ତାଙ୍କ ହାତର ଯାଦୁଗରୀ ସ୍ପର୍ଶରେ ଜୀବନ୍ତ ହୋଇଉଠୁଛି କାଠରେ ତିଆରି ସବୁ କଳାକୃତି, ଉଦ୍ଦେଶ୍ୟ ସାରା ଦୁନିଆର ସ୍ଥାପତ୍ୟକୁ ଗୋଟିଏ ସ୍ଥାନରେ ପ୍ରଦର୍ଶନ କରିବା

କଥାରେ ଅଛି, ସୁନା ଥିଲେ ନାକ ନାହିଁ, ନାକ ଥିଲେ ସୁନା ନାହିଁ..ବଣ ମଲ୍ଲୀ ବଣରେ ଫୁଟି ଝଡ଼ି ଯାଉଛି, କିନ୍ତୁ ତାର ସୁଗନ୍ଧ ଟିକେ କାହା ନାକରେ ବାଜିବା କଷ୍ଟକର ହୋଇଯାଉଛି। ଆଉ ଯଦି ସେହି ବଣ ମଲ୍ଲୀ କାହା ନଜରକୁ ଆସିଲା, ତେବେ ତାହା ସାରା ସଂସାରକୁ ସୁଗନ୍ଧିତ କରି ପାରୁଛି। ଆମେ ଏଠି କୌଣସି ବଣର ମଲ୍ଲୀ ଫୁଲ କଥା କହୁନୁ; ଆମେ ଏଠି କହୁଛୁ ସେହିଭଳି ଜଣେ ବ୍ୟକ୍ତିଙ୍କ କଥା, ଯିଏ ନିଜର ପ୍ରତିଭା ବା କଳାକୁ ଲୋକ ଲୋଚନକୁ ଆଣିବା ପାଇଁ ଆଜିବି ସତ ଚେଷ୍ଟା ଜାରୀ ରଖିଛନ୍ତି।
ସେ ହେଉଛନ୍ତି, ଗଞ୍ଜାମ ଜିଲ୍ଲା,ହିଂଜିଲିକାଟୁ ବ୍ଲକ,କଣ୍ଟାଇକୋଳି ଗ୍ରାମର ଭାସ୍କର ସାହୁ ଓ ତମାଳ ସାହୁଙ୍କ ଶୁପୁତ୍ର ଅରୁଣ କୁମାର ସାହୁ। ବୟସ ୩୨ ବର୍ଷ। ବାପା ବଢ଼େଇ କାମ କରି ଘର ଚଳାନ୍ତି, ଅଭାବ ଅନଟନ ଯୋଗୁଁ ଅରୁଣ ପାଠ ବେସି ପଢ଼ି ପାରି ନଥିଲେ। ଯୁକ୍ତ ଦୁଇ ପଢ଼ୁଥିବା ସମୟରେ ଆର୍ଥିକ ସ୍ଥିତିକୁ ନଜରରେ ରଖି ସେ ପଢ଼ା ବନ୍ଦ କରି, ବାପାଙ୍କୁ ବଢ଼େଇ କାମରେ ସହଯୋଗ କରିବା ଆରମ୍ଭ କଲେ। ପିଲାଟି ବେଳରୁ ଅରୁଣଙ୍କର ବିଭିନ୍ନ ଦର୍ଶନୀୟ ସ୍ଥାନ ଦେଖିବାକୁ ଆଗ୍ରହ ଥିଲା କିନ୍ତୁ ଅର୍ଥର ଅଭାବ ଯୋଗୁଁ ସେହି ଇଚ୍ଛା ପୂରଣ ହୋଇ ପାରି ନଥିଲା।
ଯାହା ଫଳରେ ସେ ବିଭିନ୍ନ ଫଟୋ ଚିତ୍ର ସଂଗ୍ରହ କରି, ତାକୁ ସାଇତି ରଖି ପ୍ରାୟ ସମୟରେ ଦେଖନ୍ତି। ବାପାଙ୍କୁ କାଠ କାମରେ ସହଯୋଗ କରୁଥିବା ସମୟରେ, ହଠାତ ଅରୁଣଙ୍କର ମୁଣ୍ଡକୁ ଆସିଲା, ପୃଥିବୀର ସବୁ ଦର୍ଶନୀୟ ସ୍ଥାନ ଗୁଡିକୁ ନିଜେ କାଠରେ ବନେଇ ଅବିକଳ ରୂପ ଦେବେ ବୋଲି, ଏବଂ ତାହା ହିଁ ହେଲା, ବାପାଙ୍କ ସହ କାମ କରୁଥିବା ସମୟରେ, ବିଭିନ୍ନ ବଳକା କାଠ ଖଣ୍ଡ ସବୁ ସଂଗ୍ରହ କରି, ନିର୍ମାଣ କରିବାକୁ ଆରମ୍ଭ କଲେ ବିଭିନ୍ନ ସ୍ଥାପତ୍ୟ।
ପ୍ରଥମେ ପ୍ରଥମେ ଏହାକୁ ଦେଖି, ବାପା,ମା ଙ୍କ ସହ ସାଙ୍ଗ ସାଥି ମାନେ ଆଶ୍ଚର୍ଯ୍ୟ ହୋଇଗଲେ, ତାହାପରେ ସମସ୍ତେ ଏହା କରିବା ପାଇଁ ଉତ୍ସାହିତ କଲେ। ତାହା ପର ଠାରୁ ଅରୁଣ ଆଉ ପଛକୁ ଚାହିଁ ନାହାନ୍ତି। ଦେଖାଇ ଚାଲିଛନ୍ତି ତାଙ୍କର ଗୋଟିଏ ପରେ ଗୋଟିଏ କଳାର ନମୁନା। ପ୍ୟାରିସର ଆଇଫିଲ୍ ଟାୱାର, ତାଜମହଲ, ଚାରମିନାର, ଓଡିଶା ବିଧାନସଭା ଭଳି ଅନେକ ସ୍ଥାପତ୍ୟର ଅବିକଳକୁ ଛୋଟ ଛୋଟ କାଠ ଖଣ୍ଡରେ ନିଖୁଣ କାରୁକାର୍ଯ୍ୟ କରି ,ନିଜର ଅନ୍ତର୍ନିହିତ କଳାକୁ ପ୍ରସ୍ଫୁଟିତ କରିଛନ୍ତି।
ନିକଟରେ କୋଭିଡ ସଚେତନତା ବିଷୟରେ ଏକ ନିଖୁଣ ଛବି କୁ ତିଆରି କରି ସମସ୍ତଙ୍କର ପ୍ରିୟ ପାତ୍ର ହୋଇଛନ୍ତି। ଏହିସବୁ ପାଇଁ ଅରୁଣଙ୍କୁ ମିଳିଛି ଭାରତର ଏକ ଶ୍ରେଷ୍ଠ ପୁରସ୍କାର…ଇଣ୍ଡିଆ ବୁକ ଅଫ ରେକର୍ଡସ 2020 । ଅରୁଣଙ୍କର ଇଚ୍ଛା ସରକାର ସାହାଯ୍ୟ କଲେ, ସେ ଏକ ମିୟୁଜିୟମ କରି ଏହି ସବୁ କାଠ ନିର୍ମିତ ସ୍ଥପତ୍ୟ ଗୁଡିକୁ ଲୋକଲୋଚନକୁ ଆଣିବେ। ଯାହା ଫଳରେ କି, ଯେଉଁ ମାନେ ଏହିପରି ସ୍ଥାନକୁ ଯାଇପାରୁ ନାହାନ୍ତି, ସେମାନେ ଗୋଟିଏ ସ୍ଥାନରେ ଏହି କଳା ମାଧ୍ୟମରେ ଦେଖିପାରିବେ। ଏହା ସହ ଅରୁଣ ଏହି କଳାର ଶିକ୍ଷା ଦାନ ପାଇଁ ଏକ ସ୍କୁଲ ଖୋଲିବାକୁ ମଧ୍ୟ ଇଚ୍ଛା ରଖିଛନ୍ତି।