Below header

କ’ଣ ଚଳତ୍‌ ଶକ୍ତି ହରାଇଛି କି ଟଙ୍କିକିଆ କଏନ୍‌ ?

ଟଙ୍କାକରେ ଆଜିକାଲି କଣ ମିଳୁଛି ? ଏପ୍ରଶ୍ନ ସମସ୍ତେ ସମସ୍ତଙ୍କ କୁହନ୍ତି । ହେଲେ ତଥାପି କେହି କେବେ କହି ନାହାନ୍ତି ଟଙ୍କିକିଆ କଏନ୍‌କୁ ବ୍ୟାନ୍‌ କରିବା ପାଇଁ । ଅଥଚ ଏବେ ବଜାରରେ ଦୋକାନୀଙ୍କ ପାଖକୁ ଗଲେ କୁଆଡ଼େ ଅନେକ ବ୍ୟବସାୟୀ ଫେରାଇ ଦେଉଛନ୍ତି । ଗ୍ରାହକଙ୍କୁ କହୁଛନ୍ତି ଟଙ୍କିକିଆ କଏନ୍‌ ଆଉ ଚଳୁନାହିଁ ।

COIN-3
ପୂର୍ବରୁ ୫ରୁ ୫୦ ପଇସା ଯାଏ ବିଭିନ୍ନ ସମୟରେ କଏନ୍‌ ସବୁ ଅଚଳ ହୋଇ ଯାଇଥିଲା । ସବୁବେଳେ ସରକାରଙ୍କ ପକ୍ଷରୁ କୁହାଯାଉଥିଲା ଯେ ଚଳୁନାହିଁ ବୋଲି ଆମେ ତ କହିନାହୁଁ । କିନ୍ତୁ ଏହା ସରକାରଙ୍କର ଚାଲ୍‌ ହେଉ କିମ୍ବା ଲୋକଙ୍କ ଧାରଣା ଏଭଳି ଭାବେ ଛୋଟ ଛୋଟ ମୁଦ୍ର ସବୁ ଅଚଳ ହୋଇଗଲା । ବର୍ତ୍ତମାନ ବଜାରରେ ଚର୍ଚ୍ଚା ଚାଲିଛି ଯେ ଟଙ୍କିକିଆ ମୁଦ୍ରା ଆଉ ଚଳୁ ନାହିଁ । ଅବଶ୍ୟ ଟଙ୍କାର ମୂଲ୍ୟ ହ୍ରାସ ପାଇଛି । କିନ୍ତୁ ତାର ମାନେ ନୁହେଁ ଯେ ଆମେ ଦୁଇ ଟଙ୍କାରୁ ଆରମ୍ଭ କରିବା । ଗୁଜବ ସମ୍ପର୍କରେ ଆମେ ରାଜଧାନୀର କିଛି ଛୋଟ ଛୋଟ ଦୋକାନୀଙ୍କୁ ଭେଟିଥିଲୁ । ସେମାନେ ଏହା ଉପରେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ମଧ୍ୟ ନିଜେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି । ଜଣକର ଉତ୍ତର ଥିଲା ବ୍ୟାଙ୍କ ତ ନେଉନି ଆମେ କଣ କରିବୁ । ଆଉ କେହି କହିଥିଲେ ଭାରି ଅସୁବିଧା ହେଉଛି । ତେବେ ଗୁଜବ ହୋଇଥିବା କଥା କାହାରୁ ମୁହଁରୁ ବାହାରିଲା ନାହିଁ ।

COIN-1
ସେପଟେ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ସରକାରଙ୍କ ତରଫରୁ ଟଙ୍କିକିଆ କଏନ୍‌ ବ୍ୟାନ୍‌ ହୋଇ ନାହିଁ ବୋଲି ଘୋଷଣା କରି ସାରିଛନ୍ତି । ତଥାପି ଯେମିତି ଲୋକେ ସରକାରଙ୍କ କଥା ଅପେକ୍ଷା ଗୁଜବରେ ବେଶି ବିଶ୍ୱାସ କରିବାକୁ ଚାହୁଁଛନ୍ତି । କିଛି ମାସ ତଳେ ବଜାରକୁ ଅଧିକ ପରିମାଣର କଏନ୍‌ ଆସିଯିବା ଯୋଗୁଁ ସମସ୍ୟା ସୃଷ୍ଟି ହୋଇଥିଲା । ଦୋକାନୀମାନେ କଏନ୍‌ ନେଇ ବ୍ୟାଙ୍କରେ ପହଞ୍ଚିବା ପରେ କିଛି ବ୍ୟାଙ୍କ କର୍ମଚାରୀ ଏହାକୁ ନେବା ଲାଗି ମନା କରି ଦେଇଥିଲେ । ତେବେ ତାଗିଦ ଓ କଡ଼ା କାର୍ଯ୍ୟାନୁଷ୍ଠାନର ଡର ସମସ୍ୟାର ସମାଧାନ କରିଥିଲା । ଏବେ ପୁଣି ସେହିଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଟଙ୍କିକିଆ କଏନ୍‌ ନେବାକୁ ମନା କରୁଛନ୍ତି ଦୋକାନୀ । ପଚାରିଲେ ଉତ୍ତର ହେଉଛି, ଆମ ଠାରୁ ଏହି ଟଙ୍କା କେହି ନେଉ ନାହାନ୍ତି, ଆମେ କଣ କରିବୁ ?
ଏପରିସ୍ଥିତିରେ ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଆସିବା ଦରକାର । ଯଦିଓ ଟଙ୍କିକିଆ ମୁଦ୍ରା ନେଉ ନଥିବା ଦୋକାନୀ କିମ୍ବା ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଉଛି କିନ୍ତୁ ଏପଯ୍ୟର୍ନ୍ତ ସେଭଳି କିଛି ଦୃଷ୍ଟାନ୍ତ ଦେଖିବାକୁ ମିଳି ନାହିଁ । ଯଦି ସରକାର ଟଙ୍କିକିଆ କଏନ୍‌କୁ ସବୁ ଦିନ ପାଇଁ କବର ଦେବାକୁ ଚାହୁଁଛନ୍ତି ତେବେବି ଏ ନେଇ ଘୋଷଣା କରିବା ଉଚିତ । ଲୋକଙ୍କୁ ଏଭଳି ବିଭ୍ରାନ୍ତ କରାଇବା ଠିକ୍‌ ହେଉନାହିଁ । କାରଣ ଟଙ୍କାଟି ତାର ଚଳତ୍‌ ଶକ୍ତି ହରାଇଛି କି ନାହିଁ କହିବ କିଏ ? ଗୁଜବର କାନ ନାକ ନଥାଏ । ଏହା ପୂର୍ବରୁ ଗତ ମାଚ୍‌ର୍ ଓ ଜୁଲାଇ ମାସରେ ମଧ୍ୟ ଏଭଳି ଗୁଜବ ଉଠିବା ପରେ ପୁଣି ଶାନ୍ତ ପଡ଼ି ଯାଇଥିଲା । ତେବେ ଯେପର୍ଯ୍ୟନ୍ତ ଏହାର ପ୍ରଭାବ ଜାରି ରହିବ ସେଯାଏ ଦୋକାନୀ ଓ ଗ୍ରାହକ ମଧ୍ୟରେ ଚାଲିବ ଟଣା ଓଟରା ଓ ତୁତୁ ମେମେ ।

(କେନ୍ୟୁଜ୍‌ ସ୍ପେସାଲ ଡେସ୍କ )

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.