ଉଜୁଡ଼ି ଯାଉଛି ଚାଷ, ଲାଇଟ ମୁହଁରେ ଅଖା ବାନ୍ଧିଲେ ଚାଷୀ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ଅର୍ନ୍ତଗତ କୃଷ୍ଣପୁର ଗାଁର ଚାଷୀ ଶିବ ପ୍ରସାଦ ନାୟକ ଏଭଳି ଅଭିଯୋଗ ଆଣିଛନ୍ତି । ଏନଏସି ପକ୍ଷରୁ ରାସ୍ତା ଆଲୋକୀକରଣ ପାଇଁ ଲଗାଯାଇଥିବା ଷ୍ଟ୍ରିଟ୍ ଲାଇଟ୍ ଆଲୋକ ପାଇଁ ଧାନ ଗଛରୁ ଥୋଡ ବାହାରୁ ନାହିଁ ବୋଲି ଅଭିଯୋଗ କରିଛନ୍ତି ।

ଭଦ୍ରକ (କେନ୍ୟୁଜ): ଷ୍ଟ୍ରିଟ୍‌ ଲାଇଟ ଚାଷୀଙ୍କ ଚାଷ ଉଜାଡ଼ୁଥିବା ଅଭିଯୋଗ ହୋଇଛି । ନିଜ ଚାଷକୁ ବଞ୍ଚାଇବା ପାଇଁ ଚାଷୀମାନେ ଏକ ଭିନ୍ନ ଉପାୟକୁ ଆପଣାଇଛନ୍ତି । ଆପଣ ଭାବୁଥିବେ ଷ୍ଟ୍ରିଟ୍‌ ଲାଇଟ କେମିତି ବା ଚାଷ ଉଜାଡ଼ୁଛି । କିନ୍ତୁ କାରଣ ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ଷ୍ଟ୍ରିଟ ଲାଇଟର ରଶ୍ମି ଯେଉଁ ଧାନ ଗଛ ଉପରେ ପଡୁଛି ସେହି ଗଛରୁ ଥୋଡ଼ ବାହରୁନି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନେସିର କିଛି ଚାଷୀ ଏଭଳି ଅଭିଯୋଗ ଆଣିଛନ୍ତି । ଷ୍ଟ୍ରିଟ ଲାଇଟରୁ ନିଜର ଚାଷକୁ ରକ୍ଷା କରିବା ପାଇଁ ଲାଇଟ୍ ମୁହଁରେ ଅଖା ବାନ୍ଧିଛନ୍ତି କିଛି ଚାଷୀ ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ଅର୍ନ୍ତଗତ କୃଷ୍ଣପୁର ଗାଁର ଚାଷୀ ଶିବ ପ୍ରସାଦ ନାୟକ ଏଭଳି ଅଭିଯୋଗ ଆଣିଛନ୍ତି । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୁଆଁରସର ରାସ୍ତାର ପାଖରେ ଥିବା ନିଜ ଚାଷ ଜମିରେ ଧାନ ଚାଷ କରିଥିଲେ । ହେଲେ ଏନଏସି ପକ୍ଷରୁ ରାସ୍ତା ଆଲୋକୀକରଣ ପାଇଁ ଲଗାଯାଇଥିବା ଷ୍ଟ୍ରିଟ୍ ଲାଇଟ୍ ଆଲୋକ ପାଇଁ ଧାନ ଗଛରୁ ଥୋଡ ବାହାରୁ ନାହିଁ ବୋଲି ଅଭିଯୋଗ କରିଛନ୍ତି । ସେହିପରି ଅନ୍ୟ ଏକ ଚାଷୀଙ୍କ ଚାଷ ଏହି ଷ୍ଟି୍ରଟ୍ ଲାଇଟ ପାଇଁ ନଷ୍ଟ ହୋଇଛି । ଧାନ ଗଛରେ ଧାନ ନହୋଇ କେବଳ ଅଗାଡି ଫଳିଛି ବୋଲି ଅଭିଯୋଗ କରିଛନ୍ତି ।

ପାଖାପାଖି ଦୁଇ ବର୍ଷ ହେଲାଣି ଏମିତି ଲାଇଟ୍ ପାଇଁ ଚାଷୀର ଚାଷ ଉଜୁଡି ଯାଉଛି । ରାସ୍ତା କଡ଼େ କଡ଼େ ଥିବା ଜମିରେ ଏମିତି ଲାଇଟ ଆଲୋକ ପାଇଁ ଧାନ ଗଛରେ ଧାନ ଫଳୁନାହିଁ ବୋଲି ଶତାଧିକ ଚାଷୀ ଅଭିଯୋଗ କରିଛନ୍ତି । ତେଣୁ ଚାଷୀମାନେ ବାଧ୍ୟ ହୋଇ ଷ୍ଟ୍ରିଟ୍ ଲାଇଟ୍ ମୁହଁରେ ଜରି ଅଖା ବାନ୍ଧିଥିବାର ଦେଖିବାକୁ ମିଳିଛି । ଏନେଇ ଚାଷୀମାନେ ଏନଏସି ଅଫିସରେ ଅଭିଯୋଗ କରିଛନ୍ତି । କୃଷି ବିଭାଗ କି ଏନଏସି ଅଫିସର କେହି ବି ତଦନ୍ତ କରିବାକୁ ଯାଇ ନାହାନ୍ତି ।

ଏ ବାବଦରେ ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ତଦନ୍ତ ହେବ । ସେହିପରି ଏନଏସି ଅଧିକାରୀ କହିଛନ୍ତି ଲିଖିତ ଅଭିଯୋଗ ମିଳିଲେ ଯାହା ବ୍ୟବସ୍ଥା କରାଯିବ । ଦେଖିବାକୁ ବାକି ରହିଲା କେବେ ଏନଏସି ଓ କୃଷି ବିଭାଗ ଅଧିକାରୀ ତଦନ୍ତ କରି ଚାଷୀଙ୍କର ସମସ୍ୟାର ସମାଧାନ କରୁଛନ୍ତି । ନା ଏମିତି ଭାବେ ଚାଷୀମାନେ ନିଜ ଚାଷକୁ ବଞ୍ଚାଇବା ପାଇଁ ଲାଇଟରେ ଅଖା ଦେଇ ଚାଷକୁ ରକ୍ଷା କରିବେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.