୋପେ ପାଇଁ  । ଆଉ ଏ ଘଟଣା ସାମ୍ନାକୁ ଆସିବା ପରେ ଏବେ ଆକ୍ସନ୍ ମୋଡରେ ବନବିଭାଗ । ଦେଖନ୍ତୁ କେମିତି ହାତୀ ମାନଙ୍କ ପାଖରେ ପାଣି ପାଇଁ  କେମିତି ବିରାଟକାୟ ଗାତ ଖୋଳୁଛି ବନବିଭାଗ ।

ଗ୍ରୀଷ୍ମପ୍ରବାହ ଯେତିକି ବଢ଼ୁଛି , ପାଣି ପାଇଁ ସେତିକି ଡହକ-ବିକଳ ହେଉଛନ୍ତି ଏହି ବଣୁଆ ହାତୀପଲ । ପରିସ୍ଥିତି  ଏମିତି ହୋଇଛି ଯେ, ପାଣି ଅନ୍ୱେଷଣରେ ଜଙ୍ଗଲ ଛାଡି ଏବେ ଗାଁ ମୁହାଁ ହେଉଛନ୍ତି ଏହି ବଣୁଆ ହାତୀପଲ । ଏପରିକି ନିକଟସ୍ଥ ନିଧିଆପଲ୍ଲୀ ଗାଁ ନିକଟରେ ସଂଧ୍ୟା ହେଲେ ଜନବସତି ମୁହାଁ ହେଉଛନ୍ତି ।

ଯାହା ଫଳରେ, ହାତୀଙ୍କ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ, ଜୟମଙ୍ଗଳ ଗାଁ ନିକଟରେ ଥିବା ଏହି ଶୁଖିଲା ଜଳାଶୟରେ ଜେସିବି ମେସିନ୍ ଲଗାଇ ଖୋଳା ଯାଇଥିଲା । ଏପଟେ ମେସିନ୍ ଲଗାଇ ଜଳାଶୟ ଖୋଳା ଯାଉଥିବାବେଳେ, ସେପଟେ ୧୮ ଟି ବଣୁଆ ହାତୀ ଜଗି ରହିଛନ୍ତି । କେମିତି ଏହି ଜଳାଶୟରୁ ପାଣି ଝରିବା ମାତ୍ରକେ ସେମାନେ ପିଇ ନିଜର ଶୋଷ ମେଣ୍ଟାଇବେ । ତେବେ  ମୁଜାଗଡ ବନାଞ୍ଚଳରେ ପିଇବା ପାଣି ପାଇଁ ଏମିତି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.