Below header

ଆସିଲା ପାର୍ବଣ ଗାଇଡଲାଇନ୍‌, ଏଥର ବିନା ଭକ୍ତରେ ହେବ ପୂଜା

ଭୁବନେଶ୍ୱର (କେନ୍ୟୁଜ): କରୋନା କାଳରେ ପାର୍ବଣ ପାଇଁ ଆସିଲା ନୂଆ ଗାଇଡଲାଇନ୍‌ । ଏବର୍ଷ କଟକଣାରେ କମ୍‌ ପିଲାରେ ସ୍କୁଲରେ ହେବ ଗଣେଶ ପୂଜା। ସେହିପରି ମଣ୍ଡପରେ ବି ପୂଜା ହେବ । ପ୍ରଶାସନ ପକ୍ଷରୁ ପୂଜା କମିଟି ଅନୁମତି ନେଇ ପୂଜା କରିପାରିବେ । କିନ୍ତୁ ଆସିବେନି ଭକ୍ତ । ଗତବର୍ଷ ଭଳି ଏଥର ବି ବିନା ଭକ୍ତରେ ହେବ ପୂଜା । ପୂଜା ପେଣ୍ଡାଲର ତିନି ପାଖ ଆବଦ୍ଧ ରହିବ । ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ରୁ କମ୍‌ ରହିବ । ମଣ୍ଡପରେ ପୂଜକ ଓ ପୂଜା କମିଟି କର୍ମକର୍ତ୍ତାଙ୍କ ସମେତ ୭ରୁ ଅଧିକ ଲୋକ ରହିପାରିବେ ନାହିଁ । ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାକୁ ବାରଣ କରାଯାଇଛି ।

ପୂଜା ମଣ୍ଡପରେ ବାଜା, ରୋଷଣୀ, ବାଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନା । ପୂଜା ପାର୍ବଣରେ ଭୋଜିଭାତ ସଂପୂର୍ଣ୍ଣ ବାରଣ କରାଯାଇଛି। ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ କିମ୍ବା ବିଭାଗୀୟ ଅଧିକାରୀ ଓ ଭୁବନେଶ୍ୱର-କଟକରେ କମିସନରେଟ ପୋଲିସ ଠାରୁ ପୂଜା ପାଇଁ ଅନୁମତି ପ୍ରଦାନ କରିବେ। ଆୟୋଜକ ଓ ପୂଜା ସହ ସଂପୃକ୍ତ ବ୍ୟକ୍ତି ପୂଜା ସମ୍ବନ୍ଧୀୟ ସମସ୍ତ ନିୟମ ପାଳନ ନେଇ ନିଶ୍ଚିତ କରିବେ। ପୂଜାମଣ୍ଡପରେ ଉପସ୍ଥିତ ରହିବାକୁ ଥିବା ବ୍ୟକ୍ତି ମାସ୍କ ପିନ୍ଧିବା, ସାମାଜିକ ଦୂରତା ଆଦି ମାନିବାକୁ ବାଧ୍ୟତାମୂଳକ କରାଯାଇଛି।

କୌଣସି ପରିସ୍ଥିତିରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସାଧାରଣ ଦର୍ଶନ କରିବେ ନାହିଁ। ବିସର୍ଜନ ଶୋଭାଯାତ୍ରା ହେବ ନାହିଁ। ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ କରାଯିବ। କଟକଣା ଉଲ୍ଲଂଘନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଅଗଷ୍ଟ ମାସରୁ ଅକ୍ଟୋବର ପର୍ଯ୍ୟନ୍ତ ପାର୍ବଣ ଋତୁ ଥିବାରୁ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଏସଆରସିଙ୍କ ପକ୍ଷରୁ ପୂଜା ନେଇ ଗାଇଡଲାଇନ ଜାରି କରାଯାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.